ଶ୍ରୀରାମ ଯେତେବେଳେ ସୁଗ୍ରୀବଙ୍କୁ ରାବଣ ବିଷୟରେ ପଚାରିଲେ, ସେତେବେଳେ ସୁଗ୍ରୀବ ଦୁଃଖପୂର୍ଣ୍ଣ ସ୍ୱରରେ କହିଲେ, “ହେ ରାମ, ରାବଣର ରାଜ୍ୟ ଘର ଇତ୍ୟାଦି ବିଷୟରେ ମୁଁ କିଛି ବି ଆଦୌ ଜାଣେନାହିଁ । ତଥାପି ବି ଏତିକି ମୁଁ କହିପାରେ ଯେ ରାବଣ ଯେଉଁଠି ଥିଲେ ମଧ୍ୟ ମୁଁ ତା’ବିଷୟରେ ଖବର ସଂଗ୍ରହ କରି ସୀତା ଦେବୀଙ୍କୁ ଫେରାଇ ଆଣିବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି । ଏ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ମୁଁ ମଧ୍ୟ ମୋର ପତ୍ନୀକୁ ହରାଇଛି ଓ ଦୁଃଖୀ । ତେଣୁ ମୁଁ ଆପଣଙ୍କ ଦୁଃଖ ଗଭୀର ଭାବରେ ହୃଦୟଙ୍ଗମ କରି ପାରିଛି । ତେବେ କାର୍ଯ୍ୟଟି ଏତେ ସହଜ ନୁହେଁ । ସେଥିପାଇଁ ଟିକେ ସମୟ ଲାଗିବ । ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ।”
ସୁଗ୍ରୀବଙ୍କଠାରୁ ସାନ୍ତ୍ୱନାବାଣୀ ଶୁଣି ଶ୍ରୀରାମ କହିଲେ, “ମିତ୍ର, ତୁମର ସାନ୍ତ୍ୱନା ବାକ୍ୟ ଗୁଡିକ ଯଥାର୍ଥ ମିତ୍ରତାର ପରିଚୟ ଦିଏ । ମୋର ଏପରି ଦୁଃଖ ସମୟରେ ତୁମପରି ଏକ ମିତ୍ର ପାଇବା ଭାଗ୍ୟର କଥା । ମୋର ବିଶ୍ୱାସ ହେଉଛି ଯେ ତୁମର ମନ୍ତ୍ରୀଗଣ ଚେଷ୍ଟା କଲେ ରାବଣ ସୀତାଙ୍କୁ କେଉଁଠି ରଖିଛି ସେ ସ୍ଥାନ ଠାବ କରିପାରିବେ । ତୁମର ଦୁଃଖ ମଧ୍ୟ ମୁଁ ବୁଝିଛି । ନିଃସନ୍ଦେହ ଭାବରେ ଜାଣିରଖ ଯେ ମୁଁ ଯେପରି ହେଉ ସେ ଦୁରାଚାରୀ ବାଳୀକୁ ନିଶ୍ଚୟ ମାରିବି । ଏକଥା ମୋର ତ୍ରିବାର ସତ୍ୟ । ମୁଁ ଜାଣେ ବାଳୀ ଖୁବ୍ ବଳଶାଳୀ । ତେବେ ମୋ ପାଇଁ ତାକୁ ମାରିବା ସେମିତି କିଛି କଠିନ କାମ ନୁହେଁ । ସୀତା ସ୍ୱୟମ୍ବର ସମୟରେ ଶିବ ଧନୁ କେହି ମଧ୍ୟ ଉଠାଇ ପାରି ନଥିଲେ । ମୁଁ କିନ୍ତୁ ସେହି ଧନୁକୁ ଅବଲୀଳାକ୍ରମେ ଭାଙ୍ଗି ଦେଇଥିଲି । ତେଣୁ ବାଳୀବଧ ବିଷୟରେ ତୁମେ ନିଶ୍ଚିନ୍ତ ରୁହ ।”