ହଠାତ୍ ରାଜାଙ୍କର କ’ଣ ଖିଆଲ ହେଲା କେଜାଣି, ସେ ତାଙ୍କ ଦରବାରର ଅମାତ୍ୟମାନଙ୍କୁ ପଚାରିଦେଲେ, “ଆଚ୍ଛା କହିଲ ଦେଖି, ସବୁଠାରୁ ବେଗବାନ ପ୍ରାଣୀ କିଏ?” ତା’ପରେ ଭିନ୍ନ ଭିନ୍ନ ଅମାତ୍ୟ ଭିନ୍ନ ଭିନ୍ନ ଉତ୍ତର ଦେଲେ । ସେଥିରେ ରାଜାଙ୍କ କୌତୁହଳ ବଢିଲା ସିନା, ମାତ୍ର କମିଲା ନାହିଁ ।
ବୟସ୍ୟ କହିଲା “ମଣିମା! ମୁଁ ହେଲି ସବୁଠାରୁ ବେଗବାନ୍ ପ୍ରାଣୀ!”
ତାଙ୍କ କଥାରେ ରାଜା ଗମ୍ଭୀର ଭାବରେ କହିଲେ “ଚୁପ୍! ମୁଁ ମୋ ପ୍ରଶ୍ନର ଖାଂଟି ଉତ୍ତର ଚାହେଁ!”
ବୟସ୍ୟ କହିଲା “ମଣିମା! ମୁଁ ଖାଂଟି କଥା ହିଁ କହୁଛି । ଥରେ ମୁଁ ଗୋଟାଏ ହରିଣ ଓ ଗୋଟାଏ ଘୋଡାକୁ ଦୌଡିବାରେ ବଳି ଯାଇଥିଲି!”
ରାଜା ଟିକିଏ ବିରକ୍ତ ହୋଇ କହିଲେ “ବକ୍ ବକ୍ ହୁଅନା! ତମ କଥାରେ କିଏ ପରତେ ଯିବ?”
ବୟସ୍ୟ ଯୋର୍ ଦେଇ କହିଲା “ମଣିମା! ମୋ ଭିତରେ ଯେଉଁ ଗୁଣଟିଏ ଅଛି, ତାହା ଆପଣଙ୍କ ଭିତରେ ନାହିଁ ବୋଲି ଆପଣ ମୋ କଥାକୁ ମୋଟେ ବିଶ୍ୱାସ କରି ପାରୁ ନାହାଁନ୍ତି!”
ତା’ର ଏଭଳି ମନ୍ତବ୍ୟରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।
ରାଜା ପଚାରିଲେ “ତମେ କି ଗୁଣ କଥା କହୁଛ?”
ବୟସ୍ୟ ଉତ୍ତର ଦେଲା “ମହାରାଜ! ଥରେ ମୋତେ ଗୋଟାଏ ପାଗଳା କୁକୁର ଗୋଡାଇଲା । ମୁଁ ପ୍ରାଣ ବିକଳରେ ଦୌଡିବାକୁ ଯାଇ ଘୋଡା ଓ ହରିଣକୁ ବଳିଗଲି । କଥା ହେଲା, ମୋ ଭିତରେ ଥିବା ଭୟ ଗୁଣ ଆପଣଙ୍କଠିଁ ନାହିଁ । ତେଣୁ ଆପଣ ବା ମୋ କଥାରେ କିପରି ପରତେ ଯାଆନ୍ତେ?”