କୀର୍ତ୍ତି!

ରାଜାଙ୍କ ଦରବାରରେ ବୋଧନ ରାୟଙ୍କର ଅନେକ ମିତ୍ର ଥିଲେ । ସେମାନଙ୍କ ପ୍ରଭାବରେ ସେ ଜୟପାଟଣା ତାଲୁକର ଶାସନକର୍ତ୍ତା ରୂପେ ଅଭିଷିକ୍ତ ହେଲେ ।

                କିନ୍ତୁ ସେ ଜୟପାଟଣାରେ ଯାଇ ଶାସନଭାର ଗ୍ରହଣ କରିବାର କେଇମାସ ଭିତରେ ସମସ୍ତେ ବୁଝିଗଲେ ଭଦ୍ରଲୋକଙ୍କର ନା ଅଛି ଶାସନ ଦକ୍ଷତା, ନା ଅଛି ଆଇନ୍କାନୁନ୍ ସମ୍ପର୍କରେ କୌଣସି ଜ୍ଞାନ । ବିଶିଷ୍ଟ ଲୋକେ ରାଜାଙ୍କୁ ଗୋପନରେ ତାଙ୍କ ଅପାରଗତା ବିଷୟରେ ଜଣାଇ ଦେଲେ । ରାଜା ବୋଧନରାୟଙ୍କୁ ସେଠାରୁ ଚାଲି ଆସିବାକୁ ନିର୍ଦ୍ଧେଶ ଦେଲେ ।

                ବଦଳି ଆଦେଶ ଶୁଣି ବୋଧନରାୟ ସ୍ଥାନୀୟ ଲୋକଙ୍କୁ କହିଲେ, “ରାଜା ମୋ ଦ୍ୱାରା ଅଧିକ ଗୁରୁତର କାମ କରାଇବାକୁ ଚାହାଁନ୍ତି ବୋଲି ମୋତେ ବଦଳି କରୁଛନ୍ତି । କିନ୍ତୁ ଜୟପାଟଣାରେ କିଛି ସ୍ମରଣୀୟ କୀର୍ତ୍ତି ନ ରଖି ମୁଁ ଚାଲିଯିବି? ମୋ ପୂର୍ବରୁ ଥିବା ଶାସକ ଗୋଟାଏ ମନ୍ଦିର ଗଢିଥିଲେ । ମୁଁ ସେଟା ଭାଙ୍ଗି ନୂଆ ମନ୍ଦିର ଗଢିଥାନ୍ତି!”

                କେହି ଜଣେ ବୁଦ୍ଧିମାନ ଲୋକ କହିଲେ “ହଜୁର! ଏତେ କଷ୍ଟ ନକରି ସେହି ମନ୍ଦିରକୁ ଦୁଇହାତ ପଛକୁ ଠେଲିଦେଲେ ତାହା ନୂଆ ମନ୍ଦିର ଅନୁରୂପ ହେବ ।”

                ଏହି ପ୍ରସ୍ତାବଟି ବୋଧନଙ୍କ ମନକୁ ବେଶ୍ ପାଇଲା । ସେ ଲୋକ ଲଗାଇ ମନ୍ଦିର ଠେଲିଲେ । ଦୁଇ ହାତ ପଛରେ ନିଜ ପଗଡିଟି ସେ ଥୋଇଥାନ୍ତି । ଲୋକେ ଠେଲିବାର ଅଭିନୟ କରି ପଚାରିଲେ, “ହଜୁର! ମନ୍ଦିର ପଗଡି ଯାଏଁ ଗଲାଣି?” ପଗଡିଟି ସେମାନେ ଉଠାଇ ନେଇଥାନ୍ତି ।

                ବୋଧନ ପଛକୁ ଚାହିଁ ପାଟିକରି କହିଲେ, “ଆରେ, ଆରେ, ରୁହ ରୁହ । ତମେମାନେ ତ ଆହୁରି ହାତେ ଅଧିକା ଠେଲି ଦେଲଣି । ମୋ ପଗଡି ଉପରେ ମନ୍ଦିର ଚଢିଗଲାଣି ।”

                ବୋଧନରାୟ ସେଠାରୁ ବିଦାୟ ନେବା ପରେ ବହୁଦିନଯାଏଁ ଜୟପାଟଣାର ଲୋକେ ସେହି ପଗଡିଟି ରଖିଥାନ୍ତି ଓ ତାକୁ ଦେଖି ଏ ଘଟଣା ମନେ ପକାଇ ହସୁଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ