ସମ୍ରାଟ ଅଶୋକ

(ମଗଧ ସିଂହାସନର ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପୂର୍ବରୁହିଁ ବିନ୍ଦୁସାରଙ୍କର ଦେହାନ୍ତ ଘଟିଲା । ସୁଶେମ ମହାରାଜାଙ୍କ ମୃତ୍ୟୁ ଖବର ପାଇଲେ ମଧ୍ୟ ସେ ଆଉ ତକ୍ଷଶିଳାରୁ ଯାତ୍ରା କଲେ ନାହିଁ । ଉଜ୍ଜୟିନୀରୁ କିଛି ସୈନିକଙ୍କୁ ସଙ୍ଗରେ ଧରି ଅଶୋକ ପାଟଳିପୁତ୍ରରେ ଯାଇ ପହଁଚିଲେ । ତାଙ୍କୁ ମାରିବା ପାଇଁ ହୋଇଥିବା ଷଡଯନ୍ତ୍ର ବିଫଳ ହେଲା । ଏହି ସଂଘର୍ଷରେ ଛଅଜଣଯାକ ରାଜ କୁମାର ନିଜ ପ୍ରାଣ ହରାଇଲେ । ବରିଷ୍ଠ ଲୋକମାନଙ୍କର ନିର୍ଣ୍ଣୟ ଓ ଆଦେଶ ଅନୁସାରେ ଅଶୋକ ତାଙ୍କ ପିତାଙ୍କ ଚିତାରେ ଅଗ୍ନି ସଂଯୋଗ କଲେ । ପ୍ରଧାନମନ୍ତ୍ରୀ, ରାଜ ପରାମର୍ଶଦାତା ଓ ସେନାଧ୍ୟକ୍ଷଙ୍କ ସହ ପରାମର୍ଶ କରି ସ୍ଥିର ନିଶ୍ଚିତ ହେଲେ ଯେ ରାଜସିଂହାସନ ଆରୋହଣର ଯୋଗ୍ୟତା କେବଳ ଯୁବରାଜ ଅଶୋକଙ୍କ ଠାରେହିଁ ରହିଛି । ତେଣୁ ତାଙ୍କର ରାଜ୍ୟାଭିଷେକ ହେବ । ଏହା ପରେ ଆଗକୁ ପଢନ୍ତୁ -)

                ମହାରାଜା ବିନ୍ଦୁସାରଙ୍କ ମୃତ୍ୟୁ ଖବର ମଗଧବାସୀଙ୍କୁ ଦାରୁଣ ଆଘାତ ଦେଲା । ତତ୍ ସହିତ ଛଅଜଣ ରାଜ କୁମାରଙ୍କର ବିନାଣ ଆହୁରି ଅଧିକ ମର୍ମସ୍ପର୍ଶୀ ଥିଲା । କିନ୍ତୁ ସେମାନେ ଯେତେବେଳେ ଏହା ଜାଣି ପାରିଲେ ଯେ, ରାଜ କୁମାରଙ୍କର ଦୁରାଶା ଓ ବିନାଶକାରୀ ବୁଦ୍ଧି ହିଁ ସେମାନଙ୍କର ଦୁଃଖର କାରଣ, ତାହା ସେମାନଙ୍କୁ କେତେକାଂଶରେ ଆଶ୍ୱସ୍ତ କଲା ।

                ଠିକ୍ ଅର୍ଦ୍ଧରାତ୍ର ସମୟରେ ପ୍ରଧାନମନ୍ତ୍ରୀ ଅଶୋକଙ୍କୁ ରାଜ୍ୟାଧିକାର ଅର୍ପଣ କଲେ । ଅଶୋକ ସିଂହାସନ ଆରୂଢ ହେଲେ ମଧ୍ୟ ସେ ମୁକୁଟ ପରିଧାନ କଲେ ନାହିଁ । ସେ କହିଲେ “ଏପରି ବିଷାଦପୂର୍ଣ୍ଣ ପରିସ୍ଥିତିରେ ରାଜ୍ୟାଭିଷେକ ପାଇଁ ମୁଁ ମୋଟେ ଇଚ୍ଛା ପ୍ରକାଶ କରୁନାହିଁ । ଏହି ସମୟ ମୁକୁଟାଭିଷେକର ଉତ୍ସବ ପାଇଁ ଯମା ଅନୁକୂଳ ନୁହେଁ ।”

                ମନ୍ତ୍ରୀଗଣ, ସେନାଧ୍ୟକ୍ଷ ଆଦି ଅଶୋକଙ୍କର ଏହି ଅଭିପ୍ରାୟକୁ ଅଭିନନ୍ଦନ ଜଣାଇଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ନିଶ୍ଚିନ୍ତ ଅନୁଭବ କରୁ ନ ଥିଲେ । ସେମାନଙ୍କର ଚିନ୍ତାର ମୁଖ୍ୟ କାରଣ ଥିଲା ବିନ୍ଦୁସାରଙ୍କ ଜ୍ୟେଷ୍ଠପୁତ୍ର ସୁଶେମ ଯେ କୌଣସି ମୁହୂର୍ତ୍ତରେ ତକ୍ଷଶିଳାରେ ଆସି ପହଁଚିବେ ଓ କେଉଁ ପ୍ରକାରର ତାଣ୍ଡବଲୀଳା ଆରମ୍ଭ କରିବେ । ତକ୍ଷଶିଳା ଠାରେ ସୁଶେମ ଏବେଯାଏଁ ନର୍ତ୍ତକୀମାନଙ୍କର କଥାକୁ ବିଶ୍ୱାସ କରୁଥିଲେ ଯେ ଅଶୋକ ପକ୍ଷାଘାତ ରୋଗଗ୍ରସ୍ତ ଓ ଚଳତ୍ଶକ୍ତିହୀନ । ତେଣୁ ସେ ନିଶ୍ଚିନ୍ତ ମନରେ ସେଠାରେ ନିଜର ସମୟ ବିତାଉ ଥିଲେ । ଏହା ପରେ ସୁଶେମଙ୍କ ମା’ ଗୋପନୀୟ ଭାବରେ ତାଙ୍କ ପୁତ୍ର ନିକଟକୁ ଏକ ପତ୍ର ପଠାଇଲେ, ଯେଉଥିରେକି ଲେଖାଥିଲା “ତୁମର ପିତାଶ୍ରୀଙ୍କର ଦେହାନ୍ତ ଘଟିଛି । କିନ୍ତୁ ତୁମେ ଏବେ ପାଟଳିପୁତ୍ର ଆସିବ ନାହିଁ ।” ସେହି ପତ୍ର ପଢି ସୁଶେମ କ୍ଷଣକ ପାଇଁ ସ୍ତମ୍ଭିତ ରହିଗଲେ । ପତ୍ରବାହକ ଉପରେ ତାଙ୍କର ସନ୍ଦେହ ହେଲା ।

ମହାରାଜାଙ୍କ ମୃତ୍ୟୁ, ତାଙ୍କର ଦାହ-ସଂସ୍କାର ପୂର୍ବର ସଂଘର୍ଷ ରାଜକୁମାରମାନଙ୍କର ନିହତ ହେବା କଥା ଓ ଶେଷରେ ଅଶୋକଙ୍କର ରାଜସିଂହାସନ ଆରୋହଣ ଆଦି ବିବରଣୀ ଦୂତଠାରୁ ସୁଶେମ ସବିସ୍ତାରେ ଶୁଣିଲେ । ଏହା ପରେ ସେ ଗର୍ଜିଉଠି କହିଲେ, “ରେ ବିଧାତା! କେତେ ବଡ ଦୁର୍ଘଟଣା ଘଟିଗଲା? ମୁଁ ସେ ଦାସୀ-ପୁତ୍ରକୁ ଜୀବନରେ ଆଉ ରଖିବି ନାହିଁ । ଏବେ ଏଇ ମୁହୂର୍ତ୍ତରେ ତାକୁ ମୋ ଖଡ୍ଗରେ ଖଣ୍ଡ ଖଣ୍ଡ କରିଦେବି, ଯଥାଶୀଘ୍ର ପାଟଳୀପୁତ୍ର ଯାତ୍ରାର ଆୟୋଜନ କର । ଦଳପତିଙ୍କୁ ଖବର ଦିଅ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ