ଦୁଇ ପକ୍ଷ

ରାମପୁର ଗାଁର ଜୟଦାସର ଗୋଟିଏ ବୋଲି ଝିଅ । ତା’ର ନାମ ସୁକୁମାରୀ । ସେ ଝିଅଟି ସତରେ ସୁକୁମାରୀ । ମାଛିକୁ ମ ସୁଧା ବି ସେ କହେନାହିଁ । ତା’ର ସ୍ୱଭାବ ଅତି ଧୀର ।

                ଜୟଦାସ ତା’ ପାଇଁ ବର ଖୋଜୁଥାନ୍ତି । ସୁକୁମାରୀର ଭାରି ଇଚ୍ଛା ସେ ଚମ୍ପେଇ ଗାଁର ସୁବ୍ରତକୁ ବିଭା ହେବ ବୋଲି । ଚମ୍ପେଇରେ ସୁକୁମାରୀର ମାମୁଁ ଘର । ଠିକ୍ ତା’ ମାମୁଁ ଘର ପାଖରେ ସୁବ୍ରତର ଘର । ସେଇଠି ସେ ଦୁହିଁଙ୍କର ଭେଟ ହୋଇଥାଏ ।

                ଅବଶ୍ୟ ସୁବ୍ରତର ବାପା ରଘୁ ପ୍ରଧାନ ଏତେ କଥା ଜାଣି ନଥିଲେ । ଯେତେବେଳେ ଜୟଦାସ ତାଙ୍କ ପୁଅ ସହ ଝିଅର ବିବାହ ପ୍ରସ୍ତାବ ପକାଇଲେ, ସେତେବେଳେ ରଘୁ ପ୍ରଧାନ କହିଲେ, “ଏହା ତ ଅତି ଭଲ କଥା । ତେବେ ଏଇ ଯେଉଁ ଆଜିକାଲି କହନ୍ତି ବାଟ ଖର୍ଚ୍ଚ, ସେ ବାବଦରେ ବେଶୀ ନୁହେଁ, ମୋଟେ ତିରିଶ ହଜାର ଟଙ୍କା ଦେବାକୁ ହେବ ।”

                ଜୟଦାସ ଗମ୍ଭୀର ହୋଇ କହିଲେ, “ଆପଣଙ୍କୁ ବି ନିର୍ବନ୍ଧ ବେଳେ ମୋ ଝିଅକୁ ବାର ଭରିର ସୁନାହାର ଦେବାକୁ ହେବ ।”

                “ବାର ଭରି!” ଏହା କହି ରଘୁ ପ୍ରଧାନ ହଠାତ୍ ଚମକି ଉଠିଲେ ।

                ଜୟଦାସ କହିଦେଲେ “ହଁ ଆଜ୍ଞା, ସେଇଟା ଆମ ବଂଶର ଗୋଟେ ପରମ୍ପରା ।”

                ରଘୁ ପ୍ରଧାନ କହିଲେ “ମୁଁ ବାର ଭରି ଓଜନର ସୁନାହାର କେବେବି ଦେଇପାରିବି ନାହିଁ ।”

ଜୟଦାସ ସଫା ସଫା କରି ଶୁଣାଇ ଦେଲେ “ବେଶ୍, ମୁଁ ବି ତିରିଶ ହଜାର ଟଙ୍କା ‘ବାଟଖର୍ଚ୍ଚ’ ବାବଦକୁ ଦେଇପାରିବି ନାହିଁ ।”

ସୁବ୍ରତ ଏକଥା ଶୁଣିଲା । ସେ ଯାଇ ବିବେକବାବୁଙ୍କୁ ଏକଥା କହିଲା । ବିବେକବାବୁଙ୍କ ପ୍ରତି ତ ଉଭୟ ଜୟଦାସ ଓ ରଘୁ ପ୍ରଧାନଙ୍କର ସମ୍ମାନ ଥାଏ । ବିବେକବାବୁ ରଘୁ ପ୍ରଧାନକୁ ଡାକି କହିଲେ, “ତମେ ସୁନାହାର ଦେବାକୁ ମଙ୍ଗିଯାଅ ।”

ରଘୁ କହିଲେ “କେଉଁଠୁ ଏତେ ଟଙ୍କା ପାଇବି?”

                “ଧାର କର, କରଜ କର । ଯେଉଁ ତିରିଶ ହଜାର ପାଇବ, ସେଇଥିରେ ପରିଶୋଧ କରିବ ।”

                ରଘୁ ପ୍ରଧାନ ଶେଷରେ ରାଜି ହେଲେ । ଯେତେହେଲେ ବୋହୁ ପାଖରେ ତ ହାର ରହିବ । ଆଉ ପୁଣି ବୋହୁ ବି ତ ତାଙ୍କ ଘରର ।

ବିବେକବାବୁ ଜୟ ଦାସକୁ କହିଲେ, “ତମେ ଟଙ୍କା ଦେବାକୁ ରାଜି ହୋଇଯାଅ । ନିର୍ବନ୍ଧ ବାହାଘର ନୁହେଁ । ତୁମେ ନିର୍ବନ୍ଧକୁ ଯେଉଁ ହାର ପାଇବ, ତାକୁ ବିକିଦେବ । ବିବାହ ପରେ ଯାଇ ବୋହୁ ସେ ଘରର । ହେଲେ ବିବାହ ପର୍ଯ୍ୟନ୍ତ ସେ ତମ ଘରର ।”

ବାହାଘରର ବ୍ୟବସ୍ଥା ହୋଇଗଲା । ସବୁ ପକ୍କା ହୋଇଯିବା ପରେ, ଉଭୟ ପକ୍ଷରୁ ନିମନ୍ତ୍ରଣପତ୍ର ବଂଟା ସରିବା ପରେ ବିବେକବାବୁ ରଘୁ ପ୍ରଧାନକୁ ଖୋଲାଖୋଲି ସବୁ କହିଦେଲେ ଓ ମନ୍ତବ୍ୟ ଦେଲେ, “ମନେରଖ! ବୋହୁ ତମେ ଦେଇଥିବା ହାର ପିନ୍ଧି ଆସିପାରିବ ନାହିଁ । ଆଉ ସେଥିପାଇଁ ଯେ ତମେ ଦାୟୀ – ଅର୍ଥାତ୍ ତମେ ଦାବୀ କରିଥିବା ଟଙ୍କା ଯୋଗୁଁ ହାରଟି ସେ ହରାଇଛି – ଏକଥା ସେ ତା’ ଜୀବନରେ କେବେବି ଭୁଲିବ ନାହିଁ । ତମେ ବି ଦିନେ ବୁଢା ହେବ । ସେତେବେଳେ ଟଙ୍କା ଗଣୁଥିବ, କିନ୍ତୁ ବୋହୁର ସ୍ନେହ ଶ୍ରଦ୍ଧା ଆଦୌ ଆଶା କରିବ ନାହିଁ ।”

ରଘୁ ପ୍ରଧାନ ଗୁମ୍ ହୋଇ ରହି କହିଲେ, “ମୋର ଟଙ୍କା ଦରକାର ନାହିଁ । ଜୟ ଦାସଙ୍କୁ କହନ୍ତୁ, ସେ ହାର ବିକିଦେବ ନାହିଁ । ତାହା ବୋହୁର ହୋଇ ରହିଥାଉ ।”

ବିବେକବାବୁ ରଘୁ ପ୍ରଧାନର ପିଠି ଥାପୁଡେଇ ଦେଇ କହିଲେ “ସାବାସ! ଏହାକୁହିଁ କହନ୍ତି ସଦବୁଦ୍ଧି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ