ରହସ୍ୟମୟ ଋଷି

ନିଶା ଗରଜୁଥାଏ । ଏଣେ ଠିକ୍ ସେହି ସମୟରେ ତୁହାକୁ ତୁହା ବର୍ଷା ବି ହେଉଥାଏ । ଶୀତଳ ପବନରେ ଗଛଲତାମାନେ ସତେ ଯେପରି ଥରି ଯାଉଥାନ୍ତି । ଭୀଷଣ ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ସବୁ ଶୁଭୁଥାଏ । ତାସହିତ ପୁଣି ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ମଧ୍ୟ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ କ୍ଷଣିକ ପାଇଁ ମଧ୍ୟ ବିଚଳିତ ବୋଧ ନକରି ପୂନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ତଥା ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ ଜଣକ କହିଲା, “ରାଜା! ତୁମେ କେଉଁ ପ୍ରକାର ଆଶା ଦ୍ୱାରା ପ୍ରେରିତ ହୋଇ ଏଭଳି ଦୁର୍ଯୋଗପୂର୍ଣ୍ଣ ରାତିରେ ଏଠାକୁ ଆସି ଏକାମ କରୁଛ, ତାହା ତ ମୁଁ ଜାଣେ ନା । ରାଜାମାନେ ତ ଅନେକ ସମୟରେ ଖାମ୍ଖିଆଲି ଭାବରେ କାମ କରନ୍ତି । ଏଇ ଧରାଯାଉ ରାଜକୁମାର ଶିବଦତଙ୍କ କଥା । ଏବେ ମୁଁ ତୁମକୁ ତାଙ୍କ ବିଷୟରେ ଏକ କାହାଣୀ କହୁଛି । ମୋକଥା ତୁମେ ମନଦେଇ ଶୁଣ । କାହିଁକିନା ତାହା ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏହାପରେ ସେ ବେତାଳ ଗପିଲା: ଅତୀତରେ ନୀଳସାଗର ନାମକ ଏକ ସମୃଦ୍ଧ ରାଜ୍ୟ ଥିଲା । ଅଗ୍ନିଦତ ସେଠାକାର ରାଜା ଥିଲେ । ତାଙ୍କର ଦୁଇପୁଅ ଥିଲେ । ସେମାନେ ହେଲେ ଶିବଦତ ଓ ଶାନ୍ତିଦତ । ସେ ଦୁଇ ରାଜପୁତ୍ର ସତ୍ ଓ ଗୁଣବାନ୍ ଥିଲେ । ତେବେ ବଡ ରାଜପୁତ୍ର ବିନୟୀ ଓ ଦୟାଳୁ ଥିଲେ, ତେଣୁ ସମସ୍ତେ ଶିବଦତଙ୍କୁ ବିଶେଷ ଶ୍ରଦ୍ଧା କରୁଥିଲେ ।

ରାଜା ଠିକ୍ କଲେ, ସେ ଶିବଦତଙ୍କୁ ଯୁବରାଜ ରୂପେ ଅଭିଷିକ୍ତ କରିବେ । ରାଜାଙ୍କର ଭାରି ଇଚ୍ଛା ଥିଲା ଯୁବରାଜ ତାଙ୍କ ରାଜ୍ୟର ପ୍ରତିରକ୍ଷା ବିଭାଗର ଦାୟିତ୍ୱ ନେବେ ବୋଲି, କାରଣ ନୀଳସାଗର ରାଜ୍ୟର ପ୍ରତିବେଶୀ ସୁରଯପୁରର ରାଜା ଅନେକ ଦିନରୁ ନୀଳସାଗର ଦଖଲ କରିନେବାକୁ ଇଚ୍ଛା କରୁଥିଲେ ।

ରାଜା ମନ୍ତ୍ରୀଙ୍କ ହାତରେ ବଡ ରାଜକୁମାରଙ୍କ ପାଖକୁ ଏ ଶୁଭ ଖବର ପଠାଇଲେ । କିନ୍ତୁ ରାଜକୁମାର କହିଲେ କି ସେ ଯୁବରାଜ ବା ରାଜା ହେବାରେ ଆଦୌ ଆଗ୍ରହୀ ନୁହଁନ୍ତି! ମନ୍ତ୍ରୀ କହିଲେ, “ରାଜକୁମାର! ଆପଣ ଏ କ’ଣ କହୁଛନ୍ତି? ରାଜ୍ୟର ସବୁ ଲୋକେ ତ ସେହି ଦିନକୁ ହିଁ ଅପେକ୍ଷା କରିଛନ୍ତି, ଯେଉଁଦିନକି ଆପଣ ସେମାନଙ୍କର ଯୁବରାଜ ହେବେ!”

ଶିବଦତ ପ୍ରଶ୍ନ କଲେ “ସେଥିପାଇଁ ମୁଁ ବା କ’ଣ କରିବି?”

ତହୁଁ ମନ୍ତ୍ରୀ କହିଲେ “ରାଜକୁମାର! ଆପଣ ଯୁବରାଜ ହେବାକୁ ଅସ୍ୱୀକାର କରୁଛନ୍ତି, ଏହା ଜାଣିଲେ ସୁରଯପୁରର ରାଜା ଆମ ରାଜ୍ୟ ଆକ୍ରମଣ କରିବାର ଲୋଭ ଆଉ ସମ୍ବରଣ କରିପାରିବେ ନାହିଁ ।”

ତାଙ୍କ କଥା ଶୁଣି ଶିବଦତ ନିଷ୍ପୃହ ଭାବରେ ପୁଣି କହିଲେ “ମୁଁ ସେଥିପାଇଁ ଏବେ କ’ଣ କରିବି?” ତା’ପରେ ସେ ତାଙ୍କ ଅନୁଜ ତଥା ଶାନ୍ତିଦତଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରିବା ନିମନ୍ତେ ପରାମର୍ଶ ଦେଲେ ।

ଏହା ଶୁଣି ସେ ରାଜା ବିରକ୍ତ ହେଲେ । ଏହାପରେ ସେ ଶିବଦତଙ୍କୁ ଡାକି କହିଲେ; “ତମେ ଯୁବରାଜ ହେଲେ ଯାଇ ମୋତେ ପରାମର୍ଶ ଦେବାର ଅଧିକାର ପାଇବ, ମାତ୍ର ତହିଁ ପୂର୍ବରୁ ନୁହେଁ । ଶୁଣ ବତ୍ସ, ମୋର ବଡ ପୁଅ ଭାବରେ ଯୁବରାଜ ହେବାର କେବଳ ଆଉ କେବଳ ତୁମର ହିଁ କର୍ତ୍ତବ୍ୟ । ରାଜା ହିସାବରେ କିଏ ଯୁବରାଜ ହେବ, ତାହା ଠିକ୍ କରିବାର କର୍ତ୍ତବ୍ୟ ହେଉଛି ମୋର । ମୁଁ ତମକୁ ମନୋନୀତ କରିଛି । ଅତେବ ତୁମେ ଅଭିଷେକ ପାଇଁ ପ୍ରସ୍ତୁତ ହୁଅ ।”

ପରଦିନ ଦେଖାଗଲା, ଶିବଦତ ପ୍ରାସାଦ ଛାଡି କୁଆଡେ ଚାଲିଯାଇଛନ୍ତି ।

ଏହା ଶୁଣି ସେ ରାଜା ଅତ୍ୟନ୍ତ ମର୍ମାହତ ହେଲେ । ରାଣୀ ବି ଆଉ ଖିଆପିଆ କଲେ ନାହିଁ । ଫଳରେ ଦରବାର ତଥା ପ୍ରାସାଦ ଉପରେ ଦୁଃଖର ଛାୟା ଘୋଟିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ