ବିଷ୍ଣୁ ପୁରାଣ

ବୌଦ୍ଧଧର୍ମ ଦ୍ୱାରା ଯେଉଁ ନୂଆ ସମାଜ ଓ ଧର୍ମର ସଂସ୍ଥାପନ ହେଲା ତାହାର ପ୍ରଧାନ ଅଙ୍ଗ ଅହିଂସା, ପ୍ରଶାନ୍ତ ଜୀବନ ଓ ଜାତିବର୍ଣ୍ଣ ମଧ୍ୟରେ ସମତା ଥିଲା । ସମସ୍ତେ ମଣିଷ ଜାତି । ତା’ ମଧ୍ୟରେ ବର୍ଣ୍ଣ ବା ଜାତିର ବିଭେଦ ଆଣିବା ମୂର୍ଖତା । ସେଥିପାଇଁ ବୌଦ୍ଧ ସଂପ୍ରଦାୟ ଜାତି ମାନୁ ନଥିଲେ । ସେମାନଙ୍କର ଏଇ ନୂଆ ସମାଜ ସଂସ୍କାର ଚତୁର୍ଦ୍ଦିଗରେ ଲୋକପ୍ରିୟ ହୋଇ ଉଠିଲା ଓ କାଳକ୍ରମେ ତାହା ଦେଶଦେଶାନ୍ତର ଧରି ବିସ୍ତାର ଲାଭ କଲା । ପ୍ରାଣୀଜଗତର ଉଦ୍ଧାରକର୍ତ୍ତା କରୁଣାମୟ ତଥାଗତଙ୍କ ଗୁଣ ଓ ମହିମା କ୍ରମେ ହିମାଳୟ ପରି ବୃଦ୍ଧି ପାଇଲା ।

                ବୃଦ୍ଧାବସ୍ଥା ପ୍ରାପ୍ତ ହେଲେ ମଧ୍ୟ ଭଗବାନ୍ ବୁଦ୍ଧ ପଦବ୍ରଜରେ ଭ୍ରମଣ କରି ଦେଶରେ ନାନା ପ୍ରକାର ସମସ୍ୟାର ସମାଧାନ କରୁଥା’ନ୍ତି । ସେ ଦେଖିଲେ ଯେତେ ଧର୍ମ ପ୍ରଚାର ହେଲେ ମଧ୍ୟ ନିମ୍ନଜାତି ଉଚ୍ଚଜାତି ଦ୍ୱାରା ଓ ଦରିଦ୍ର ଧନୀକ ଶ୍ରେଣୀ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି । ସେ ଅତ୍ୟାଚାରିତମାନଙ୍କୁ ଉପଦେଶ ଦେଇ ନିଜର ଶିଷ୍ୟ ଭାବରେ ଗ୍ରହଣ କରୁଥିଲେ ।

                ଚତୁର୍ଦ୍ଦିଗରେ ତାଙ୍କର ସୁଖ୍ୟାତି ଯେତେ ଯେତେ ବୃଦ୍ଧି ପାଇବାକୁ ଲାଗିଲା, ତାଙ୍କର ଆଜନ୍ମ ଶତ୍ରୁ ଦେବଦତ ସେତେ ଅଧିକ ଈର୍ଷ୍ୟାନ୍ୱିତ ହେବାକୁ ଲାଗିଲେ ଯଦିଓ ସେ ତାଙ୍କର ସମ୍ପର୍କରେ ଭାଇ ଥିଲେ ତଥାପି ବାଲ୍ୟକାଳଠାରୁ ସେ କୌଣସି ମତେ ବୁଦ୍ଧଙ୍କର ପ୍ରଶଂସା ମୋଟେ ସହ୍ୟ କରିପାରୁ ନଥିଲେ । କୌଣସି ପ୍ରକାରରେ ହେଲେ ବୁଦ୍ଧଙ୍କର କ୍ଷତି କରିବା ପାଇଁ ସେ ଚିନ୍ତା କରିବାକୁ ଲାଗିଲେ । ଅବଶେଷରେ ବୁଦ୍ଧଙ୍କୁ ଶେଷ କରିଦେବା ପାଇଁ ସେ ଏକ ଷଡଯନ୍ତ୍ର କଲେ । କାରଣ ସେ ଭାବିଲେ ବୁଦ୍ଧଙ୍କ ଅନ୍ତେ ତାଙ୍କର ପଥ ଏକବାରେ ନିଷ୍କଂଟକ ହେବ । ବୁଦ୍ଧହିଁ ସର୍ବଦା ତାଙ୍କ ଜୀବନରେ ବଡ ବାଧା ସୃଷ୍ଟି କରନ୍ତି ବୋଲି ତାଙ୍କର ଧାରଣା ।

                ଦିନେ ବୁଦ୍ଧଙ୍କ ସହିତ ଆଲୋଚନା କରୁ କରୁ ଦେବଦତ ତାଙ୍କୁ ପଚାରିଲେ, “ଆପଣ ତ ଅହିଂସା ଧର୍ମ ଏତେ ପ୍ରଚାର କରୁଛନ୍ତି । କିନ୍ତୁ ବୌଦ୍ଧଧର୍ମ ପାଇଁ ଯେ ମାଛମାଂସ ନିଷିଦ୍ଧ ଖାଦ୍ୟ, ସେଥିପାଇଁ ତ କାହିଁ କୌଣସି କଠୋର ନିୟମ ରଖି ନାହାଁନ୍ତି?”

                ବୁଦ୍ଧ ଧୀର ଓ ଶାନ୍ତ ଭାବରେ କହିଲେ, “ବତ୍ସ ଦେବଦତ, ମୁଁ ଅବଶ୍ୟ ଏ ବିଷୟରେ ଅହିଂସା ଧର୍ମକୁ ପାଳନ କରିବାକୁ କହିଛି । କିନ୍ତୁ ଗରୀବମାନେ ସମୟ ସମୟରେ କିଛି ଖାଇବାକୁ ପାଆନ୍ତି ନାହିଁ । ଯାହା କିଛି ମିଳେ ଖାଆନ୍ତି । ତେଣୁ ସେମାନେ ଏ ନିୟମ କେବେବି କଠୋର ଭାବରେ ପାଳନ କରି ପାରିବେ ନାହିଁ । ମାନବଜାତିର ସେବା କରିବା ନିଜର ଧର୍ମ ବୋଲି ବୌଦ୍ଧଭିକ୍ଷୁମାନେ କେବଳ ବଂଚି ରହିବା ପାଇଁ ଆବଶ୍ୟକ ଖାଦ୍ୟ ଗ୍ରହଣ କରନ୍ତି । ସେମାନେ ଭିକ୍ଷା ମାଗି ଖାଆନ୍ତି । ତେଣୁ ଯେଉଁମାନେ ଭିକ୍ଷା ଦିଅନ୍ତି ସେମାନେ ଯେ ବାଧ୍ୟତାମୂଳକ ନିରାମିଷାଶୀ ହେବେ ସେ ନିୟମ ଜାରି କରିବା ପାଇଁ ମୋର କୌଣସି ଅଧିକାର ନାହିଁ । ବୌଦ୍ଧମାନେ ଜାତି, ଧର୍ମ, କୁଳ ପ୍ରଭୃତିର ଅତୀତ । ତେଣୁ ସେମାନେ ଜନତାଙ୍କଠାରୁ ଭିକ୍ଷା ଗ୍ରହଣ କରିବା ବେଳେ ମାଂସାଶୀ ଓ ନିରାମିଷାଶୀ ବୋଲି ବିଭେଦ ସୃଷ୍ଟି କରି ଭିକ୍ଷା ମାଗିବେ ତାହା ଧର୍ମର ବିରୋଧି । ତେଣୁ ଯିଏ ଯାହା ଆନ୍ତରିକତାର ସହିତ ଦେବ ତାକୁ ଗ୍ରହଣ କରିବାହିଁ ଉଚିତ୍ ।”

                ଦେବଦତ କହିଲେ “ତାହାହେଲେ ଆପଣ କହୁଛନ୍ତି ଯିଏ ଯାହା ଭିକ୍ଷାପାତ୍ରରେ ଦେବ ତାକୁ ବୌଦ୍ଧଭିକ୍ଷୁ ଖାଇବା ଉଚିତ୍ । ଏଇ ତ?”

                ବୁଦ୍ଧ ହସି ହସି କହିଲେ, “ଅନ୍ତତଃ ତାହାହିଁ ଭିକ୍ଷାର ଧର୍ମ । କିନ୍ତୁ ଯିଏ ଦିଏ ସେ କ’ଣ ଦେଉଛି ସେଇଟା ତା’ ଉପରେ ନିର୍ଭର କରେ ।”

                ତା’ପରେ ଦେବଦତ ସେ ସ୍ଥାନ ଛାଡି ଚାଲିଗଲେ । ଏହାପରେ ସେ ଭାବିବାକୁ ଲାଗିଲେ । “ଏଇ ବୁଦ୍ଧକୁ କୌଣସି ମତେ ଶେଷ କରିଦେବା ଉଚିତ୍ । ନଚେତ୍ ବଂଚିଥିବା ପର୍ଯ୍ୟନ୍ତ ସେ ଏଇ ବୌଦ୍ଧଧର୍ମ ପ୍ରଚାର କରି ଚାଲିବ । ପୁଣି ଛୋଟଜାତିର ଲୋକଗୁଡାଙ୍କୁ ଧର୍ମରେ ଦୀକ୍ଷିତ କରାଉଛି । ତେବେ ଉଚ୍ଚବର୍ଣ୍ଣର ଲୋକଙ୍କର ଆଧିପତ୍ୟ ଆଉ କେଉଁଠି ରହିବ? ତେଣୁ ଉଚ୍ଚଜାତିର ଲୋକଙ୍କ ଆଧିପତ୍ୟ ଶେଷ ହେବା ପୂର୍ବରୁ ବୁଦ୍ଧଙ୍କୁହିଁ ଶେଷ କରିଦେବା ଆବଶ୍ୟକ ।” ଏହିପରି ଭାବି ଭାବି ସେ ଜୀବକ ନାମକ ଏକ ଅସ୍ପୃଶ୍ୟ ଜାତିର ଲୋକ ଘରେ ଯାଇ ପହଁଚିଲେ । ଜୀବକ ବୌଦ୍ଧଧର୍ମାବଲମ୍ବୀ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ