ମାଡ

କୁମାର ଥିଲା ରାଘବର ପୁଅ । ବାପ ତା’ ପୁଅକୁ ଟିକିଏ ହେଲେ ମଧ୍ୟ ଭଲପାଏ ନାହିଁ । କୁମାର ଯେତେ କାମ କରେ, ରାଘବ ଅଧିକରୁ ଅଧିକ କାମ ତା’ ମୁଣ୍ଡରେ ଲଦିଦିଏ । କୁମାର ବିଚରା ଖଟି ଖଟି ସବୁ କାମ କରେ, କିନ୍ତୁ ଥରେ ହେଲେ ମଧ୍ୟ ସେ ତା’ ବାପାଠାରୁ କେବେବି ପ୍ରଶଂସା ପାଏ ନାହିଁ ।

ତାଙ୍କ ଗ୍ରାମରେ କାନ୍ତା ନାମକ ଗରିବ ଝିଅଟିଏ ଥାଏ । ସେ ଝିଅଟି ବଡ ଭଲ ଓ ସୁନ୍ଦର କାମ ଦାମ କରେ । କୁମାର ଭାବିଲା ଏଇ ଝିଅଟିକୁ ବିବାହ କଲେ ତା’ର ସମସ୍ତ ଦୁଃଖ ସରିବ । ଝିଅଟି ମଧ୍ୟ କୁମାର ପ୍ରତି ସମ୍ବେଦନଶୀଳ । କୁମାର ଦିନେ ସାହାସ କରି ନିଜ ମନକଥା ତା’ବାପାଙ୍କୁ କହିଲା ।

ବାପା ସବୁ ଶୁଣି ରାଗିଯାଇ କହିଲା, “ତୋର ଭରଣ ପୋଷଣ ତ ମୋ ପାଇଁ ଏବେ ଏକ ବଡ ସମସ୍ୟା ହୋଇ ଉଠିଲାଣି । ପୁଣି ତା’ଉପରେ ଆଉ ତୁ ବାହାହୋଇ ମୋ ଉପରେ ଅଧିକ ବୋଝ ବଢାଇବାକୁ ତୋର ଇଚ୍ଛା? ତୋର ସ୍ତ୍ରୀ ଆସିବ, ଛୁଆପିଲା ହେବ । ପୁଣି ସେମାନଙ୍କ ଦାୟିତ୍ୱ ମଧ୍ୟ ମୋତେ ହିଁ ଶେଷରେ ବୁଝିବାକୁ ପଡିବ? ଏବେ ସେସବୁ ଆଉ ହୋଇ ପାରିବ ନାହିଁ । ତୁ ଯେତେବେଳେ ନିଜେ ଆତ୍ମନିର୍ଭରଶୀଳ ହେବୁ, ସେତେବେଳେ ଯାଇ ବିବାହ କରିବାର ପ୍ରଶ୍ନ ଉଠିବ ।”

କୁମାର ଭାବିଲା, “ବାପା ପାଖରେ ଖାଲିଟାରେ ଖଟି ଖଟି ମରୁଛି; ବରଂ ଅନ୍ୟ କୁଆଡେ ଯାଇ କେଉଁଠି କାମ କଲେ ତ କିଛି ମିଳିବ । ତା’ପରେ ଟଙ୍କା ରଖି ବିବାହ କରିବି ଓ ସୁଖଶାନ୍ତିରେ ରହିବି । ମୋତେ ବାପା ଯାହା ଭାବିଛନ୍ତି ମୁଁ କିନ୍ତୁ ତାହା ନୁହେଁ – ଏତକ କାମରେ କରି ମୁଁ ତାଙ୍କୁ ଦେଖାଇ ଦେବି ।” ଏତକ ଭାବି ସେ ବାପାକୁ କିଛିବି ନ କହି ଘରଛାଡି ପଳାଇଲା । କେବଳ କାନ୍ତା ଜାଣେ ଯେ ସେ ଘର ଛାଡି ପଳାଇଛି, କେଉଁଠାରେ କାମଦାମ ଖୋଜି କରିବ ବୋଲି ।

କୁମାର ଜଙ୍ଗଲ ରାସ୍ତାରେ ଯାଉ ଯାଉ ଗୋଟିଏ ବୁଢୀକୁ ସେ ଦେଖିଲା ଯିଏକି କାଠ ମୁଣ୍ଡାଇ ନେଉଛି । କୁମାର କହିଲା, “ଆଈ, ତୁମେ କଷ୍ଟକରି କାଠବୋଝ ମୁଣ୍ଡାଇ ନେଉଛ । ମୋତେ ଦିଅ, ମୁଁ ମୁଣ୍ଡାଇ ନେଇ ତୁମ ଘରେ ଏହାକୁ ପହଁଚାଇ ଦେବି ।”

ବୁଢୀ ପଚାରିଲା “ପୁଅ ତୁମ ଘର କେଉଁଠି? ତୁମ ନାମ କ’ଣ? କୁଆଡେ ଯାଉଛ?” ଏତିକି ପଚାରିବା ସହିତ ବୁଢୀ ତା’ କାଠବୋଝଟି କୁମାରକୁ ଦେଇ ସ୍ୱସ୍ତିର ନିଶ୍ୱାସ ମାରିଲା ।

କୁମାର ନିଜର ଦୁଃଖକଥା ତାକୁ ସବୁ କହିଲା । ତା’ପରେ ସେ କହିଲା, “କାମ ଖୋଜି ଯାଉଛି, କିଛି ଦିନ କାମ କରି କିଛି ଟଙ୍କା ପଇସା ଜମା କଲେ କାନ୍ତାକୁ ମୁଁ ବିବାହ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ