କିଏ ହେବ ବନ୍ଧୁ?

 ଗୋଟିଏ ଜଙ୍ଗଲରେ ଭାରି ଶକ୍ତିଶାଳୀ ସିଂହଟିଏ ରହୁଥିଲା । ଦିନେ ଗୋଟିଏ ବିଲୁଆ ତା’ ପାଖରେ ଜୁଟି ତା’ ଆଗରେ ଚୁଗୁଲୀଆମି କଲା । ଚୁଗୁଲୀଆମିରେ ଖୁସି ସିଂହ ତାକୁ ବନ୍ଧୁ ଭାବେ ଗ୍ରହଣ କଲା । ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ ହେଲାଯେ ସେମାନଙ୍କ ଭିତରେ ପାଣି ଗଳିଲା ନାହିଁ । ଦିନେ ଗୋଟିଏ ମସ୍ତବଡ ହାତୀ ଜଙ୍ଗଲକୁ ଆସିଲା । ସେଇ ଜଙ୍ଗଲରେ ହାତୀ ନଥିଲେ । ହାତୀର ଆକାର ଦେଖି ସିଂହ ବି ଡରିଗଲା । ହାତୀ ସହିତ ଶତ୍ରୁତା କଲେ ବିପଦ ଆସନ୍ନ ଜାଣି ସିଂହ ତା’ ସହିତ ବନ୍ଧୁତାର ହାତ ବଢାଇଲା । ହାତୀ ରାଜି ହେଲା । ତିନି ହେଁ ବନ୍ଧୁ ଭାବେ ରହିଲେ । ଦିନେ ସେମାନେ ଗୋଟିଏ ସମ୍ବର ଦେଖିଲେ । ସମ୍ବର ସହିତ ବନ୍ଧୁତା କରିବା ସକାଶେ ବିଲୁଆ ସିଂହକୁ ପ୍ରସ୍ତାବ ଦେଲା । ସିଂହ ଥିଲା ସରଳ । ସେ ରାଜି ହୋଇଗଲା । ସେମାନଙ୍କ ପ୍ରସ୍ତାବ ଶୁଣି ସମ୍ବର କହିଲା ଯେ ସେ ତା’ ମା’କୁ ପଚାରି କୌଣସି ନିଷ୍ପତି ନେବ । ସେ ଦିନ ସନ୍ଧ୍ୟାରେ ସେ ତା’ ମା’କୁ ଏ ବାବଦରେ ପଚାରିଲା । ସମ୍ବରର ମା’ କହିଲା, ସେମାନଙ୍କ ବନ୍ଧୁତା ସ୍ୱାର୍ଥ ଉପରେ ପର୍ଯ୍ୟବେସିତ । ସିଂହର ଶିକାରରୁ ଭାଗ ପାଇବ ବୋଲି ବିଲୁଆ ତା’ର ବନ୍ଧୁ । ହାତୀକୁ ଭୟ କରି ସିଂହ ତା’ର ବନ୍ଧୁ । ତେଣୁ ତୁ ସେମାନଙ୍କ ସହିତ ମିଶିବା ଅନୁଚିତ । ତେବେ ସେମାନଙ୍କ ଭିତରେ ଜଣେ ମାତ୍ର ବିବେକୀ ଅଛି । ସେ ହେଲା ହାତୀ । ତେଣୁ ତୁ ଥରେ ମିଶିବାର ପ୍ରୟାସ କରିପାରୁ । ଚାରି ଜଣ ବନ୍ଧୁ ହୋଇଗଲେ । ସିଂହର ଭୟରେ ସମ୍ବରକୁ କେହି କିଛି କହିଲେ ନାହିଁ । ସମ୍ବର ଖାଇପିଇ ମୋଟା ହେଲା । ଦିନେ କିଛି ଶିକାର ନ ମିଳିବାରୁ ଧୃତ ବିଲୁଆ ପ୍ରସ୍ତାବ ଦେଲା ଯେ ସମ୍ବରକୁ ମାରି ଖିଆଯାଉ । ସିଂହ ରାଜି ହୋଇଗଲା । କିନ୍ତୁ ପ୍ରତିବାଦ କଲା ହାତୀ । ସେ କହିଲା, ବନ୍ଧୁତା କରି ବନ୍ଧୁ ଦ୍ରୋହୀ ହେଲେ ଅପଯଶ କାଳକାଳ ଧରି ରହିଯିବ । ତା’ପରେ ସେ ସମ୍ବରକୁ କହିଲା ଏ ଗୋଠ ଛାଡି ଚାଲିଯାଆ ।

         ସମ୍ବର ପ୍ରାଣ ବଂଚାଇ ମା’ ପାଖରେ ପହଁଚିଲା । ମା’ କହିଲା, କେବଳ ହାତୀ ଥିଲା ବୋଲି ମୁଁ ତୋତେ ବନ୍ଧୁତା ସକାଶେ ଥରେ ପ୍ରୟାସ କରିବାକୁ କହିଥିଲି । ତେଣୁ ତୁ ନିଜ ଅନୁଭୂତିରୁ କିଛି ଶିଖିପାରିବୁ । ଏଥର ଜାଣ ଯେ ସଦାବେଳେ ନିଜ ସମଲକ୍ଷଣଙ୍କ ସହିତ ବନ୍ଧୁତା କରିବୁ । ଅନ୍ୟ ଲକ୍ଷଣର ବିବେକୀ ବନ୍ଧୁ ଖୋଜି ମିଶିବୁ । ତା’ ନହେଲେ ବନ୍ଧୁ ଲୋଡା ନାହିଁ, ବରଂ ଏକୁଟିଆ ରହିବୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ