ମହାଭାରତ

ଦୁର୍ଯ୍ୟୋଧନ ମରଣମୁହଁରୁ ବର୍ତି ଆସିଲେ । ତାଙ୍କ ପାଇଁ ଏହି ଅପମାନ ଦୁଃସହ ଥିଲା । ନିଜର ଲୋକମାନଙ୍କୁ ସଙ୍ଗରେ ନେଇ ସେ ହସ୍ତିନାପୁର ଫେରି ଆସିବା ପଥରେ ଏକ ସରୋବର ପାଶ୍ୱର୍ରେ ବିଶ୍ରାମ ନେବା ପାଇଁ ସେଠାରେ ରହିଲେ ।

                ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା କର୍ଣ୍ଣ ସେଠାରେ ଆସି ପହଁଚିଲେ । ଯୁଦ୍ଧକ୍ଷେତ୍ର ଛାଡି ଚାଲିଯିବା ପରେ, ସେଠାରେ ଘଟିଥିବା ଘଟଣା ସମ୍ପର୍କରେ ସେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ସେ ଦୁର୍ଯ୍ୟୋଧନଙ୍କୁ ପ୍ରଶଂସା କରି କହିଲେ, “ତୁମର ପରାକ୍ରମ ଅତୁଳନୀୟ । ସେହି ଉଦ୍ଧତ ଗନ୍ଧର୍ବମାନଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରି ତୁମେ ହସ୍ତିନାପୁରକୁ ଫେରୁଛ । ମୁଁ ସେମାନଙ୍କର ସମ୍ମୁଖୀନ ହୋଇ ନ ପାରିବାରୁ, ବିକର୍ଣ୍ଣ ରଥରେ ବସି ସେ ସ୍ଥାନ ପରିତ୍ୟାଗ କରି ଏଠାକୁ ଚାଲିଆସିଲି । ପ୍ରକୃତରେ ତୁମପରି ବୀର ଏ ସଂସାରରେ ଆଉ କେହିବି ନାହାଁନ୍ତି ।”

                କର୍ଣ୍ଣଙ୍କର ଏଭଳି ପ୍ରଶଂସାପୂର୍ଣ୍ଣ ବାଣୀ ଦୁର୍ଯ୍ୟୋଧନଙ୍କ ମନରେ ଅଧିକରୁ ଅଧିକ ଆଘାତ ଦେଲା । କୋହ ଭରା ସ୍ୱରରେ ସମସ୍ତ ବିଷୟ ଜଣାଇ ସେ କହିଲେ, “ଯଦି ମୁଁ ଯୁଦ୍ଧରେ ଜୟଲାଭ କରିଥାନ୍ତି, ତେବେ ତ ନିଶ୍ଚୟ ଗୌରବର ଅଧିକାରୀ ହୋଇଥାନ୍ତି । ମୃତ୍ୟୁବରଣ କରିଥିଲେ ବୀରଲୋକ ପ୍ରାପ୍ତ ହୋଇଥାନ୍ତି । କିନ୍ତୁ, ମୋ ଭାଗ୍ୟରେ ଏହା ଜୁଟିଲା ନାହିଁ । ଅପମାନର ବୋଝ ମୁଣ୍ଡେଇ ମୁଁ ହସ୍ତିନାପୁରୀ ଆଉ ଯାଇପାରିବି ନାହିଁ । ପିତାଶ୍ରୀ, ଦ୍ରୋଣ, କୃପାଚାର୍ଯ୍ୟ ଅଶ୍ୱତ୍ଥାମା ଆଦିଙ୍କୁ ମୁଁ ଆଉ ମୋ ମୁହଁ ଦେଖାଇ ପାରିବି ନାହିଁ । ଏଠାରେ ଘଟିଥିବା ଘଟଣା ମଧ୍ୟ ପ୍ରକାଶ କରିପାରିବି ନାହିଁ । ମୋର ଏହି ଜୀବନ ପ୍ରତି ଆଉ କୌଣସି ପ୍ରକାର ମୋହ ନାହିଁ । ମୃତ୍ୟୁର ଆଶ୍ରୟକୁ ଚାଲିଯିବି । ତୁମ୍ଭେମାନେ ଏଇଠୁ ହସ୍ତିନାପୁର ଫେରିଯାଅ । ଦୁଃଶାସନକୁ ରାଜମୁକୁଟ ପିନ୍ଧାଇ, ରାଜ୍ୟଭାର ସମ୍ଭାଳିବାରେ ତାକୁ ସାହାଯ୍ୟ କରିବ । ମୁଁ ଅନ୍ନଜଳ ତ୍ୟାଗ କରି, ପ୍ରାୟୋପବେଶ ମାଧ୍ୟମରେ ପ୍ରାଣ ହାରିଦେବି ।” ଏପରି କହି ଦୁର୍ଯ୍ୟୋଧନ ଓ ଦୁଃଶାସନ ପରସ୍ପର କୋଳାକୋଳି ହୋଇ କାନ୍ଦିବାରେ ଲାଗିଲେ ।

                ସେମାନଙ୍କର ଏପରି କ୍ରନ୍ଦନ ଦେଖି କର୍ଣ୍ଣ ବିରକ୍ତି ପ୍ରକାଶ କଲେ । “ତୁମେ ଦୁଇ ଭାଇ ଏପରି ଶୋକ କରିବା ଦ୍ୱାରା କଣ ମନକୁ ଶାନ୍ତି ମିଳୁଛି । ପାଣ୍ଡବଗଣ ତୁମକୁ ସାହାଯ୍ୟ କରିଛନ୍ତି । ଏହା କରିବା ସେମାନଙ୍କର କର୍ତ୍ତବ୍ୟ, ଯେହେତୁ ସେମାନେ ତୁମର ନାଗରିକ । ତେଣୁ ଏଠାରେ ଅପମାନର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ତୁମର ଏହି ଶୋକ, ଆତ୍ମହତ୍ୟାର ପ୍ରୟାସ, ଅନ୍ୟ ସାମନ୍ତଗଣଙ୍କ ସମ୍ମୁଖରେ ତୁମର କାପୁରୁଷତା, ଭୀରୁତା ପ୍ରତିପାଦିତ କରିବ । ପାଣ୍ଡବମାନେ ସର୍ବହରା ହୋଇ ଅରଣ୍ୟବାସ କରୁଛନ୍ତି । ତେବେ ବି ସେମାନେ ଉପବାସ ଅନଶନ ପରି ନିଷ୍ଫଳ ବିଚାର ମନକୁ ଆଣୁଛନ୍ତି କି?”

                ତାଙ୍କପରେ ଶକୁନି ସାନ୍ତ୍ୱନା ଦେଇ କହିଲେ, “ତୁମେ ଏ କଣ କରିବା ପାଇଁ ଯାଉଛ? ପଶାଖେଳର ଫାଶ ବିଛାଇ ମୁଁ ପାଣ୍ଡବମାନଙ୍କୁ ସର୍ବସ୍ୱାନ୍ତ କରି, ସକଳ ସମ୍ପଦ ତୁମକୁ ଆଣିଦେଲି । ମୋର ସମସ୍ତ ଉଦ୍ୟମ ତୁମେ କ’ଣ ବିଫଳ କରାଇବାକୁ ଚାହୁଁଛ? ଏପରି ନିରର୍ଥକ ବିଚାର ତ୍ୟାଗ କରି, ଆନନ୍ଦରେ ସମୟ ବିତାଅ ।”

                ଦୁର୍ଯ୍ୟୋଧନର ବିରସ ମନକୁ କାହାରି କଥା ଛୁଇଁ ନ ଥାଏ । ଓଲଟି ତାହା ତାଙ୍କୁ ଅଧିକ ପୀଡା ଦେଉଥାଏ । ତେଣୁ ସେ ବଳ୍କଳ ପରିଧାନ କରି, କୁଶାସନ ଉପରେ ବସି ଉପବାସ ବ୍ରତ ଆରମ୍ଭ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ