ଲକ୍ଷ୍ମୀଛଡା ରାଜା କଥା

ଏଥୁ ଅନ୍ତେ ଅବୋଲକରା ଓ ଚତୁର ବ୍ୟଙ୍ଗ କଥାକାର ପୂର୍ବ ତୀର୍ଥରେ କିଛି ଦିନ ରହିଲେ । ସେଦିନ ପ୍ରାତଃ ହେବା ପରେ ବ୍ୟଙ୍ଗକାର କହିଲେ ଆମେ ଏଠାରେ ଯେଉଁ କେଇ ଦିନ ଅବସ୍ଥାନ କରିବା ସେହି ଭାବରେ ସଉଦା ଆଣିବାକୁ ହେବ । ପଇସା ନିଅ । ଆବଶ୍ୟକ ତେଲ, ଲୁଣ, ଡାଲି, ଆଳୁ, ସାରୁ ନେଇ ଆସ ।

                ବୋଲକରା ବ୍ୟାଗ୍ ଖଣ୍ଡିକ ଧରି ସଉଦା ଲାଗି ଗଙ୍ଗା କୂଳେ କୂଳେ ଯାଉ ଥାଏ । ଗଙ୍ଗା କୂଳ ମାନଙ୍କରେ ଥିବା ରମଣୀୟ ଘାଟ ଆଦି ଦେଖି ବୋଲକରାର ମନ ବେଶ୍ ଖୁସ୍ ହୋଇ ଯାଉ ଥାଏ । ସେ ପୁଣି ଆଉ କିଛି ବାଟ ଗଲା । ଯାଉ ଯାଉ ତା’ର ଦୃଷ୍ଟି ଏକ ସୁନ୍ଦର ଚଉପାଢି ଉପରେ ପଡିଲା । ମାର୍ବଲ୍ ବିଛା ଚଉପାଢିର ମଧ୍ୟ ଭାଗରେ ଥିଲା ଏକ ସୁନ୍ଦର ଚଉତରା । ତା’ଉପରେ ମାର୍ବଲ୍ ନିର୍ମିତ ସୁନ୍ଦରୀ ନାରୀର ମୂର୍ତ୍ତି ଠିଆ ହୋଇଛି । ଆଉ ମଧ୍ୟ ସେହି ନାରୀର ଠିଆ ହୋଇଥିବା ମୂର୍ତ୍ତିର ନିମ୍ନାଂଶରେ ଲେଖା ଯାଇଛି ସହଜରେ ନାରୀ ମାନଙ୍କୁ ବିଶ୍ୱାସ କରିବ ନାହିଁ । ଏହା ଦେଖି ଅବୋଲକରା ଭାବିଲା ଏ କେମିତିକା କଥା । ସମସ୍ତେ କହନ୍ତି ନାରୀ ସନ୍ତାନ ମାନଙ୍କର ଜନନୀ । ଆଉ ପୁଣି ସନ୍ତାନ ମାନେ ଏ ଦେଶର ଭବିଷ୍ୟତ । ନାରୀ ମାତୃସ୍ୱରୂପା, ନାରୀ ସର୍ବ ସହଣୀ । ଏତେ ପରେ ଏହି ନାରୀର ମୂର୍ତ୍ତି ତଳେ ଏପରି କାହିଁକି ଲେଖା ଯାଇଛି । ସେହି କଥାର ଅସଲ କାରଣ ଜାଣିବା ନିମନ୍ତେ ଅବୋଲକରା ମନରେ ସଙ୍ଗେ ସଙ୍ଗେ ଉତ୍କଣ୍ଠା ଜାତ ହେଲା । ଆଉ ମଧ୍ୟ ତା’ର ଦ୍ୱିତୀୟ ଆଶ୍ଚର୍ଯ୍ୟ ହେବାର କାରଣ ହେଲା ଯିଏ ଯେତେବେଳେ ଯେଉଁ ଭୋଗ ନେଉଛି ତାହାକୁ ଭୋଗ ନକରି ମୂର୍ତ୍ତି ପାଖରେ ଥୋଇ ଦେଇ ଯାଉଛି ।

                ଅବୋଲକରା ଏ ସମସ୍ତ ଦେଖି ସାରି ଆବଶ୍ୟକୀୟ ସଉଦା ପତ୍ର କିଣି ସାରିଲା । ତା’ପରେ ସେ ଫେରିଲା ଧର୍ମଶାଳାକୁ । ସେତେବେଳକୁ  କଥାକାର ନିଜର ନିତ୍ୟ କର୍ମ ସମାପନ କରି କୋଥଳି ଭାଗବତ ପାଠ ଶେଷ କରି ନିର୍ମାଲ୍ୟ ପାଉ ଥାଆନ୍ତି । ବୋଲକରାକୁ ଦେଖିବା ମାତ୍ରେ ସେ ପଚାରିଲେ ସବୁ ସଉଦା ଆଣିଲୁନା? ଏବେ ପରିବା ସବୁ କାଟି ଦିଅ । ରୋଷେଇ ବସାଇବା । ବୋଲକରା କହିଲା – ଦେଖ ମହାନୁଭବ, ବର୍ତ୍ତମାନ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ଦେଖି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେଲି । ସେଥି ଲାଗି ତରବରରେ ସଉଦା ଧରି ସେଠାରୁ ପଳାଇ ଆସିଲି । ଚତୁର ବ୍ୟଙ୍ଗକାର ପଚାରିଲେ କ’ଣ ଦେଖିଲୁ । ବୋଲକରା କହିଲା –

ଚହଟ ଚିକ୍କଣ ମଣ୍ଡପ ପରେ

ସୁନ୍ଦରୀ ରହିଛି ଠିଆ ଭାବରେ

ଲେଖା ଯାଇ ଅଛି ପାଦ ଦେଶରେ

ବିଶ୍ୱାସ ନକର ଏ ନାରୀ ଠାରେ

ଚିକ୍କଣ ମୁଖରେ ମସୃଣ ଗଣ୍ଡ

ସତେ ଉଦେ ହୁଏ ସେଠାରେ ଚାନ୍ଦ

ପହୁଡ ପଡିନି ପଡିଛି ଖୋଲା

ଭୋଗ ଥୁଆ ଯାଏ ନହୁଏ ପରା

ଏହାର କାରଣ କୁହ ଗୋସାଇଁ

ତାପରେ ହୋଇବ ଆମ ରୋଷେଇ ।

ଏ କଥା ଶୁଣିବା ପରେ ବ୍ୟଙ୍ଗକାର ମନେ ମନେ ହସି ଭାବିଲେ ଶଳା ବାରିକ ଟୋକାଟାକୁ ଆଣି ମୁଁ କି ହରକତ ହେଲି । ପ୍ରତି ଦିନ ଗୋଟିଏ ଗୋଟିଏ ଅଜବ ଘଟଣା ଦେଖି ଆସି ମୋତେ ବଡ ହଇରାଣରେ ପକାଇ ଦେଉଛି । ସେ କହିଲେ ହଉ ହେଲା । ତୁ ଶଳାଟା ସବୁ ବେଳେ ପଂଚମରେ ଥାଉ । ତାହା ହେଲେ ବଟୁଆ ନେ, ଖଣ୍ଡେ ପାନ ଭାଙ୍ଗେ । ମୁଁ ତୋର ସେହି ଘଟଣାର ଅସଲ କାରଣଟା ତୋତେ ଯଥା ଶୀଘ୍ର ବୁଝାଇ ଦେଉଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ