ସମସ୍ତଙ୍କ ସବୁ କଥା ଶୁଣି ସେ ପିଲାଟି ତା’ ଆଖି ପୋଛି କହିଲା “ଆପଣମାନେ ମୋତେ ଏମିତି ଅବିଶ୍ୱାସ କରନ୍ତୁ ନାହିଁ । ମୁଁ ତ ଏଇଠି ଅଛି ଆପଣମାନେ ଘର ଭିତରକୁ ଯାଇ ଦେଖନ୍ତୁ । ମୁ ମିଛ କହୁଥିଲେ ଆପଣମାନେ ମୋତେ ଯାହା କିଛି ବି ଶାସ୍ତି ଦେବେ, ସେସବୁ ମୁଁ ମାନି ନେବି ।”
“ସତେ? ଆଚ୍ଛା ଦେଖିବା ।” ଏହା କହି ଗଙ୍ଗାଧର ତା’ ଘର ଖୋଲିଲା । ତା’ ସଙ୍ଗେ ସଙ୍ଗେ ସେ ଗାଁର ଦୁଇ ତିନିଜଣ ମୁଖିଆ ଲୋକ ବି ସେ ଘର ଭିତରେ ପଶିଲେ । ଦେଖିବା ବେଳକୁ ସତରେ ଝରକା ତଳେ ଗୋଟିଏ ଥଳି ପଡିଛି । ତା’ପରେ ସେମାନେ ସେ ଥଳି ଖୋଲି ଦେଖିଲେ, ତହିଁ ଭିତରେ ଟଙ୍କା ଅଛି – ପାଂଚଶହ ସରିକି ହେବ ।
ଏସବୁ ଘଟଣା ଦେଖି ସମସ୍ତେ ହଠାତ୍ ନୀରବ ହୋଇଗଲେ । ତତ୍ସହିତ କାହାରି କାହାରି ମୁହଁରେ ଅନୁତାପର ଭାବ ମଧ୍ୟ ଫୁଟି ଉଠିଲା । ସବୁଠାରୁ ବେଶି ଅନୁତପ୍ତ ଗଙ୍ଗାଧର ହିଁ ହେଲା । ସେ କହିଲା, “ବାସ୍ତବିକ, ସବୁ କଥା ନ ବୁଝି ଜଣକୁ ହଠାତ୍ ଚୋର ବୋଲି କହିବା ମୋର ବଡ ଅନ୍ୟାୟ ହୋଇଛି ।” ତା’ପରେ ସେ ପିଲାଟିକୁ ଗଙ୍ଗାଧର କହିଲେ, “ଆଚ୍ଛା, ବାପା, ତମେ ଆମ ଘରକୁ ଆସ ।” କିନ୍ତୁ ସେତେବେଳକୁ ସେ ପିଲାଟି ସେଠାରୁ ଦୂରେଇ ଗଲାଣି । ତାକୁ ଆଉ କେହି ବି ଅଟକାଇ ପାରିଲେ ନାହିଁ ।
ଏଥୁଅନ୍ତେ ଲୋକେ ଯିଏ ଯାହା ବାଟରେ ଚାଲିଗଲେ । ଖାଲି ତା’ ସ୍ତ୍ରୀ ଓ କୁମଦିନୀ ଆସି ସେଠାରେ ଠିଆ ହୋଇଥାନ୍ତି ।
ଗଙ୍ଗାଧର ହସି ଉଠି କହିଲା, “ଆଉ ମାତ୍ର ଦୁଇଦିନ ପରେ କୁମଦିନୀର ଜନ୍ମଦିନ । ମୋର ବଡ ଇଚ୍ଛାଥିଲା ତା’ ଜନ୍ମଦିନ ଭଲ ଭାବରେ ପାଳନ କରିବି । କାରଣ ତାକୁ ଏଥର ଦଶବର୍ଷ ପୁରିବ । ଆଉ ପୁଣି ମୋ ଭାଗ୍ୟକୁ ଦେଖ ଏଣେ ଟଙ୍କା ବି ମିଳିଗଲା । ଭାରି ଭଲ ହେଲା । କେବେ ମୋ ଅଂଟିରୁ ସୁନା ମୁଦି ଖସି ପଡିଥିଲା, ମୋର କିନ୍ତୁ ତାହା ମନେ ନାହିଁ ।”
ହଠାତ୍ କୁମଦିନୀ ସେହି ଟଙ୍କା ଥଳିଟି ଗଙ୍ଗାଧର ହାତରୁ ଛଡାଇ ନେଇ କହିଲା, “ବାପା, ଏ ଥଳି ତ ତମର ନୁହେଁ ।”
ଏସବୁ ଦେଖି ଗଙ୍ଗାଧର ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କୁମଦିନୀକୁ ଅନାଇଲା । ତା’ପରେ ସେ କୁମଦିନୀ ପୁଣି କହିଲା, “ବାପା! ବାରବର୍ଷ ତଳେ ତମେ ତ ଏ ଘରେ ନଥିଲ । କାହିଁକିନା ମୁଁ ଯେତିକି ଜାଣେ ଯେ ମୋ ଜନ୍ମର ଠିକ୍ ବର୍ଷକ ପୂର୍ବରୁ ତମେ ଏ ଘର କିଣିଲ ବୋଲି । ବାରବର୍ଷ ତଳେ ଏ ଘରର ମାଲିକ ରଘୁଜେଜେ ଥିଲେ । ଆଉ ସେ ତ ବର୍ତ୍ତମାନ ବଡ ଦୁସ୍ଥ ଅବସ୍ଥାରେ ଅଛନ୍ତି । ମୁଁ ଯାଉଛି, ଏ ଟଙ୍କାଥଳିଟି ତାଙ୍କୁ ଦେବି ।” ଏତିକି କହି କୁମଦିନୀ ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲା ।
ବାପା କହିଲେ “ଆରେ ଝିଅ, ତୋ ଜନ୍ମଦିନ…”
ବାପା କଥା ଶୁଣି କୁମଦିନୀ କହିଲା “ବାପା! ରଘୁ ଜେଜେଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କ’ଣ ମୋ ଜନ୍ମଦିନ ପାଇଁ ବଡ କଥା ନୁହେଁ? ଖାଲି ଗୁଡିଏ ଲୋକଙ୍କୁ ଭୋଜି ଦେଇଦେଲେ କ’ଣ ହେବ?” ଏକଥା କହି କୁମଦିନୀ ତା’ ବାପାଙ୍କ ମୁହଁକୁ ଅନାଇ ରହିଲା । ଯେମିତି ସେ କୁମଦିନୀ ଗଙ୍ଗାଧର ମୁହଁରେ ପ୍ରଶଂସାର ଭାବ ଲକ୍ଷ୍ୟ କରିଛି, ସେମିତି ସେ ହସି ହସି ରଘୁ ଜେଜେଙ୍କ ଘରଆଡେ ଦୌଡି ଚାଲିଗଲା ।
ଏସବୁ ଦେଖି ଗଙ୍ଗାଧର କହିଲା “ମୋ ଝିଅର ବିବେକ୍ ଆମଠାରୁ କେଡେ ମହତ୍!”
ଏହା ଶୁଣି କୁମଦିନୀର ବୋଉ ବି ହସି ଦେଇ କହିଲା “ସେ ମୋର ବି ଝିଅଟି? ମୋ ବିବେକ୍ କ’ଣ କମ୍ ମହତ୍?”