ସୁବର୍ଣ୍ଣ ମୟୁରୀ

କନକପୁରୀର ଲୋକେ କହୁଥା’ନ୍ତି ଯେ ନିକଟସ୍ଥ ବିନ୍ଧ୍ୟାଚଳର ବନରେ ସୁନାରଙ୍ଗର ଏକ ମୟୁରୀ ଘୂରି ବୁଲୁଛି । ରାଜା ବିଚିତ୍ରସେନଙ୍କର ତ ସମସ୍ତ ଅଦ୍ଭୁତ ଜିନିଷ ରଖିବାର ଅଭ୍ୟାସ ଥିଲା । ସେ ଏକଥା ଶୁଣିବା ମାତ୍ରେ ନିଜର ସୈନ୍ୟସାମନ୍ତ ନେଇ ଅରଣ୍ୟକୁ ଗଲେ ।

                ସେଠାରେ ବିନ୍ଧ୍ୟ ପର୍ବତମାଳାର ପାଦଦେଶରେ ଏକ ଶବର ପଲ୍ଲୀ ଥିଲା । ସେହି ପଲ୍ଲୀର ମୁଖିଆଙ୍କ ସହିତ ରାଜାଙ୍କର ଦେଖା ହେଲା । ସେ ରାଜାଙ୍କୁ ସ୍ୱାଗତ କରି ତାଙ୍କର ଖୁବ୍ ସତ୍କାର କଲେ ଓ ବନକୁ ଆସିବାର କାରଣ ପଚାରିଲେ । ରାଜା କହିଲେ ଯେ ସେ ସୁବର୍ଣ୍ଣ ମୟୁରୀର ସନ୍ଧାନରେ ଆସିଛନ୍ତି ।

                ସୁବର୍ଣ୍ଣ ମୟୁରୀର କଥା ଶୁଣି ସେ ବଡ ଦୁଃଖିତ ହୋଇ କହିଲେ, “ମହାରାଜ, ଆପଣ ଯାହା ଶୁଣିଛନ୍ତି ସତ୍ୟ । କିନ୍ତୁ ଏହି ଅପୂର୍ବ ପକ୍ଷୀ କିଛିଦିନ ହେବ ଏଠାରେ ଆଉ ଦେଖା ଯାଉ ନାହିଁ । ମାସେ ଆଗରୁ ମୋର ଝିଅ ତାକୁ ଧରି ଆପଣଙ୍କୁ ଭେଟି ଦେବାକୁ ଚାହୁଁଥିଲା । ସେଇଥିପାଇଁ ସେ ସେହି ମୟୁରୀଟିର ପଛରେ ଧାଇଁ ଧାଇଁ ଘୋର ବନ ମଧ୍ୟକୁ ଗଲା ଯେ ଆଉ ଲେଉଟି ଆସିଲା ନାହିଁ । ତାକୁ ଖୋଜି ଖୋଜି ଆମେ ମଧ୍ୟ ସାରା ଜଙ୍ଗଲ ବୁଲିଲୁ ହେଲେ ତା’ର କୌଣସି ପତା ପାଇଲୁ ନାହିଁ । କେବଳ ଗୋଟିଏ ସ୍ଥାନରେ ସୁବର୍ଣ୍ଣ ମୟୁରୀର ପୁଚ୍ଛଟିଏ ମାତ୍ର ପଡିଥିଲା ।” ଏତିକି କହି ପଲ୍ଲୀର ମୁଖିଆ ପାଖରେ ଠିଆ ହୋଇଥିବା ଏକ ଯୁବକଙ୍କୁ କ’ଣ ଗୋଟେ ଇସାରା କଲେ । ଯୁବକଟି ତତ୍କ୍ଷଣାତ୍ ଘର ଭିତରୁ ସୁବର୍ଣ୍ଣ ମୟୁରୀର ଚନ୍ଦ୍ରିକାଟିଏ ଆଣି ରାଜାଙ୍କୁ ତାହା ଦେଲା ।

                ବିଚିତ୍ରସେନ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆଶ୍ଚର୍ଯ୍ୟ, ଏପ୍ରକାର ଚନ୍ଦ୍ରିକା ଥିବା ମୟୁର ନିଶ୍ଚୟ ଦେବଲୋକରୁ ଓହ୍ଲାଇ ଆସିଛି । ସେ ଯାହା ବି ହେଉ ମୁଁ କିନ୍ତୁ ମୋ ସୈନ୍ୟସାମନ୍ତ ନେଇ ସେହି ମୟୁରୀଟିକୁ ଖୋଜିବି ଓ ତୁମ ଝିଅକୁ ମଧ୍ୟ ଖୋଜିବି ।” ଏତିକି କହି ରାଜା ଜଙ୍ଗଲକୁ ଚାଲିଗଲେ ।

                ରାଜା ଓ ତାଙ୍କ ସୈନ୍ୟମାନେ ସେହି ମୟୁରୀକୁ ବହୁ ସମୟ ଧରି ଖୋଜି ଖୋଜି ଶେଷରେ କୋଉଠି ହେଲେ ବି ତାକୁ ପାଇଲେ ନାହିଁ । ଏହି ସମୟରେ ଜଣେ ସୈନିକ ଦୌଡି ଆସି କହିଲା, “ମହାରାଜ, ଏହି ଜଙ୍ଗଲର ପଛପଟେ ମୟୁରୀ ଗୋଟିଏ ସାପ ସହିତ ଯୁଦ୍ଧ କରୁଛି ।”

                ଏକଥା ଶୁଣି ରାଜା ସେହି ଦିଗକୁ ନିଜ ଘୋଡା ଛୁଟାଇଲେ, କିନ୍ତୁ ମୟୁରୀଟି ଏକଥା ଦେଖି ପାରି ଚଟକରି ବୁଦା ପଛପଟେ ଯାଇ ଲୁଚିଗଲା । ରାଜା କିନ୍ତୁ ସେମିତି ମୟୁରୀ ପଛରେ ଘୋଡା ଛୁଟାଇ ଥା’ନ୍ତି । ସୈନ୍ୟମାନେ ପଛରେ ଯାଉଛନ୍ତି । ସେ ଉଡିଯାଇ ଏକ ସରୋବର କୂଳରେ ଥିବା କୁଟୀର ମଧ୍ୟରେ ପଶିଗଲା । ରାଜା ମଧ୍ୟ ତା’ ପଛେ ପଛେ ଗଲେ ।

                ଭିତରେ ଯାଇ ଦେଖିଲେ ବୁଢୀଟିଏ ସେହି ମୟୁରୀଟିକୁ ଆଉଁସି ଦେଉ ଦେଉ କହୁଛି, “ପୁଣି କ’ଣ ବିପଦ ପଡିଲା?” ସେତେବେଳକୁ ତ ସଂଧ୍ୟା ହୋଇ ଗଲାଣି, କିନ୍ତୁ ମୟୁରୀର ସୁନ୍ଦର ପକ୍ଷଗୁଡିକ ଆଲୋକ ବିଚ୍ଛୁରିତ କରୁଥା’ନ୍ତି । ଫଳରେ ସେ କୁଟୀର ଆଲୋକିତ ହୋଇଥାଏ ।

                ବୁଢୀକୁ ଚାହିଁ ରାଜା କହିଲେ, “ମାଉସୀ, ଏହି ସୁବର୍ଣ୍ଣ ମୟୁରୀ ପାଇଁ ମୁଁ ଏଠାକୁ ଆସିଛି । ଏଇଟି ମୋତେ ଦେଇ ଦିଅ ଓ ପୁରସ୍କାର ସ୍ୱରୂପ ଏହି ହୀରାର ହାରଟି ନିଅ ।” ଏତିକି କହି ରାଜା ତାଙ୍କ ବେକରୁ ହାରଟି କାଢିଲେ ।

                ବୁଢୀ ରାଜାଙ୍କୁ ଗମ୍ଭୀର ହୋଇ ଚାହିଁ କହିଲା, “ତୁମେ ଏପରି କ’ଣ କହୁଛ? ଏଇଟି ଯେ ମୋର ପୋଷା ମୟୁରୀ । ଯଦି ନିହାତି ଜିଦ୍ କରି କହୁଛ ତେବେ ମୁଁ ତା’ର ପକ୍ଷୀଟିଏ ତୁମକୁ ଦେବି । ସେତିକି ନେଇ ସନ୍ତୁଷ୍ଟ ହୋଇ ଏଠାରୁ ଫେରିଯାଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ