ସାହସୀ ଶ୍ରୀକାନ୍ତ

ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରେ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତମେ ବହୁତ ସାହସୀ ଓ ସହନଶୀଳ; ନ ହେଲେ ଏ ବର୍ଷା ଅନ୍ଧାର ରାତିରେ ଏତେ କଷ୍ଟ କରନ୍ତ? କେବେ କେବେ ସାହସୀ ଓ ଶୁରବୀର ବ୍ୟକ୍ତି ମଧ୍ୟ ସମୟର ମୂଲ୍ୟ ନ ଦେଇ ଅବିବେକପୂର୍ଣ୍ଣ ବ୍ୟବହାର କରିବା ଦ୍ୱାରା ନିଜର ମାନସମ୍ମାନ ହରାଇଥା’ନ୍ତି । ଏ ସମ୍ପର୍କରେ ମୁଁ ତୁମକୁ ଶ୍ରୀକାନ୍ତର କାହାଣୀ କହୁଛି ମନଦେଇ ଶୁଣ; ଶୁଣିଲେ ଶ୍ରମଭାର ଲାଘବ ହେବ ।”

                ବେତାଳ ଗପିଲା : କୀର୍ତିକାମୀ, ରାଜ୍ୟରେ କିଶନ୍ଗଞ୍ଜ ନାମକ ଗ୍ରାମଟିଏ ଥାଏ । ସେଠାରେ ଶ୍ରୀକାନ୍ତ ନାମରେ ସାହସୀ ଯୁବକଟିଏ ଥାଏ । ପିଲାଦିନୁ ସେ ପିତୃମାତୃହୀନ । ଗ୍ରାମଲୋକଙ୍କ ସାହାଯ୍ୟ ଓ ଦୟା ଫଳରେ ସେ କ୍ରମେ ବଡ ହେଲା ଏବେ ସେ ନିଜେ ପରିଶ୍ରମ କରି ଆତ୍ମନିର୍ଭରଶୀଳ ହେଲା ।

                ସେହି ଗ୍ରାମର ନିକଟରେ ଏକ ଜଙ୍ଗଲ ଥାଏ । ଥରେ ସେଠାରେ ବାଘଟିଏ ମାତିଲା, ଅନେକ ମଣିଷ ସେ ଖାଇଲା । ଶ୍ରୀକାନ୍ତ ଦିନେ ଖରାବେଳେ ଗଛ ଉପରେ ବସି ଗଛ କାଟୁଥାଏ । କାହାର କରୁଣ ଚିତ୍କାରରେ ସେ ହଠାତ୍ ଚମକି ଉଠିଲା । ଦେଖିଲା ଛୋଟ ଝିଅଟିଏ ଦୌଡୁଛି ଓ ବାଘ ତାକୁ ଗୋଡାଇଛି । କାଳବିଳମ୍ବ ନକରି ସେ କୁରାଢୀଟି ଧରି ଗଛରୁ ବାଘ ଆଗକୁ ଡେଇଁ ପଡିଲା । ତାପରେ ସେ ବାଘ ଓ ଶ୍ରୀକାନ୍ତ ମଧ୍ୟରେ ବହୁ ସମୟ ଧରି ଆକ୍ରମଣ ଓ ପ୍ରତିଆକ୍ରମଣ ଚାଲିଲା । ବାଘଟି ଶେଷରେ ଶ୍ରୀକାନ୍ତର କୁରାଢୀ ଚୋଟରେ ପ୍ରାଣ ହରାଇଲା ।

                ଏକଥା ଗ୍ରାମ ସାରା ରାଷ୍ଟ୍ର ହୋଇଗଲା ଓ କ୍ରମେ ସାରା ରାଜ୍ୟରେ ଶ୍ରୀକାନ୍ତର ସାହସିକତାର ବିଷୟ ସମସ୍ତେ ଜାଣିଲେ । ରାଜା ତାକୁ ଡାକି ବହୁତ ପୁରସ୍କାର ଦେଲେ ଓ ତାଙ୍କୁ ନିଜ ସୈନ୍ୟ ବିଭାଗରେ ରଖିନେଲେ ।

                କିଛିଦିନ ବିତିଗଲା; ହଠାତ୍ ପଡୋଶୀ ରାଜ୍ୟର ରାଜା କାଳକେତୁ ଅକାରଣରେ ଏହାଙ୍କ ରାଜ୍ୟ ଆକ୍ରମଣ କଲେ । ଦୁଇପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ହେଲା । ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁଥିବା ସମୟରେ ହଠାତ୍ ଏକ ତୀର କାହୁଁ ଆସି ରାଜାଙ୍କ ଘୋଡା ଦେହରେ ବାଜିଲା । ଘୋଡା ଯନ୍ତ୍ରଣାରେ ଚିତ୍କାର କରି ଦୁଇଗୋଡ ଟେକି ଠିଆ ହୋଇଗଲା, ତେଣୁ ରାଜା ପଡିଯାଉଥିଲେ । ଏହି ସମୟରେ ଅପରପକ୍ଷର ରାଜା କାଳକେତୁ ରାଜାଙ୍କର ଶିରଚ୍ଛେଦନ ପାଇଁ ଆଗେଇ ଗଲେ । ଠିକ୍ ଏହି ସମୟରେ ଶ୍ରୀକାନ୍ତ ସେଠାରେ ଖୁବ୍ ଶୀଘ୍ର ପହଁଚି ଯାଇ କାଳକେତୁଙ୍କ ତରବାରୀକୁ ନିଜ ତରବାରୀର ଆଘାତରେ ଦୂରକୁ ଫିଙ୍ଗିଦେଲା । ତା’ପରେ ତାଙ୍କ ଗଳାରେ ନିଜର ତରବାରୀକୁ ଲଗାଇ ରଖି ସେ କହିଲା, “କୁହ ରାଜା ଏବେ ତୁମେ ହାର ମାନିଲ ତ?”

                ନିଜ ରାଜାଙ୍କର ଏପରି ଦଶା ଦେଖିବା ମାତ୍ରେ ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ଯିଏ ଯୁଆଡେ ପାରିଲେ ଯଥାଶୀଘ୍ର ପଳାଇଲେ । ଏହାପରେ କାଳକେତୁଙ୍କୁ ବନ୍ଦୀ କରାଗଲା ।

                ଯୁଦ୍ଧବିଦ୍ୟାର ସାଧାରଣ ଜ୍ଞାନ ମଧ୍ୟ ସେ ଶ୍ରୀକାନ୍ତ ଜାଣି ନଥିଲା, କେବଳ ନିଜର ବଳ ଓ ସାହସ ଦ୍ୱାରା ସେ ରାଜାଙ୍କର ପ୍ରାଣରକ୍ଷା କରିପାରିଲା । ତେଣୁ ରାଜା ଖୁସି ହୋଇ ତାକୁ ଅନେକ ମୂଲ୍ୟବାନ ବସ୍ତୁ ପୁରସ୍କାର ଦେଲେ ।

                ଶ୍ରୀକାନ୍ତ ସେସବୁ ମୂଲ୍ୟବାନ୍ ବସ୍ତୁ ଅସ୍ୱୀକାର କରିପାରୁ ନଥିଲା କି ସ୍ୱୀକାର ମଧ୍ୟ କରିପାରୁ ନଥିଲା । ତେଣୁ ସେ ଅଳ୍ପ ହସି କହିଲା, “ମହାରାଜ, ମୁଁ ଜଣେ ସାମାନ୍ୟ ସୈନିକ ମାତ୍ର । ସୈନିକର କାମ ହେଉଛି ତ୍ୟାଗ କରିବା ଓ ନିଜ ଜୀବନକୁ ବଳୀଦାନ ଦେବା । ରାଜାଙ୍କୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଆପଣଙ୍କ ଜୀବନ ରକ୍ଷା କରିବା ଦ୍ୱାରା ମୁଁ କେବଳ ମୋର କର୍ତ୍ତବ୍ୟ ପାଳନ କରିଛି । ଆପଣ ମୋତେ କାହିଁକି ଏତେଗୁଡିଏ ମୂଲ୍ୟବାନ୍ ଜିନିଷ ପୁରସ୍କାର ଦେଉଛନ୍ତି?”

                ରାଜା ଶ୍ରୀକାନ୍ତର ଏପ୍ରକାର ରାଜଭକ୍ତିରେ ବହୁତ ଖୁସି ହେଲେ । ସେ ଶ୍ରୀକାନ୍ତକୁ ବିଧିବଦ୍ଧ ଭାବରେ ଯୁଦ୍ଧବିଦ୍ୟା ଶିଖାଇଲେ ଓ ତାକୁ ନିଜର ଅଙ୍ଗରକ୍ଷକ ଭାବରେ ରଖିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ