ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ

 ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ ତାଙ୍କର ଗଭୀର ଜ୍ଞାନ ଥିଲା । ବିକ୍ରମାଦିତ୍ୟ ଜଣେ ଧୀଶକ୍ତି ସମ୍ପନ୍ନ ରାଜାଥିଲେ । ବେତାଳ ସାଧନାପରି ଏପରି ଏକ କଷ୍ଟସାଧ୍ୟ ବିଦ୍ୟାକୁ ସେ ସାଧନକରି ସିଦ୍ଧି ଲାଭ କରିଥିଲେ । ଏପରିକି ରାଜା, ବିଭିନ୍ନ ପଶୁ ଓ ପକ୍ଷୀମାନଙ୍କର କଥୋପକଥୋନ ବୁଝି ପାରୁଥିଲେ । ତାଙ୍କୁ ନ୍ୟାୟ ବିଚାରରେ ସାହାଯ୍ୟ କରିବା ନିମିତ୍ତ ନଅଜଣ ପଣ୍ଡିତଙ୍କୁ ସେ ନିଜର ରାଜସଭାରେ ରଖିଥିଲେ । ସେମାନଙ୍କର ନାମ ୧. ଘଟକର୍ପୁର, ୨. ଧନ୍ୱନ୍ତରି, ୩. ଶଙ୍କୁ, ୪. କ୍ଷପଣକ, ୫. ବରରୁଚି, ୬. ବେତାଳଭଟ୍ଟ, ୭. ବରାହମିହିର, ୮. ଅମରସିଂହ, ୯. କାଳିଦାସ । ଏମାନଙ୍କୁ ନବରତ୍ନ ପଣ୍ଡିତବୋଲି କହୁଥିଲେ । ଏତଦ୍ବ୍ୟତିତ ଭୂତ ଭବିଷ୍ୟତ ଅତୀତ ଜ୍ଞାତା ଏକ ଶୁକପକ୍ଷୀକୁ ମଧ୍ୟ ମନ୍ତ୍ରୀରୂପରେ ସ୍ଥାନ ଦେଇଥିଲେ ।

        ରାଜା ବିକ୍ରମାଦିତ୍ୟ ଜଣେ ପ୍ରଜାପାଳକ ନୃପ ଥିଲେ । ପ୍ରଜାମାନଙ୍କର ଦୁଃଖସୁଖ, ଭଲମନ୍ଦ, ହାନିଲାଭ, ହାରି ଗୁହାରି ସମସ୍ତ ବୁଝୁଥିଲେ । କୌଣସି ପ୍ରକାର ଦୁଃଖ ଶୁଣିଲେ ସେ ତାଙ୍କ ପାଖରେ ପହଁଚନ୍ତି ଏବଂ ତାଙ୍କର ଦୁଃଖକୁ ଲାଘବ କରିଦିଅନ୍ତି । ଏହି କାରଣରୁ ତାଙ୍କ ରାଜ୍ୟରେ ପ୍ରଜାମାନେ ବହୁତ ସୁଖରେ କାଳାତିପାତ କରୁଥିଲେ, ନିର୍ଦ୍ଧନ କେହି ନଥିଲେ । ନିଜ ରାଜ୍ୟ ବ୍ୟତିରେକ ଅନ୍ୟରାଜ୍ୟର ଦୁଃଖୀ ଓ ଭିକାରିମାନଙ୍କୁ ନୃପ ସମ୍ମାନ ଦେଖାଇ ସେମାନଙ୍କର ପରିଚର୍ଯ୍ୟା କରୁଥିଲେ । ବିକ୍ରମାଦିତ୍ୟଙ୍କ ଅଲୌକିକ ଗୁଣାବଳୀ ଦର୍ଶନ କରି ଜନସାଧାରଣ ତାଙ୍କ ଉପରେ ପ୍ରୀତଥିଲେ ।

        ବିକ୍ରମାଦିତ୍ୟଙ୍କ ପିତା ଜଣେ ଶାପଗ୍ରସ୍ତ ଗନ୍ଧର୍ବ ଥିଲେ । ସେ ଗନ୍ଧର୍ବ ଦିନେ ସ୍ୱର୍ଗରେ ବ୍ରହ୍ମାଦି ଦେବତାମାନେ ସୁଧର୍ମା ସଭାରେ ବସିଥିବା ସମୟରେ ନୃତ୍ୟ ପ୍ରଦର୍ଶନ କରୁଥିଲେ । ନୃତ୍ୟ ସମୟରେ ଅନ୍ୟମନସ୍କ ହୋଇ ତାଳର ବେତାଳ କରନ୍ତେ ଇନ୍ଦ୍ରଦେବତା ତାଙ୍କ ଉପରେ କ୍ରୋଧାନ୍ୱିତ ହୋଇ ତାଙ୍କୁ ଅଭିଶାପରେ କହିଲେ ହେ ଗନ୍ଧର୍ବ, ତୁମ୍ଭର କୁକର୍ମ ଯୋଗୁଁ ତୁମ୍ଭେ ମର୍ତ୍ୟ ଲୋକରେ ଜନ୍ମହେବ । ଗନ୍ଧର୍ବ ଦେବରାଜଙ୍କର ଏ ପ୍ରକାର ନିଷ୍ଠୁର ଅଭିଶାପ ଶୁଣି ବହୁତ କାକୁତି ମିନତି ହେଲେ । ଦେବରାଜ ଗନ୍ଧର୍ବଙ୍କର କାକୁତି ମିନତି ଗ୍ରହଣ କରି କହିଲେ ହେ ଗନ୍ଧର୍ବ, ତୁମେ ଦିବାଲୋକରେ ଏକ ଗଧ ହୋଇ ଭ୍ରମଣ କରିବ ଓ ରାତ୍ରିକାଳରେ ନିଜର ସ୍ୱରୂପ ପ୍ରାପ୍ତି ହେବ । ପୁନର୍ବାର ଗନ୍ଧର୍ବ କରଯୋଡି ଦେବରାଜଙ୍କୁ ପ୍ରାର୍ଥନା କଲା ହେ ଦେବରାଜ, ଯେଉଁ ଅଭିଶାପ ପ୍ରଦାନ କଲେ ତହିଁରୁ କିପରି ଉଦ୍ଧାର ହେବି? ଦେବରାଜ ସ୍ମିତ ହାସ୍ୟ ଫୁଟାଇ କହିଲେ ଗନ୍ଧର୍ବ ତମ୍ଭେ ରାତ୍ରିକାଳରେ ଗଧର ଖୋଳ ତ୍ୟାଗ କରି ସ୍ୱରୂପ ପ୍ରାପ୍ତି କଲାପରେ ଯେବେ କେହି ତୁମ୍ଭର ଗଧ ଆବରଣଟିକୁ ପୋଡି ନଷ୍ଟ କରିଦିଏ, ସେହିଦିନ ତୁମ୍ଭେ ଶାପମୁକ୍ତ ହୋଇ ସ୍ୱର୍ଗକୁ ଆସିପାରିବ ।

        ଏହିପରି କିଛିଦିନ ଗତ ହେଲା । ଶାପମୁକ୍ତ ହୋଇ ଗନ୍ଧର୍ବ ଗୌଡ ଦେଶରେ ଜନ୍ମନେଲେ । ବୟଃପ୍ରାପ୍ତ ହୋଇ ବିବାହ କଲେ । ପଣ୍ଡିତ, ଧର୍ମବନ୍ତ ନ୍ୟାୟନୀତି ବିଶାରଦ, ଗନ୍ଧର୍ବ ଅଂଶୀ ବିକ୍ରମାଦିତ୍ୟ ସେହି ଗନ୍ଧର୍ବଙ୍କ କ୍ରୋଡରେ ଜନ୍ମ ଗ୍ରହଣ କଲେ । ଶଶୀକଳାପରି ଦିନକୁ ଦିନ ବଢିଲେ । କ୍ରମେ ବୟପ୍ରାପ୍ତ ହେଲେ । ଯୁଦ୍ଧବିଦ୍ୟାରେ ପାରଙ୍ଗମ ହୋଇ ନିଜର ସୈନ୍ୟ ସାମନ୍ତମାନଙ୍କୁ ଧରି ଶୁକ୍ରାଜିତଙ୍କ ସହିତ ଭୀଷଣ ସଂଗ୍ରାମ କଲେ । ଶୁକ୍ରାଜିତ ଦିଲ୍ଲୀର ସମ୍ରାଟ ଥିଲେ । ବିକ୍ରମାଦିତ୍ୟ ଶୁକ୍ରାଜିତଙ୍କୁ ପରାସ୍ତ କରି ଦିଲ୍ଲୀର ସିଂହାସନରେ ବସିଲେ । କିଛି ଦିନ ପରେ ଭୋଜରାଜଙ୍କର ଦୁହିତା ଭାନୁମତୀଙ୍କୁ ମଧ୍ୟ ବିବାହ କଲେ । ବିଭିନ୍ନ ରାଜ୍ୟ ଜୟକରି କୁବେର ଭଣ୍ଡାର ପରି ଧନ ସଂଚୟ କଲେ । କାଳକ୍ରମେ କିଛିଦିନ ଗତ ହେଲା । ରାଜା ବେତାଳଙ୍କର ସହାୟତାରେ କମଳିନୀ ଓ ମୌନାବତୀକୁ ବିବାହ କଲେ । ବିକ୍ରମାଦିତ୍ୟଙ୍କର କୀର୍ତି ରାଜି ଅବର୍ଣ୍ଣନୀୟ । ତଥାପି ତାଙ୍କର ଚରିତକୁ କାହାଣୀର ରୂପ ଦିଆଗଲା । ପାଠକମାନେ ପାଠକଲେ ସମସ୍ତ କଥା ଜାଣିପାରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ