ତାନ୍ତ୍ରିକ ଉଲ୍ଲୁକ

(ହାତୀ ଅଙ୍ଗରକ୍ଷକର ପିଛା କରି ଉଗ୍ରଦଣ୍ଡ ସମ୍ମୁଖରେ ଯାଇ ପହଁଚିଲା । ଏତିକି ବେଳେ ରାଜା ଦୁର୍ମୁଖଙ୍କର ଚେତା ଫେରି ଆସିଲା ଓ ସେ ଜଙ୍ଗଲକୁ ପଳାୟନ କଲେ । ସେଠାରେ ଜଣେ ଜଙ୍ଗଲୀ ଶିକାରୀ ଚିତା ବାଘ ଉପରକୁ ତୀର ଚଳାଇଲା । ଚୋଟ ଖାଇ ଚିତା ଦୁର୍ମୁଖ ସହିତ ଗଛ ଉପରୁ ଖସି ପଡିଲା । ଏହା ପରେ ଆଗକୁ ପଢନ୍ତୁ…)

                ରାଜା ଦୁର୍ମୁଖ ତଥା ଆହତ ଚିତା ଡାଳ ଉପରୁ ଖସି ପଡିବା ଦେଖି ଅଙ୍ଗରକ୍ଷକ ଚିତ୍କାର କରି ଉଠିଲା, “ଆରେ, ତୁମେମାନେ କ’ଣ ଦେଖୁଛ? ଆଉ ଗୋଟିଏ ତୀର ଚଳାଇ ଚିତାକୁ ମାରି ପକାଅ ।”

                ଏତିକିବେଳେ ଦୁର୍ମୁଖ ଗୋଟିଏ ବୁଦା ଉପରେ ଖସି ପଡିବା ପରେ ଭୂମି ଉପରେ କଚାଡି ହୋଇ ପଡିଲା । ତେଣୁ ସେ ବିଶେଷ କ୍ଷତାକ୍ତ ହେଲା ନାହିଁ ।

                ଅଙ୍ଗରକ୍ଷକ ଚିତା ଉପରକୁ କ୍ରୁଦ୍ଧ ଦୃଷ୍ଟି ପକାଇ କହିଲା, “ମହାରାଜ, ଏତେ ଜୋର୍ରେ କ୍ଷତାକ୍ତ ହୋଇ ସୁଦ୍ଧା ଚିତା ଆପଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ।”

                ରାଜା ଦୁର୍ମୁଖ ଚିତା କବଳରୁ ରକ୍ଷା ପାଇବା ପାଇଁ ଦୂରକୁ ଧାଇଁଗଲା । ତା’ପରେ ଅଙ୍ଗରକ୍ଷୀ ପ୍ରତି ତୀକ୍ଷ୍ନ ଦୃଷ୍ଟି ପକାଇ ସେ କହିଲା, “ଆରେ, ତୋ’ର ମୁଣ୍ଡ ଖରାପ ହୋଇଗଲାଣି ନା କ’ଣ? ତୁମେ ଏହିକ୍ଷଣି ତା’ର ମୁଣ୍ଡ କାଟିଦିଅ । ଏହି ଶିକାରୀ କ’ଣ ଆମ ରାଜ୍ୟର ଅଧିବାସୀ? ମାଲୁମ୍ ହେଉଛି ସିଏତ ଗୋଟିଏ ଗଜମୁର୍ଖ ।”

                ସେତେବେଳକୁ ଚିତା ନିଜର ପଞ୍ଝା ଆଗକୁ କରି, ପାଦେ ପାଦେ ଆଗକୁ ବଢି ରାଜା ଦୁର୍ମୁଖକୁ ଆକ୍ରମଣ କରିବାକୁ ଆଗେଇ ଆସୁଥିଲା । ଚୁପ୍ ଚାପ୍ ଏହି ଦୃଶ୍ୟ ଦେଖୁଥିବା ଜଙ୍ଗଲୀ ଶିକାରୀ ମୁଚୁକେଇ ହସି କହିଲା, “ହଁ, ମୁଁ ଗୋଟିଏ ମହାମୁର୍ଖ । କିନ୍ତୁ ମୁଁ ଏତେ ବି ମୁର୍ଖ ନୁହେଁ ଯେ, ସୁନା ମୋହରର ମୂଲ୍ୟ ଜାଣି ପାରିବି ନାହିଁ । ମୋତେ ଯେଉଁ ପାଂଚଟି ମୋହର ଦେବାକୁ ଚୁକ୍ତି କରିଥିଲ, ସେ କଥା କ’ଣ ହେଲା? ମୋତେ ଏଇକ୍ଷଣି କାହିଁକି ଦେଉନାହଁ?” ଏପରି କହି ସେ ଧନୁରେ ତୀର ଯୋଖି ଅଙ୍ଗରକ୍ଷୀ ଆଡକୁ ଲକ୍ଷ୍ୟ କଲା । ତା’ପରେ ସେ ପଚାରିଲା, “ତୁମେ, ସେଇ ଲୋକକୁ ମହାରାଜା ଡାକୁଛ । ତୁମେ ତାଙ୍କୁ ପରିହାସ କରୁଛ, ନା ପ୍ରକୃତରେ ସିଏ ଜଣେ ମହାରାଜା ଅଟନ୍ତି?”

ଅଙ୍ଗରକ୍ଷକ ଜାଣି ପାରିଲା ଯେ ଚିତା ପୁଣି ଥରେ ରାଜା ଦୁର୍ମୁଖ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ସେ ତୁରନ୍ତ ତରବାରୀ ବାହାର କରି ରାଜାଙ୍କୁ କହିଲା, “ମହାରାଜ! ଆପଣ ମଧ୍ୟ ତରବାରୀ ବାହାର କରି ଆକ୍ରମଣ କରନ୍ତୁ । ନଚେତ୍ ଆହତ ଚିତା ଏକା ସାଙ୍ଗରେ ଆମ ଦୁଇଜଣଙ୍କୁ ମାରି ପକାଇବା କିଛି ବି ବଡକଥା ନୁହେଁ ।”

ଏହି ସମୟରେ ଜଙ୍ଗଲୀ ଶିକାରୀ ଅଙ୍ଗରକ୍ଷକ ସମ୍ମୁଖରେ ଏକ ମାରାତ୍ମକ ତୀର ଚଳାଇଲା ଓ ସେହିପରି ଆଉ ଏକ ତୀର ଧନୁରେ ଯୋଖି କହିଲା, “ତୁମେ ମୋ କଥାର ଉତ୍ତର କାହିଁକି ଦେଇ ନାହଁ? ଏଇନା ମୋ ତୀରରେ ତୁମ ପ୍ରାଣ ବାହାରିଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ