ପିତା ଓ ପୁତ୍ର

ପିତା ରୂପୀ ପୁତ୍ର ବିଜୟ ବଜାରରୁ ଘରକୁ ଫେରିବା ବେଳକୁ ମେଘ ଘୋଟି ଚାରିଦିଗ ଅନ୍ଧାରୁଆ ହୋଇଥାଏ । ସେ ଦେଖିଲା ତା’ ଘର ଆଗରେ ପିଲାଟିଏ ଠିଆ ହୋଇ ସିଟି ମାରୁଛି । ତାକୁ ଦେଖି ବିଜୟର ଆନନ୍ଦ ହଠାତ୍ ବହୁତ ବଢିଗଲା । ସେ ତା’ ସାଙ୍ଗ ରଙ୍ଗନାଥ । ବିଜୟ ବି ତା’ ସିଟିର ଉତ୍ତରରେ ସିଟି ବଜାଇବାକୁ ଚେଷ୍ଟା କଲା । କିନ୍ତୁ କୌଣସି ମତେ ତା’ ଅଧରୋଷ୍ଠରୁ ସିଟି ବାହାରିଲା ନାହିଁ । ଏଣୁ ସେ ତା’ ନିଜ ଉପରେ ଖୁବ୍ ରାଗିଗଲା । ଆଉ ଚିତ୍କାର କରି ଡାକିଲା, “ଆରେ ରଙ୍ଗନାଥ!”

                ଏହା ଶୁଣି ରଙ୍ଗନାଥ ତା’ ଆଡେ ଅନାଇଲା । କିନ୍ତୁ ତା’ର ସେ ପୃଥୁଳ, ନିଶୁଆ ଚନ୍ଦା ଚେହେରା ଭିତରେ ସେ ବା ତା’ ସାଥୀକୁ କିପରି ଚିହ୍ନନ୍ତା? ସେ ବରଂ ତା’ ସାଙ୍ଗର ପିତାକୁ ଦେଖି ଭୀଷଣ ଛାନିଆ ହୋଇଗଲା । ଜୟସିଂହ ତ କେତେଥର ତାଙ୍କ ପୁତ୍ର ବିଜୟକୁ ରଙ୍ଗନାଥ ସହିତ ନ ମିଶିବାକୁ ତାଗିଦ୍ କରି ଦେଇଥିଲେ । ମିଶିବା ଯୋଗୁଁ ଥରେ ସେ ବିଜୟକୁ ପିଟିଥିଲେ ବୋଲି ରଙ୍ଗନାଥ ସେକଥା ଜାଣେ । ସେଥିପାଇଁ ରଙ୍ଗନାଥ ସହ ବିଜୟର ଗୋପନରେ ବୁଝାମଣା ହୋଇଥିଲା କି ବିଜୟକୁ ଡାକିବା ପାଇଁ ରଙ୍ଗନାଥ ଗୋଟିଏ ନିର୍ଦ୍ଦିଷ୍ଟ ସ୍ୱରରେ ସିଟି ବଜାଇବ । ବିଜୟ ମଧ୍ୟ ସେ ସିଟିର ଉତ୍ତର ଦେବ ସିଟିରେ ଏବଂ ସଙ୍ଗେ ସଙ୍ଗେ ସେ ତା’ ଘରୁ ବାହାରି ଆସି ପାରିବ କି ନା ତାହା ଜଣାଇଦେବ ।

ବର୍ତ୍ତମାନ ରଙ୍ଗନାଥ ଧରିନେଲା ଯେ ତା’ ସାଙ୍ଗର ବାପା ସିଟିର ସାଙ୍କେତିକ ଅର୍ଥ ବୁଝିଗଲେଣି ଓ ସେଥିପାଇଁ ତା’ ଆଡେ ସେ ମାଡି ଆସୁଛନ୍ତି । ସେ ସଙ୍ଗେ ସଙ୍ଗେ ଦୌଡିବାକୁ ଆରମ୍ଭ କଲା ।

“ଆରେ ରଙ୍ଗୁ! ଦୌଡୁଛୁ କାହିଁକି? କ’ଣ ମୋତେ ଚିହ୍ନି ପାରୁନାହୁଁ?” ବିଜୟ ରଙ୍ଗନାଥକୁ ଏହିପରି ଭାବେ ଡାକିବାକୁ ଲାଗିଲା । କିନ୍ତୁ ରଙ୍ଗନାଥ ସେଥିପ୍ରତି ଯମାରୁ କର୍ଣ୍ଣପାତ ନକରି ସମାନ ଗତିରେ ଦୌଡିବାକୁ ଲାଗିଲା । ବିଜୟ ବି ତା’ ପଛେ ପଛେ ଦୌଡିଲା ।

କିନ୍ତୁ ବିଜୟ ସିନା ନିଜ ଚେହେରା କଥା ଭୁଲି ଯାଇଥିଲା, ମାତ୍ର ଅନ୍ୟମାନଙ୍କ ପାଇଁ ସେ ଜୟସିଂହ । ଜୟସିଂହ ସେଭଳି ଭାବରେ ଦୌଡୁଥିବାର ଦେଖି ଜଣେ ଦୁଇଜଣ ଲୋକ ଖୁବ୍  ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ସେମାନେ କିଛି ନକହି ଖାଲି ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ । ଜୟସିଂହ-ରୂପୀ ବିଜୟ କିଛି ସମୟ ଦୌଡିବା ପରେ ସେ ହାଲିଆ ହୋଇ ଧଇଁସଇଁ ହେଲା । ମାତ୍ର ତା’ ସାଙ୍ଗ ରଙ୍ଗନାଥ ତୀର ଗତିରେ ଦୌଡି ଦୌଡି କେଜାଣି କୁଆଡେ ଅଦୃଶ୍ୟ ହୋଇଗଲା । ବିଜୟ ତ ଦୌଡରେ ତା’ସାଙ୍ଗ ପିଲାମାନଙ୍କଠାରୁ ଅଧିକ ପାରଙ୍ଗମ । ହେଲେ ସେ ଆଜି କାହିଁକି ଦୌଡି ପାରିଲା ନାହିଁ, ହଠାତ୍ ସେଇକଥା ସିଏ ବୁଝିପାରିଲା ନାହିଁ । ତେଣୁ ସେ ଚମ୍କି ପଡି ଠିଆ ହୋଇଗଲା ।

“ଆରେ ଆରେ ଜୟସିଂହବାବୁ! ଏମିତି କାହିଁକି ଦୌଡୁଛନ୍ତି? ପୁଅକୁ ଧରିବାକୁ ଚେଷ୍ଟା କରୁଛନ୍ତି କି?” କେହି ଜଣେ ହଠାତ୍ ଏ ପ୍ରଶ୍ନ କରି ତା’ ବାଟ ଓଗାଳିଲା । ଏସବୁ ଦେଖି ବିଜୟ ଚମକି ପଡି ତା’ ଦୌଡ ବନ୍ଦ କଲା । ତା’ପରେ ସେ କାହାକୁ କିଛି ବି ନ କହି ବାଟ ବଦଳାଇ ନିଜ ଘର ଆଡେ ଚାଲିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ