ସ୍ୱଭାବ

ତିରୁବଲ୍ଲୁବର ହେଉଛନ୍ତି ଦକ୍ଷିଣ ଭାରତର ଜଣେ ମହାନ ସନ୍ଥ । ନିଜର ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କୁ ଆପଣାର କରିପାରିଥିଲେ । ନିଜର ଜୀବିକା ନିର୍ବାହପାଇଁ ସେ ପ୍ରଥମେ ଗୋଟିଏ ଲୁଗା ଦୋକାନ କରିଥିଲେ । ଏହା ସେହି ସମୟର କଥା ।

                ଥରେ ଜଣେ ଉଦ୍ଧତ ସ୍ୱଭାବର ଯୁବକ ତାଙ୍କ ଦୋକାନରେ ପହଁଚି ଭାବିଲା, ସେ ତିରୁବଲ୍ଲୁବରଙ୍କୁ ହଇରାଣ କରିବେ; ଯାହାଫଳରେ କି ସେ ନିଶ୍ଚୟ କ୍ରୋଧର ବଶବର୍ତ୍ତୀ ହେବେ । ଏହା ଭାବି ସେ ନିଜ ହାତରେ ଧୋତିଟିଏ ଧରି ପଚାରିଲା, “ଏହାର ଦାମ୍ କେତେ?”

                ତିରୁବଲ୍ଲୁବର ଉତ୍ତର ଦେଲେ, “ପାଞ୍ଚ ଟଙ୍କା” । ଯୁବକଟି ସେହିକ୍ଷଣି ସେହି ଧୋତିଟିକୁ ଦୁଇଫାଳ କରି ଚିରିଦେଇ ପଚାରିଲା ବର୍ତ୍ତମାନ ଏହାର ଦାମ୍ କେତେ?”

ତିରୁବଲ୍ଲୁବର ଉତ୍ତର ଦେଲେ, “ଅଢେଇ ଟଙ୍କା” ।

ଏହାପରେ ସେ ଯୁବକଟି ଧୋତିଟିକୁ ଖଣ୍ଡଖଣ୍ଡ କରି ତାର ଦାମ୍ ପଚାରିବାକୁ ଲାଗିଲା । ଶେଷରେ ଚିରିଯାଇଥିବା ଧୋତିର ଟିକିଟିକି ଅଂଶକୁ ଏକାଠି କରି ଯୁବକଟି ତିରୁବଲ୍ଲୁବରଙ୍କ ଆଗରେ ଥୋଇଦେଲା ଏବଂ ତାଙ୍କ ଉପରକୁ ପାଞ୍ଚ ଟଙ୍କା ଫୋପାଡି ସେ ଚାଲି ଯାଉଥିଲା । ଏହା ଦେଖି ତିରୁବଲ୍ଲୁବର ସେ ଯୁବକକୁ ତା’ର ପାଞ୍ଚ ଟଙ୍କା ଫେରେଇଦେଇ କହିଲେ, “ଭାଇ! ତମର ଯଦି ଧୋତି ଦରକାର ତ ତେବେ ଖଣ୍ଡିଏ ନେଇଯାଅ । ଆଉ ଯଦି ଦରକାର ନାହିଁ ତ ଏ ଟଙ୍କା ନିଜ ପାଖରେ ରଖ । ଅଯଥାରେ ଟଙ୍କା ଦେଇଗଲେ ଘରେ ତୁମ ବାପା ରାଗିବେ ।”

ଏକଥା ଶୁଣି ସେ ଯୁବକଟି ସନ୍ଥଙ୍କ ପାଦତଳେ ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ