ଅଭିନବ ବିବାହ

ସୁବର୍ଣ୍ଣପୁରୀ ରାଜ୍ୟର ରାଜା ଧର୍ମବର୍ଦ୍ଧନଙ୍କର ଏକମାତ୍ର କନ୍ୟା ସନ୍ତାନ ସ୍ୱର୍ଣ୍ଣମୁଖୀ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ଥିଲେ । ତାଙ୍କୁ ପତ୍ନୀରୂପେ ପାଇବାକୁ ଅନେକ ଯୁବରାଜ ମନରେ ଆଶା ପୋଷଣ କରିବା ସମୟରେ, କୌଣ୍ଡିଲ୍ୟପୁରୀର ରାଜା ନିଜେ ବିବାହ କରିବା ପାଇଁ ପ୍ରସ୍ତାବ ପଠାଇଲେ । ଏବେ ତ ପୁଣି ବିବାହିତ ବୟସ ମଧ୍ୟ ବହୁତ । ସେ ଅବଶ୍ୟ ବଳଶାଳୀ ଥିଲେ ଓ ତାଙ୍କରାଜ୍ୟ ମଧ୍ୟ ଅନେକ ବଡ ଥିଲା ।

                ମାତ୍ର ଧର୍ମବର୍ଦ୍ଧନ ତାଙ୍କର ଏହି ପ୍ରସ୍ତାବକୁ ଆଦୌ ସ୍ୱୀକାର କଲେ ନାହିଁ । ସେହି ରାଜାଙ୍କ ନାମ ଥିଲା ସର୍ପଦଂଷ୍ଟ୍ର, ତାଙ୍କ ସ୍ୱଭାବ ମଧ୍ୟ ଠିକ୍ ସର୍ପ ପରି । ଅହଂକାର ଓ ଦୁଷ୍ଟବୁଦ୍ଧିରେ ସେ ପୂର୍ଣ୍ଣଥିଲେ । ଧର୍ମବର୍ଦ୍ଧନ ପ୍ରସ୍ତାବ ଅସ୍ୱୀକାର କରନ୍ତେ, ତାଙ୍କୁ ତାହା ବଡ ଅପମାନଜନକ ବୋଧହେଲା । ସେ ତୁରନ୍ତ ନିଜ ସୈନ୍ୟମାନଙ୍କୁ ନେଇ ସୁବର୍ଣ୍ଣପୁର ଆକ୍ରମଣ କଲେ ଓ ଜିତିଲେ ମଧ୍ୟ, ସେ ରାଜା ଓ ରାଣୀଙ୍କୁ ନେଇ କାରାଗାରରେ ଭର୍ତ୍ତି କଲେ ।

ତା’ପରେ ସର୍ପଦଂଷ୍ଟ୍ର ସ୍ୱର୍ଣ୍ଣମୁଖୀଙ୍କ ପାଖକୁ ଆସି କହିଲେ, “ତୁମର ଅପରୂପ ସୌନ୍ଦର୍ଯ୍ୟରେ ମୁଁ ମୋହିତ, ତୁମେ ମୋର ପ୍ରସ୍ତାବ ସ୍ୱୀକାର କଲେ ଭଲ, ନକଲେ ମୁଁ ବଳପୂର୍ବକ ତୁମକୁ ବିବାହ କରିବି ।”

ସର୍ପଦଂଷ୍ଟ୍ରର ଏପରି କଥା ଶୁଣି ସ୍ୱର୍ଣ୍ଣମୁଖୀ ରାଗିଯାଇ କହିଲେ, “ଗୋଟିଏ କଥା ମନେ ରଖ । କୌଣସି ଫୁଲର କଳିକାକୁ ବଳପୂର୍ବକ ଫୁଲକରି ଫୁଟାଇ ହୁଏ ନାହିଁ । ତୁମେ ମହା ମୂର୍ଖ । ମୁଁ ତୁମକୁ କେବେ ମଧ୍ୟ ବିବାହ କରିବି ନାହିଁ । ବରଂ କୌଣସି ରାକ୍ଷସକୁ ବିବାହ କରିବି ହେଲେ ତୁମକୁ ଆଦୌ ନୁହେଁ ।”

ସ୍ୱର୍ଣ୍ଣମୁଖୀଙ୍କ ଏଭଳି ଉତ୍ତର ଶୁଣି ସେ ରାଗରେ ଚିତ୍କାର କରି କହିଲେ, “ମୁଁ ତୁମକୁ ମାସେ ସମୟ ଦେଉଛି । ଯଦି ନିଜେ ବୁଝିଯିବ ତ ଠିକ୍ । ନହେଲେ ମୁଁ ବାଧ୍ୟ ହୋଇ ସବୁକିଛି ବଳପୂର୍ବକ କରିବି । ତମ ପିତାମାତାଙ୍କୁ ମୃତ୍ୟୁଦଣ୍ଡ ଦେବି ।” ଏତିକି କହି ସେ ସେଠାରୁ ଚାଲିଗଲେ । ସେ ସେଠାରୁ ଯିବା ପରେ ପରେ ଜଣେ ରାକ୍ଷସ ଆସି ସେଠାରେ ପହଁଚିଲା, ରାକ୍ଷସକୁ ଦେଖି ସ୍ୱର୍ଣ୍ଣମୁଖୀ ଆଗ ହଠାତ୍ ଚମକି ପଡିଲେ । ତା’ପରେ ରାକ୍ଷସ କହିଲା, “ମୋର ନାମ କଂଚୁକ । ମୁଁ ଏଠାରେ ଅଦୃଶ୍ୟ ରୂପରେ ବୁଲୁଥିଲି ତ ତୁମର କଥା ମୋ କାନରେ ପଡିଲା । ତୁମେ ଚାହଁ ତ ମୋ ସହିତ ବିବାହ କରିପାର ।” କଂଚୁକର କଥା ଶୁଣି ସ୍ୱର୍ଣ୍ଣମୁଖୀ ବଡ ଆଶ୍ଚର୍ଯ୍ୟ ହେଲେ । ସେ କହିଲେ, “ମୁଁ ତ ଏମିତି ରାଗିକରି କହିଦେଇଥିଲି । ହେଲେ ତୁମେ କିପରି ବିଶ୍ୱାସ କରୁଛ ଯେ ମୁଁ ତୁମକୁ ବିବାହ କରିବି ବୋଲି? ରାକ୍ଷସ ଓ ମାନବ ମଧ୍ୟରେ କିମତି ସମ୍ବନ୍ଧ ହୋଇ ପାରିବ?” କଂଚୁକ ପଚାରିଲା “ତମେ ଜଣେ ରାଜକୁମାରୀ । ନିଜକଥା ରକ୍ଷାକରି ପାରୁନାହଁ ଏହା ଅତ୍ୟନ୍ତ ଅଶୋଭନୀୟ । ଏହା କ’ଣ କ୍ଷତ୍ରୀୟ କନ୍ୟାର କୁଳୀନତା?” ସ୍ୱର୍ଣ୍ଣମୁଖୀ ଏଥର ବଡ ଅସୁବିଧାରେ ପଡିଲେ । ଗୋଟିଏ ଦିଗରେ ସର୍ପଦଂଷ୍ଟ୍ର ପରି କ୍ରୁର ବ୍ୟକ୍ତି ଏବଂ ଅନ୍ୟ ଦିଗରେ ସେ ରାକ୍ଷସ ଏହା ଭାବି ସେ କିଂକର୍ତ୍ତବ୍ୟବିମୁଢ ହୋଇ ପଡିଲେ । ଶେଷକୁ ସେ କହିଲେ, “ଠିକ୍ ଅଛି ମୁଁ ତୁମ ସହିତ ବିବାହ କରିବି, କିନ୍ତୁ ମୋର ତିନିଟି ସର୍ତ୍ତ ଅଛି । ବିବାହ ପୂର୍ବରୁ ତାକୁ ପୁରଣ କରିବାକୁ ହେବ ।” କଂଚୁକ ପଚାରିଲା – ସର୍ତ୍ତ? ତାହା କିପ୍ରକାରର? ସ୍ୱର୍ଣ୍ଣମୁଖୀ କହିଲେ “ପ୍ରଥମସର୍ତ୍ତ – ତୁମେ ମାଂସ ଭକ୍ଷଣ ଛାଡିଦେବ । ଦ୍ୱିତୀୟସର୍ତ୍ତ – ତୁମର ହିଂସାପ୍ରବୃତିକୁ ଛାଡିଦେବ । ତୃତୀୟସର୍ତ୍ତ – ଆମ ରାଜ୍ୟରେ ଗୋଟିଏ ପାହାଡ ନଦୀ ସ୍ରୋତକୁ ବନ୍ଦ କରୁଛି । ତେଣୁ ବହୁତ ପାଣି ନଷ୍ଟ ହେଉଛି । ତୁମେ ସେହି ପାହାଡଟିକୁ ଭାଙ୍ଗିଦେଲେ ଆମ ଦେଶ ଫୁଲଫଳରେ ଭରି ଉଠିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ