ସମସ୍ତେ ସାଙ୍ଗ କିନ୍ତୁ ବେଳ ପଡିଲେ…

ଜଙ୍ଗଲର ବହୁତ ଜନ୍ତୁ ଠେକୁଆର ସାଙ୍ଗ । ତେଣୁ ସେ ଠେକୁଆର ଭାରି ଗର୍ବ ଯେ ତା’ର ଏମିତି ବହୁତ ସାଙ୍ଗ ଅଛନ୍ତି । ଥରେ ସେଇ ଠେକୁଆର କୁକୁର ସାଙ୍ଗରେ ଟିକେ କଳି ହେଲା । ଏପରିକି କୁକୁର ଠେକୁଆକୁ ମାରିବାକୁ ବାହାରିଲା । ତା’ପରେ ସେ ଠେକୁଆ ପ୍ରଥମେ ଯାଇ ତା’ର ସାଙ୍ଗ ଘୋଡାକୁ କହିଲା, “ମୋତେ ତୋ ପିଠିରେ ବସାଇ ସେ କୁକୁରଠାରୁ ବହୁତ ଦୂରକୁ ନେଇଯା” । ମାତ୍ର ଏକଥା ଶୁଣି ଘୋଡା କହିଲା, “ତୁ ତ ମୋର ସବୁଠୁ ବଡ ସାଙ୍ଗ, ତୋତେ ତ ମୁଁ ନେଇ ଯାଇଥାଆନ୍ତି । କିନ୍ତୁ ମୋର ବର୍ତ୍ତମାନ ଗୋଟିଏ ବଡ ଜରୁରୀ କାମ ଅଛି । ତୁ ଷଣ୍ଢ ପାଖକୁ ଯା ।” ଠେକୁଆ ଯେମିତି ଷଣ୍ଢକୁ ସାହାଯ୍ୟ ମାଗିଲା, ଷଣ୍ଢ ବି କହିଲା, “ମୋର ମଧ୍ୟ ଗୋଟିଏ ଜରୁରୀ କାମ ଅଛି; ନ ହେଲେ ମୁଁ ତୋତେ ନେଇ ଯାଇଥାଆନ୍ତି ।” ଏହିପରି ଠେକୁଆ ତା’ର ଅନ୍ୟ ସାଙ୍ଗ ମାଙ୍କଡ, ଛେଳି, ବିଲୁଆ ପ୍ରଭୃତି ସମସ୍ତଙ୍କ ପାଖକୁ ଗଲା; କିନ୍ତୁ ସମସ୍ତେ କିଛି ନା କିଛି କାମର ଆଳ ଦେଖାଇ ସେ ଠେକୁଆକୁ ଆଉ ସାହାଯ୍ୟ କଲେ ନାହିଁ । ଶେଷରେ ସେ ଠେକୁଆ ନିଜେ କୁକୁରଠାରୁ ଦୌଡିଯାଇ ପ୍ରାଣ ବଂଚାଇଲା ।

ବହୁତ ସାଙ୍ଗ ଥିଲେ ମଧ୍ୟ ସମୟ ପଡିଲେ କାହାରିଠାରୁ ବି ସାହାଯ୍ୟ ମିଳେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ