ଶ୍ରୀଆଞ୍ଜନେୟ

କୌଣସି ପରିବାରରେ କିଛି ଉତ୍ସବ ବା ଶୁଭକାର୍ଯ୍ୟ ସକାଶେ ଖିଆପିଆ ହେବାର ଥିଲେ ଶିବ ରୋଷେଇ କାମ କରି ଜୀବିକାର୍ଜନ କରେ । ତା’ର ସୀତା ବୋଲି ଝିଅଟିଏ ଥାଏ । ସୀତାକୁ ପାଂଚବର୍ଷ ବୟସ ହୋଇଥିବା ବେଳେ ତା’ର ମା’ ମରିଯାଇଥିଲେ । ଏଣୁ ସେ ଶିବର ଏକମାତ୍ର ସନ୍ତାନ । ତେଣୁ ସେ ଯେଉଁଠିକି କାମ କରିବାକୁ ଯାଏ, ସୀତାକୁ ତା’ସାଙ୍ଗରେ ନେଇଯାଏ । ବାପା ରାନ୍ଧିବା ବେଳେ ଝିଅ ମନଦେଇ ସେସବୁ ଦେଖୁଥାଏ । କାମ ସରିବା ପରେ ଦୁହେଁ ସେଠାରେ ଥରେ ଖାଆନ୍ତି ଓ କିଛି ଅଧିକା ଖାଦ୍ୟ ସଙ୍ଗରେ ନେଇ ଆସନ୍ତି । ଶିବ ଯାହା ପାରିଶ୍ରମିକ ପାଏ ସେତିକି ତା’ର ଅର୍ଜନ । ଯେଉଁଦିନ ତାକୁ କିଛି କାମ ନ ମିଳେ ସେଦିନ ଶିବ ଭଲ ଭଲ ଖାଦ୍ୟ ବନାଇ ନିଜ ଝିଅକୁ ଖୁଆଏ । ଏମିତି ଅନେକ ଦିନ ବିତିଗଲା । ଝିଅ ରନ୍ଧାରନ୍ଧି କାମ ପ୍ରତି କୌଣସି ଆଗ୍ରହ ଦେଖାଏ ନାହିଁ ।

ଶିବର ବନ୍ଧୁ ବିଷ୍ଣୁର ଗୋଟିଏ ବୋଲି ପୁଅ, ତା’ର ନାମ ରାମୁ । ସେ ମଧ୍ୟ ବହୁତ ଗରିବ ଥିଲା । କାରଣ ତା’ମାବାପ ଅଳ୍ପ ଦିନ ଛଡାରେ ହଠାତ୍ ମରିଗଲେ । ତେଣୁ ବାପମା’ ଛେଉଣ୍ଡ ରାମୁକୁ ଶିବ ନିଜ ଘରେ ଆଶ୍ରୟ ଦେଲା । ଖୁବ୍ ଅଳ୍ପଦିନ ମଧ୍ୟରେ ରାମୁ ରନ୍ଧାରନ୍ଧି କାମ ସବୁ ଶିଖିଗଲା । ତା’ପରେ ସେ ଶିବକୁ ବିଶ୍ରାମ କରିବାକୁ ଦେଇ ନିଜେ ସବୁ କାମ କରିଯାଏ । ତେଣୁ ଶିବ ରାମୁକୁ ବହୁତ ଭଲ ପାଉଥିଲା ।

ଦିନେ ଶିବ ରାମୁକୁ କହିଲା, “ଆରେ ରାମୁ ସୀତା ଜନ୍ମ ହେବା ବେଳେ ତୋ ବାପା ଓ ମୁଁ ଶପଥ କରିଥିଲୁ କି ସୀତାକୁ ତୋତେହିଁ ବିବାହ ଦିଆଯିବ । ଏବେ ଯଦି ଶୀଘ୍ର ସେହି କଥାଟି କାର୍ଯ୍ୟକାରୀ ହୁଅନ୍ତା ତେବେ ମୁଁ ନିଶ୍ଚିନ୍ତ ହୁଅନ୍ତି । ଏଥିରେ ତୋର ମତ କ’ଣ?”

ସୀତା ତ ସୁନ୍ଦରୀ ଓ ଗୁଣବତୀ । ପିଲାଦିନରୁ ରାମୁ ବି ତାକୁ ଜାଣେ । ପୁଣି ତା’ର ବାପମା ମରିବାପରେ ନିରାଶ୍ରୟ ଅବସ୍ଥାରେ ଶିବ ହିଁ ତାକୁ ଆଶ୍ରୟ ଦେଇ ମଣିଷ କରିଛି । ଏ କ୍ଷେତ୍ରରେ ତା’ପାଇଁ ଏ ପ୍ରସ୍ତାବ ତ ଅତି ଆନନ୍ଦର କଥା । ପୁଣି ଏଥିପାଇଁ ସେ ଚିରଦିନ ଲାଗି କୃତଜ୍ଞ ବି ରହିବ । ଏଣୁ ସେ କହିଲା, “ଯାହା ତୁମର ଇଚ୍ଛା ।”

ଦୁଇମାସ ପରେ ରାମୁ ସହିତ ସୀତାର ବିବାହ ହେଲା । ଶିବ ଏଥର ଟିକେ ନିଶ୍ଚିନ୍ତ ହେଲା । କିନ୍ତୁ ବର୍ଷକ ମଧ୍ୟରେ ଶିବର ଅଚାନକ ମୃତ୍ୟୁ ହେଲା । ତେଣୁ ଜୀବିକାର୍ଜନ ପୁଣି ସୀତାର ଯତ୍ନ ନେବା ଇତ୍ୟାଦି ସବୁ ରାମୁକୁ କରିବାକୁ ହେଲା । ମୂଳକଥା ସୀତା ଗେହ୍ଲାରେ ବଢି କୌଣସି କାମ ଶିଖି ନଥାଏ ଅଥଚ ସଦାବେଳେ ସେ ଖାଲି ସ୍ନେହଶ୍ରଦ୍ଧା ଖୋଜେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ