ସ୍ତ୍ରୀ ପ୍ରେମୀ ଅରଫିଅସ

ଗ୍ରୀସ୍ ଗୋଟିଏ ପ୍ରାଚୀନ ଦେଶ । ଏହି ଦେଶରେ କେଉଁ କାଳରେ ଅରଫିଅସ ନାମରେ ଜଣେ ଅଦ୍ଭୁତ ଲୋକ ବାସ କରୁଥିଲେ । ସେ ରାଜ୍ୟରେ ତାଙ୍କ ପରି ଆଉ କେହିବି ଏତେ ମଧୁର ସ୍ୱରରେ ବୀଣା ବଜାଇ ପାରୁନଥିଲେ । ବୀଣା ବଜାଇବା ଥିଲା ତାଙ୍କର ଏକ ସଉକ । ବୀଣା ବଜାଇ ସେ ଗୀତ ଗାଇଲେ ଗଛ ଲତା ବି ଜୀଇଁ ଉଠୁଥିଲେ । ମଣିଷ ଅବା କେତେ ମାତର । ଏହି ସଙ୍ଗୀତ ଶୁଣିଲେ ମଣିଷ ନିଜର ସମସ୍ତ ଦୁଃଖ ଶୋକ ଭୁଲି ଯାଉଥିଲେ ।

ସେ ଅରଫିଅସଙ୍କର ସ୍ତ୍ରୀ ଭାରି ସୁନ୍ଦରୀ । ତାଙ୍କର ନାଁ ହେଉଛି ଉରିଡାଇସ୍ । ସେମାନେ ଦୁହେଁ ଗୀତ ଗାଇ ବୀଣା ବଜାଇ ଖୁବ୍ ଆନନ୍ଦରେ ଚଳୁଥାନ୍ତି । କେହି କାହାକୁ ଦଣ୍ଡେ ହେଲେ ବି ଛାଡିପାରନ୍ତି ନାହିଁ ।

ଦିନକର କଥା । ସାହିପଡିଶାର କେତେଜଣ ଝିଅ ବୋହୂଙ୍କ ମେଳରେ ଉରିଡାଇସ୍ ପାଖରେ ଥିବା ଗୋଟିଏ ବଣରେ ବୁଲୁଥିଲା । ବଣରେ ବୁଲୁ ବୁଲୁ ଅଜାଣତରେ ଉରିଡାଇସ୍ ପତର ଗଦାତଳେ ଥିବା ଗୋଟିଏ ସାପକୁ କୁଦି ଦେବାରୁ ସେ ତାକୁ ତୁରନ୍ତ ଚୋଟ ମାରିଲା । ଉରିଡାଇସ୍ ସଙ୍ଗେ ସଙ୍ଗେ ସେହି ବଣ ବାଟରେ ମରିଶୋଇଲା ।

ବିଚରା ଅରଫିଅସ ନିଜ ସ୍ତ୍ରୀ ପାଇଁ କାନ୍ଦି କାନ୍ଦି ଦିନ କାଟିଲା । ଏହି ଦୁଃଖ ବେଳେ ଯଦି ବୀଣା ବଜାଇ ସେ ଗୀତ ଗାଉଥିଲା, ତେବେ ସେହି କରୁଣ ଗୀତ ଶୁଣି ପାହାଡ, ଝରଣା, ଗଛଲତା ସୁଦ୍ଧା ସମସ୍ତେ ଅତି ଦୁଃଖରେ କାନ୍ଦି ପକାଉଥିଲେ । ଅରଫିଅସ ପକ୍ଷରେ ଏକାକୀ ଦିନ କାଟିବା ବଡ ଅସମ୍ଭବ ହେଲା । ତେଣୁ ସେ ନିଜର ସ୍ତ୍ରୀକୁ ଖୋଜିବା ପାଇଁ ପାତାଳପୁରକୁ ଚାଲିଲା । ଲୋକ ମରିଗଲେ ସେହି ପାତାଳପୁରରେ ରହନ୍ତି ବୋଲି ସେ ତ ଆଗରୁ  ଶୁଣିଥିଲା । ସେଠାରେ ରାଜା ପ୍ଲୁଟୋ ତାଙ୍କର ରାଣୀ ପ୍ରଃସ୍ପରିନ ସହିତ ରାଜତ୍ୱ କରୁଥିଲେ ।

ସେ ପାତାଳପୁରଟି ବଡ ଭୟଙ୍କର । ସେଠାକୁ ଯିବାକୁ ହେଲେ ଏକ ଅନ୍ଧାରିଆ ନଈ ପଡେ । ସାଧାରଣ ମନୁଷ୍ୟ ଏହି ନଈ ପାରିହେବା କଦାପି ସମ୍ଭବ ନୁହେଁ । କେବଳ ମଲା ମଣିଷକୁ ପ୍ଲୁଟୋଙ୍କର ଦୂତ ଚାରୋନ ଅନ୍ଧାରିଆ ନଈରେ ପାରି କରାଇ ସେମାନଙ୍କୁ ପାତାଳପୁରକୁ ନେଇଯାଏ ।

ନିଜର ବୀଣାଟିକୁ କାନ୍ଧରେ ପକାଇ ସେ ଅରଫିଅସ୍ ସେହି ଅନ୍ଧାରିଆ ନଈକୂଳରେ ଯାଇ ପହଁଚିଲା । ଚାରୋନ ସେ ଅରଫିଅସ୍କୁ ପାତାଳପୁରକୁ ନେବାପାଇଁ ଆଦୌ ରାଜି ହେଲାନାହିଁ । ମଲା ଲୋକ ନ ହେଲେ ତାକୁ ପାରି କରିବା ପାଇଁ ପ୍ଲୁଟୋଙ୍କର ତ ମୋଟେ ଆଦେଶ ନାହିଁ । ତାପରେ ସେ ଅରଫିଅସ୍ ନିଜର ସେହି ଅଦ୍ଭୁତ ବୀଣା ବଜାଇ ଏପରି ଏକ ଗୀତ ଗାଇଲା ଯେ ଚାରୋନର ହୃଦୟ ସମ୍ପୂର୍ଣ୍ଣ ଭାବରେ ତରଳିଗଲା । ସେ ଗୀତ ଶୁଣି ଚାରୋନଙ୍କ ଆଖିରୁ ଦିଟୋପା ଲୁହ ଗଡିପଡିଲା । ତାପରେ ସେ ଚାରୋନ ଆଉ କିଛି ନ ବିଚାରି ଅରଫିଅସ୍କୁ ନେଇ ସିଧା ନଈ ପାରି କରିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ