ନଳପାନ ଜାତକ

ଏକ ବଣରେ ଗୋଟିଏ ବଡ ପୋଖରୀ ଥିଲା । ସେଇ ପୋଖରୀରେ ଗୋଟିଏ ରାକ୍ଷସ ରହୁଥିଲା । କୌଣସି ଜୀବ ପାଣି ପିଇବାକୁ ପୋଖରୀକୁ ଗଲେ ରାକ୍ଷସ ତାକୁ ଧରି ଖାଇଯାଉଥିଲା ।

       ସେତେବେଳେ ବୋଧିସତ୍ୱ ଗୋଟିଏ ମାଙ୍କଡରୂପେ ଜନ୍ମହୋଇଥିଲେ । ସେ ମାଙ୍କଡମାନଙ୍କର ଦଳପତି ଥିଲେ । ଦଳର ମାଙ୍କଡମାନେ ତାଙ୍କ କଥା ମାନି ଚଳୁଥିଲେ ।

       ଦିନେ ଦଳପତି ବୋଧିସତ୍ୱ ମାଙ୍କଡମାନଙ୍କୁ କହିଲେ – “ତୁମେମାନେ ବଣରେ ବୁଲି ଫଳ ଖାଉଚ ଓ ପୋଖରୀରୁ ପାଣି ପିଉଚ । କେତେକ ଫଳରେ ବିଷ ଥାଏ, ତାକୁ ଖାଇଲେ ବିପଦ ରହିଚି । ତୁମେମାନେ ଯଦି କେବେ କିଛି ଅଚିହ୍ନା ଫଳ ଦେଖିବ ତାକୁ ହଠାତ୍ ଖାଇଦେବନି, ମତେ ଦେଖାଇବ । ମୁଁ ତାହା ପରୀକ୍ଷା କରି ଖାଇବ କି ନାହିଁ କହିବି । କେତେକ ପୋଖରୀରେ କୁମ୍ଭୀର ଥାଆନ୍ତି । ସେପରି ପୋଖରୀ ଭିତରକୁ ଗଲେ କୁମ୍ଭୀର ଧରି ଖାଇଦିଏ । ତେଣୁ ତୁମେମାନେ ଅଜଣା ପୋଖରୀ ଭିତରକୁ ହଠାତ୍ ପଶିଯିବନାହିଁ । ସେଭଳି ପୋଖରୀ ଦେଖିଲେ ମତେ କହିବ । ମୁଁ ଯାଇ ପରୀକ୍ଷା କରିବି । ମୁଁ ପାଣି ପିଇବାକୁ କହିଲେ ଯାଇ ତୁମେମାନେ ପିଇବ ।”

       ମାଙ୍କଡମାନେ ଦଳପତିଙ୍କ କଥାରେ ହଁଭରିଲେ ।

       ଦିନକର ଘଟଣା । ମାଙ୍କଡମାନେ ବଣର ଏକ ନୂଆ ଅଂଚଳକୁ ଗଲେ । ସେମାନେ ସେଠାକୁ ଆଗରୁ କେବେ ଯାଇନଥିଲେ । ବଣରେ ବୁଲି ବୁଲି ସେମାନଙ୍କୁ ଶୋଷ ଲାଗିଲା । ମାଙ୍କଡଦଳ ପାଣି ଖୋଜୁ ଖୋଜୁ ଗୋଟିଏ ପୋଖରୀ ଦେଖିଲେ । ସେମାନେ ସେଠାକୁ ଗଲେ । ଦଳପତିଙ୍କ କଥା ତ ସେମାନଙ୍କର ମନେଥିଲା – ସେମାନେ ହଠାତ୍ ପୋଖରୀରୁ ପାଣି ପିଇଲେ ନାହିଁ । ଦଳପତିଙ୍କୁ ସେଠାକୁ ଡାକିଆଣିଲେ ଓ କହିଲେ – “ଆମକୁ ଭାରି ଶୋଷ ହେଉଚି । ଆମେ କ’ଣ ଏଇ ପୋଖରୀରୁ ପାଣି ପିଇବୁ? ଆପଣ ଯେପରି କହିବେ ସେପରି କରିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ