ଭାଗ୍ୟର ଖେଳ

       ରାଜାଙ୍କର କଥା ଶୁଣିବା ପରେ ଏକାଗ୍ରତ ସମସ୍ତ ଘଟଣା ବର୍ଣ୍ଣନା କଲା, ଏବଂ ରାଜାଙ୍କ ଠାରୁ ଶୀଘ୍ର ବିଦାୟ ନେବାପାଇଁ ଚାହିଁଲା । ରାଜା ଏକାଗ୍ରତର କଥା ଶୁଣି ଖୁସିରେ ତା’ର ପିଠି ଥାପୁଡାଇ ଦେଇ କହିଲେ, “ପତ୍ନୀ ପ୍ରେମରେ ପାଗଳ ହୋଇ ତୁମେ ଏତେ ଖରାରେ ବାହାରକୁ ବାହାରି ଆସିଛ ।” ମହାରାଜଙ୍କ କଥା ଶୁଣିବାପରେ ଏକାଗ୍ରତ କହିଲା, “ମହାରାଜ! ମୋର ଯଦି କିଛି ଭୁଲ୍ ରହିଯାଇଛି ତା’ ହେଲେ ଆପଣ ମୋତେ କ୍ଷମା କରିଦିଅନ୍ତୁ ।” ରାଜା ଏକାଗ୍ରତର କଥା ଶୁଣି ଖୁସି ହୋଇଯାଇ କହିଲେ, “ଏକାଗ୍ରତ! ମୁଁ ଯଦି ତୁମକୁ ବର୍ତ୍ତମାନ ଏକ ଶହେଟି ଚାନ୍ଦିର ଟଙ୍କା ଦେବି ତା’ ହେଲେ ତୁମେ ଏହାକୁ ପାଇବା ପରେ ସିଧା ସିଧା ଘରକୁ ଚାଲିଯିବ ତ?” ମହାରାଜାଙ୍କ କଥା ଶୁଣି ଏକାଗ୍ରତ କହିଲା, “ଆପଣ ଦେବେ ଯେ, ହେଲେ ମୋ ଜୀବନର ସଫଳତା ଯେଉଁଠାରୁ ଆରମ୍ଭ ହୋଇଛି ମୁଁ ସେ ଟଙ୍କାକୁ ଯାଇ ନିଶ୍ଚୟ ଆଣିବି ।”

       ଏହାପରେ ରାଜା ଏକାଗ୍ରତକୁ ଏକ ହଜାର ମୁଦ୍ରା ଦେବା ପାଇଁ ରାଜି ହେଲେ । ତଥାପି ମଧ୍ୟ ଏକାଗ୍ରତ ନିଜ ଜିଦ୍ରୁ ଓହରିଲା ନାହିଁ । ରାଜାଙ୍କର କଥା ଶୁଣି ଦରବାରରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ଭାବୁ ଥାଆନ୍ତି ଏକାଗ୍ରତ କେତେ ଜିଦ୍ ଖୋର ପ୍ରକୃତିର । ସେ ରାଜାଙ୍କ କଥା ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନୁହେଁ । ରାଜା ବି କାହିଁକି ଏହି ଯୁବକକୁ ଏତେ ଧନ ଦେବାକୁ ରାଜି ହୋଇଗଲେ କେଜାଣି? ଦରବାରରେ ଉପସ୍ଥିତ ପାତ୍ର-ମନ୍ତ୍ରୀଗଣ ଏହି କଥା ଭାବୁଥାଆନ୍ତି । ସମସ୍ତେ ମଧ୍ୟ ଚାହିଁଥାଆନ୍ତି ଏଥିରେ କାହାର ବିଜୟ ହେବ ଦେଖିବା ପାଇଁ । ଏହାପରେ ରାଜା ଏକାଗ୍ରତକୁ ପାଖରେ ବସାଇ କହିଲେ, “ବାପାରେ! ତୁମେ ନିଜ ଜିଦ୍ରେ ଅଟଳ ହୁଅ ନାହିଁ । ମୁଁ ତ’ ତୁମକୁ ଏକ ହଜାରଟି ଚାନ୍ଦି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ପୁଣି ତୁମେ କାହିଁକି ଅଯଥାଟାରେ ଏତେ ପରିଶ୍ରମ କରି ଏତେ ବାଟ ଚାଲି ଚାଲି ଯିବ । ରାଜାଙ୍କ କଥା ଶୁଣି ଏକାଗ୍ରତ କହିଲା, “ମହାରାଜ ! ମୁଁ ଯଦି ସାରା ଜୀବନ ଆପଣଙ୍କ ଗୁଣଗାନ କରିବି ତା’ ହେଲେ ମଧ୍ୟ ସରିବ ନାହିଁ । କିନ୍ତୁ ମହାରାଜ ସେହି ଟଙ୍କାଟିକୁ ପାଇବା ମୋ ପକ୍ଷେ ନିତ୍ୟାନ୍ତ ଆବଶ୍ୟକ ।”

       ରାଜା ମଧ୍ୟ ଯୁବକର ଅସମ୍ଭବ ଜିଦ୍ ନିକଟରେ ହାରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ । ରାଜା ଏକାଗ୍ରତର ଜିଦ୍ଖୋର ମନୋବୃତି ଦେଖି ରାଗି ଯାଇଥିଲେ ମଧ୍ୟ । ଏହାପରେ ରାଜା ପୁଣି ଶେଷଥର ପାଇଁ ତାକୁ ବୁଝାଇବାକୁ ଯାଇ ରାଜ୍ୟରୁ ଅଧେ ଦେବା ପାଇଁ ରାଜି ହୋଇଗଲେ । ଏହାପରେ ଏକାଗ୍ରତ ବାଧ୍ୟ ହୋଇ ରାଜାଙ୍କ କଥାରେ ‘ହଁ’ ମାରିଲା । ରାଜାଙ୍କର ମଧ୍ୟ ଏକାଗ୍ରତକୁ ରାଜ୍ୟରୁ ଅଧା ଦେବାର କାରଣ ଥିଲା । କାହିଁକି ନା ରାଜାଙ୍କ ମତରେ, ଯେଉଁ ବ୍ୟକ୍ତି ପରିଶ୍ରମୀ ଏବଂ ସବୁ ସମୟରେ ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିବା ପର୍ଯ୍ୟନ୍ତ ଏକନିଷ୍ଠ ହୋଇ କାର୍ଯ୍ୟ କରେ ସେପରି ବ୍ୟକ୍ତି ରାଜ୍ୟ ଶାସନ କରିବା ଉଚିତ୍ । ଯେଉଁ ଲକ୍ଷଣ ରାଜା ଏକାଗ୍ରତ ନିକଟରେ ଦେଖି ପାରିଥିଲେ । ରାଜା ଏକାଗ୍ରତକୁ ଖୁସିରେ କୁଣ୍ଢାଇ ପକାଇ ନିଜ ପୁଅପରି ସ୍ନେହ ଆଦର କରିବାକୁ ଲାଗିପଡିଲେ । ରାଜା ଯେପରି ପ୍ରଥମ ଥର ପାଇଁ ନିଜ ପୁତ୍ରର ଉପସ୍ଥିତିକୁ ଅନୁଭବ କରୁଥାଆନ୍ତି । ରାଜଦରବାରରେ ଉପସ୍ଥିତ ଥିବା ପାତ୍ର-ମନ୍ତ୍ରୀଗଣ ମଧ୍ୟ ରାଜାଙ୍କର ଏପ୍ରକାର ନିର୍ଣ୍ଣୟ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ