ବନ୍ଧୁତା

ପ୍ରତାପ ବାରବର୍ଷର ବାଳକ । ଘରେ ସମସ୍ତ କାମରେ ବଡମାନଙ୍କୁ ସେ ଖୁବ୍ ସାହାଯ୍ୟ କରେ । ଏପରିକି ପଡୋଶୀମାନଙ୍କର କିଛି ଦରକାର ପଡିଲେ, ସେ ତାଙ୍କୁ ଖୁସିରେ ଯାଇ ସାହାଯ୍ୟ କରେ । ଖାଲି ସେଇଥିପାଇଁ ସେ ସମସ୍ତିଙ୍କର ଅତି ପ୍ରିୟ । ସମବୟସ୍କ ନରେନ୍ଦ୍ର ତା’ର ଘନିଷ୍ଠ ବନ୍ଧୁ ।

                ନରେନ୍ଦ୍ରର ଘର ପ୍ରତାପର ଘରକୁ ଲାଗିଛି । ନରେନ୍ଦ୍ର ଧନୀ ଘରର ପିଲା । ତେଣୁ ସେ ଅତ୍ୟନ୍ତ ଅୟସରେ ବଢିଛି । କାମ ଦାମ କିଛି କରେ ନାହିଁ ବା କାହାକୁ କିଛି ସାହାଯ୍ୟ ମଧ୍ୟ ସେ କରେ ନାହିଁ । ସଦାବେଳେ ସେ ପ୍ରତାପର ଘରେ ଥାଏ, କିନ୍ତୁ ଦିନେ ହେଲେ ପ୍ରତାପକୁ ସେ ନିଜ ଘରକୁ ଡାକେ ନାହିଁ ।

ଦିନେ ସେହି ଗ୍ରାମର କେତେକ ବାଳକ ବାଗୁଡି ଖେଳୁଥିଲେ । ଖେଳି ଖେଳି ଥକା ହୋଇ ଯିବା ପରେ ଗଛମୂଳେ ବସି ସେମାନେ ଗପସପ କରୁଥିଲେ ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ମିଠାଇ ବିକ୍ରି କରିବା ନିମନ୍ତେ ସେଠାକୁ ଆସିଲା ।

ଏଥରକ ସେ ନୂଆ ପ୍ରକାରର ମିଠାଇ ଆଣିଛି । ପିଲାମାନେ ତା’ଠୁ ମିଠାଇ କିଣି ଖାଇଲେ । କେବଳ ନରେନ୍ଦ୍ର ଚୁପ୍ କରି ବସି ରହିଲା । ପ୍ରତାପ ପଚାରିଲା, “କ’ଣ ତୁମ ପାଖରେ ପଇସା ନାହିଁ?”

ନରେନ୍ଦ୍ର କହିଲା “ମୁଁ ଜାଣେ ନାହିଁ ଯେ ପଇସାର ଦରକାର କେବେ ପଡିବ । ପଇସା ପାଖରେ ଥିଲେ ମଧ୍ୟ ବାହାରଖାଦ୍ୟ ନ ଖାଇବାକୁ ମା’ କହିଛନ୍ତି । ତେଣୁ ମୁଁ ଖାଉ ନାହିଁ ।”

ପ୍ରତାପ କହିଲା “ତୁମେ ମିଠାଇ କିଣି ଖାଉଛ ବୋଲି ଘରଲୋକ ଜାଣିବେ ବା କିପରି? ମୋ କଥା ମାନ, ତୁମେ ମିଠାଇ କିଛି କିଣି ଆମ ସାଥିରେ ବସି ଖାଅ ।”

ନରେନ୍ଦ୍ର କହିଲା “ମୋ ମା ଠିକ୍ ଜାଣନ୍ତି ଯେ ମୋ ପାଖରେ କେତେ ପଇସା ଅଛି; ଘରକୁ ଫେରିବା ପରେ ପଚାରିବେ ପଇସା ଗଲା କୁଆଡେ?”

ପ୍ରତାପ ପଚାରିଲା, “କହିଦେବ ଯେ କୌଣସି ଭିକାରୀକୁ ଦେଇଛ ତୁମ ଘରଲୋକ କ’ଣ ତୁମକୁ ବିଶ୍ୱାସ କରିବେ ନାହିଁ?”

ନରେନ୍ଦ୍ର କହିଲା “ହଁ ବିଶ୍ୱାସ ତ କରିବେ, ତେବେ ମୋର ଜେଜେମା କୁହନ୍ତି ଆଦୌ ମିଛ କହିବ ନାହିଁ । ମୁଁ ତାଙ୍କ କଥା ବହୁତ ମାନେ ।”

ପ୍ରତାପ ଦୁଃଖିତ ହୋଇ କହିଲା “ଦେଖ, ମୋ ପାଖରେ ଅଧିକା ପଇସା ଅଛି । ମୁଁ କିଣି କରି ଦେଇ ପାରିବି, କିନ୍ତୁ ତମେ ଖାଇବ କି ନାହିଁ, ତୁମର ମା’ତ ମନା କରିଛନ୍ତି ।”

ନରେନ୍ଦ୍ର କହିଲା “ତୁମେ କିଣି ଦେଲେ ମୁଁ ତ ତାହା ନିଶ୍ଚୟ ଖାଇବି । କାରଣ ମୋର ପଇସା ତ ଆଉ କମ୍ ହେବ ନାହିଁ । ଆଉ ମୋତେ ବି ମିଛ କହିବାକୁ ପଡିବ ନାହିଁ ।”

ପ୍ରତାପ ତାକୁ ମିଠାଇ କିଣି ଦେଲା । ସେସବୁ ନରେନ୍ଦ୍ର ଖାଇ ବଡ ଖୁସି ହୋଇ କହିଲା, “ତୁମରି ଯୋଗୁଁ ମୁଁ ଆଜି ମିଠାଇ ଖାଇ ପାରିଲି । କିନ୍ତୁ ଏକଥା ଯେପରି କେହିବି ନ ଜାଣନ୍ତି । ଏମିତିଆକି ତୁମେ ତୁମ ମା’ଙ୍କୁ ମଧ୍ୟ ଏକଥା କେବେବି କହିବ ନାହିଁ । କାରଣ ସେ ହୁଏତ ସେମାନଙ୍କୁ କହିଦେବେ ।”

ଆଉ ଦିନେ ନରେନ୍ଦ୍ରର ବାପମା କୁଆଡେ ଯିବାକୁ ବାହାରି ଥା’ନ୍ତି । ସେମାନେ ପ୍ରତାପକୁ ଡାକି କହିଲେ, “ପୁଅ, ଆମେ ଦୁଇଘଂଟା ବାହାରେ ରହିବୁ । ତୁ ଟିକିଏ ନରେନ୍ଦ୍ର ସହିତ ରହି ଖେଳୁଥା’ । ସେ ଏକେଲା ଅଛି ।”

ଏପର୍ଯ୍ୟନ୍ତ ତ ପ୍ରତାପ ନରେନ୍ଦ୍ରର ଘର ଦେଖି ନଥିଲା । ଏବେ ସେଠାକାର ଐଶ୍ୱର୍ଯ୍ୟ ଦେଖି ସେ ପୁରାପୁରି କାବା ହୋଇଗଲା । ସେଠାରେ ବହିରେ ପୂର୍ଣ୍ଣ ଆଲମାରୀ, ନାନାପ୍ରକାର ଖେଳନା ଓ ସଜାଇବାର ଜିନିଷସବୁ ଅଛି ।

ନରେନ୍ଦ୍ର କହିଲା “ଏସବୁ ଜିନିଷ ମୋ ପାଇଁ ମୋ ଘରେ ରଖା ହୋଇଛି । ଏଇଥିରେ ମୋର ସବୁ ସମୟ କଟେ । କିନ୍ତୁ ମୁଁ ତୁମ ସହିତ ଯେତେସମୟ ରହେ, ମୋତେ ଖୁବ୍ ଆନନ୍ଦ ମିଳେ ।”

ତା’କଥା ଶୁଣି ପ୍ରତାପ ଖୁସି ହୋଇ କହିଲା, “ତୁମ ଆଲମାରୀରେ ତ ଏତେ ଖେଳନା? ଏତେ ପୁସ୍ତକ? ମୁଁ ସେଗୁଡିକ ଦେଖିବାକୁ ଚାହେଁ ।”

ନରେନ୍ଦ୍ର କହିଲା “ଶୁଣ, ସେସବୁ ଜିନିଷ କେହି ବି ଛୁଅନ୍ତି ନାହିଁ । ବାପା କହିଛନ୍ତି ଯେ “ଆଲମାରୀର ଜିନିଷ ବାହାର ଲୋକ ଧରିଲେ ସବୁ ନଷ୍ଟ ହୋଇଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ