କାବ୍ୟ ରସିକ

ତା’ପରେ ରାମଶର୍ମା ତା’ହାତରୁ ଟଙ୍କା ନେଇ ନେଲେ । ଲୋକଟିର କାମକୁ ଯିବାକୁ ସମୟ ହୋଇଗଲା । ରାମଶର୍ମାଙ୍କ ପାଖରୁ ବିଦାୟ ନେଇ ସେ ଚାଲିଗଲା । ତା’ପରେ ରାମଶର୍ମା ସେଠାରୁ ଯାଇ ନଗରୀରେ ପ୍ରବେଶ କରିବାବେଳେ ରାଜପରିବାରର ଜଣେ ସଦସ୍ୟ ତାଙ୍କୁ ଦେଖିଲେ । ସେ ସେତେବେଳେ ଗାଡିରେ ଯାଉଥିଲେ ସଦସ୍ୟ ଗାଡିବନ୍ଦ କରି ପଚାରି ବୁଝିଲେ ଯେ ସେ ଜଣେ କବି । ତେବେ ସେ ବହୁତ ଖୁସି ହେଲେ ଓ ତାଙ୍କୁ ନିଜ ଗାଡିରେ ବସାଇ ନେଇଗଲେ ।

ଉକ୍ତ ବ୍ୟକ୍ତିଟିର ମଧ୍ୟ କବିତା ଶୁଣିବାରେ ବଡ ସଉକ୍ ଥିଲା । ସେ ରାମଶର୍ମାଙ୍କୁ କହିଲେ, “ମହାଶୟ, ମୋ ଉପରେ କବିତା ଲେଖି ଶୁଣାନ୍ତୁ ।” ରାମଶର୍ମା ପଚାରିଲେ କି ତାଙ୍କ କାହାଣୀଟି କ’ଣ?

                ରାଜପରିବାରର ସେହି ବ୍ୟକ୍ତିଙ୍କ ନାମ ଶ୍ରବଣ ଥିଲା । ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟ ପାତ୍ର ଥିଲେ । ରାଜା ତାଙ୍କୁ ସମଗ୍ର ଦେଶ ଭ୍ରମଣ କରି ଦେଖି ଆସିବାକୁ କହିଲେ, କାରଣ ରାଜା ଏହା ଜାଣିବାକୁ ଚାହୁଁଥିଲେ କି କେଉଁଠି କେଉଁଠି ସବୁ ସୁନ୍ଦର ସୁନ୍ଦର ସ୍ଥାନ ରହିଛି । ସେଥିପାଇଁ ତାଙ୍କୁ ମାସକୁ ପାଂଚହଜାର ଟଙ୍କା ଦିଆଯାଏ । କାରଣ ଏପରି କାମସବୁ ସକାଶେ ତାଙ୍କୁ ନିଜର ପ୍ରିୟ ପତ୍ନୀଙ୍କଠାରୁ ଦୂରରେ ରହିବାକୁ ପଡୁଥାଏ ।

                ତାଙ୍କ କାହାଣୀ ଶୁଣି ରାମଶର୍ମା କବିତା ଲେଖିବା ପାଇଁ ଉତ୍ସାହିତ ହେଲେ । ବିଶେଷତଃ ଶ୍ରବଣଙ୍କ ପତ୍ନୀଙ୍କର ବିଚ୍ଛେଦର ଦୁଃଖ ତାଙ୍କ ମନକୁ ଖୁବ୍ ଆଲୋଡିତ କଲା । ସେ ବଡ ମଧୁର କବିତାସବୁ ରଚନା କରି ଶ୍ରବଣଙ୍କୁ ଶୁଣାଇଲେ । ସେସବୁ ଶୁଣି ଶ୍ରବଣଙ୍କୁ ବଡ ଭଲ ଲାଗିଲା ।

                କିଛି ସମୟ ମଧ୍ୟରେ ଗାଡି ଯାଇ ନଗରରେ ପହଁଚିଲା । ଶ୍ରବଣ ରାମଶର୍ମାଙ୍କୁ ପାଂଚଶହ ଟଙ୍କା ଦେଇ କହିଲେ, “କବିବର, ଏହା ଆପଣଙ୍କ କବିତାର ମୂଲ୍ୟନୁହେଁ ବରଂ ମୋର ଶକ୍ତିର ମାପଦଣ୍ଡ । ଆପଣ ଏହାକୁ ସ୍ୱୀକାର କରନ୍ତୁ ।”

                ରାମଶର୍ମା ସେତକ ସ୍ୱୀକାର କଲେ ଓ ରାସ୍ତା ପଚାରି ପଚାରି ଯାଇ ସତ୍ୟବାଦୀଙ୍କ ଘରେ ପହଁଚିଲେ ତାଙ୍କ ଘର ଇନ୍ଦ୍ରପୁର ପରି ଥିଲା । ସେ ଗୃହ ମଧ୍ୟରେ ପାଦ ଦେବା ପରେ ସତ୍ୟବାଦୀଙ୍କ ସ୍ତ୍ରୀ ରୁକ୍ମିଣୀ ଆସି ତାଙ୍କୁ ପଚାରିଲେ “ଆପଣଙ୍କ ମୁଖମଣ୍ଡଳରେ ଦିବ୍ୟତେଜସ୍ୱୀତା ବ୍ୟାପ୍ତ ହୋଇ ରହିଛି । ଆପଣ କ’ଣ ସେହି କବିନ୍ଦ୍ର କି?”

                ରାମଶର୍ମା ଅଳ୍ପ ହସି ଏଥିରେ ନିଜର ସମ୍ମତି ପ୍ରକାଶ କଲେ । ରୁକ୍ମିଣୀ ସ୍ୱାମୀଙ୍କ ବିଷୟରେ କହିଲେ, “ସେ ଜଣେ ବ୍ୟବସାୟୀ । ସକାଳ ପହରୁ ଘରୁ ବାହାରି ଯା’ନ୍ତି ଓ ରାତ୍ରିକୁ ଫେରନ୍ତି । ତାଙ୍କ ସୌଭାଗ୍ୟ ଯେ ଯେଉଁ ବ୍ୟବସାୟରେ ସେ ହାତ ଦିଅନ୍ତି ତାହା ସାଫଲ୍ୟ ଲାଭ କରେ । ସେ ଯାହା ସ୍ପର୍ଶ କରନ୍ତି ତାହା ଯେପରି ସୁନା ହୋଇଯାଏ । ପ୍ରତ୍ୟେକ ଦିନ ତ ଅତି କମ୍ରେ ଦଶହଜାର ଟଙ୍କା ମିଳେ ବେଳେବେଳେ ପଚାଶ ହଜାର ଟଙ୍କା ମଧ୍ୟ ମିଳିଥାଏ ।”

ସତ୍ୟବାଦୀଙ୍କ କିନ୍ତୁ କବିତା ଶୁଣିବାକୁ ବଡ ଇଚ୍ଛା । କବିତା ଶୁଣିବା କଥା ହେଲେ ସେ ବଡ କାମ ମଧ୍ୟ ଛାଡି ଚାଲି ଆସିବେ । ରୁକ୍ମିଣୀ ଯେତେବେଳେ ଜାଣିଲେ ଯେ ରାମଶର୍ମା କବି ସେତେବେଳେ ସେ ତୁରନ୍ତ ସତ୍ୟବାଦୀଙ୍କୁ ଡାକି ଆଣିବାକୁ ଚାକରକୁ ପଠାଇଲେ । ସେ ନିଜେ ଅତିଥି ସତ୍କାର କଲେ । ସେ ଘର ଓ ତାର ବାତାବରଣ ଦେଖି ରାମଶର୍ମାଙ୍କୁ ଲାଗିଲା ଯେପରି ସେ ଅସମୟରେ ଆସି ପହଁଚିଛନ୍ତି । ସେ ରୁକ୍ମିଣୀଙ୍କୁ କହିଲେ, “ମୁଁ ତ ପରେ ବି ଆସି ପାରିଥାନ୍ତି । ଚାକରକୁ ପଠାଇବାର କ’ଣ ଦରକାର ଥିଲା?”

ତାଙ୍କ କଥା ଶୁଣି ରୁକ୍ମିଣୀ କହିଲେ, “ଆପଣଙ୍କ ପରି କବି ଆସିବା ମାତ୍ରେ ହିଁ ସେ ଘରକୁ ଆସନ୍ତି ଓ ରହନ୍ତି । ଆପଣଙ୍କ ପରି ବ୍ୟକ୍ତି ଆସିବା ମାତ୍ରେ ଆମ ଘର ପବିତ୍ର ହୋଇଯାଏ । ମନେହୁଏ ଆଜି ଏକ ପର୍ବଦିନ ।”

କିଛି ସମୟ ମଧ୍ୟରେ ସତ୍ୟବାଦୀ ଆସିଲେ ସମୟ ଦ୍ୱିପ୍ରହର ଥିଲା; ତେଣୁ ରୁକ୍ମିଣୀ ସେମାନଙ୍କୁ ସର୍ବତ କରି ଦେଲେ । ସତ୍ୟବାଦୀ ରାମଶର୍ମାଙ୍କୁ କହିଲେ, “ନୂଆ କବିତା ଶୁଣାନ୍ତୁ ଅଥବା ଆପଣଙ୍କ କାବ୍ୟ ପଠନ କରି ଶୁଣାନ୍ତୁ । ଆପଣଙ୍କର ଯାହା ଇଚ୍ଛା ।”

ରାମଶର୍ମା ନିଜର କାବ୍ୟକୁ ମଧୁର ଭାବରେ ପଢି ଶୁଣାଇଲେ । ସତ୍ୟବାଦୀ ତନ୍ମୟ ହୋଇ ସେସବୁ ଶୁଣିବାରେ ଲାଗିଲେ । କ୍ରମେ ସେ ଘରର ଅନ୍ୟମାନେ ମଧ୍ୟ ଜଣ ଜଣ କରି ଆସି ସେଠାରେ ବସିଗଲେ । ଚାକରବାକର ମଧ୍ୟ ଆସିଗଲେ । ସମସ୍ତେ ବଡ ଶ୍ରଦ୍ଧାର ସହିତ କବିତାପାଠ ଶୁଣୁଥିଲେ ମଝିରେ ରୁକ୍ମିଣୀ କୌଣସି ପରି ଚାକରକୁ ପଠାଇ ମିଠା ଓ ସର୍ବତ ଅଣାଇଲେ ।

କାବ୍ୟପଠନ ସଂନ୍ଧ୍ୟା ହେବା ପର ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା । ତା’ପରେ ରାତ୍ରିଭୋଜନ ପୂର୍ବରୁ ଓ ପରେ ସେ କବିତା ବିଷୟରେ କେତେକ ପ୍ରଶ୍ନ ମଧ୍ୟ ପଚାରିଲେ ଓ ରାମଶର୍ମା ସବୁକିଛି ସୁନ୍ଦର ଭାବରେ ଉତ୍ତରଦେଲେ ।

ସତ୍ୟବାଦୀ, ରାମଶର୍ମାଙ୍କୁ ଏକ ହଜାର ଏକ ଟଙ୍କା ଦେଇ କହିଲେ, “କବିତାର ମୂଲ୍ୟ ତ କେହିବି ଦେଇ ପାରିବ ନାହିଁ । ଆପଣ କଷ୍ଟ ସ୍ୱୀକାର କରି ଆସିଲେ ଏହା କେବଳ ସେଇଥିପାଇଁ ।

ରୁକ୍ମିଣୀ କହିଲେ, “ମୁଁ ତ ଭାବୁଛି ଆପଣଙ୍କ ଯୋଗୁଁ ମୋର ସ୍ୱାମୀ ଯେ ଘରେ ଏତେ ସମୟ ରହି ପାରିଲେ, ସେଥିପାଇଁ ମୋ ତରଫରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ।”

ସେହିଠାରେହିଁ ରାମଶର୍ମା ରାତ୍ରିଯାପନ କଲେ । ସତ୍ୟବାଦୀ ତାଙ୍କୁ କହିଲେ, “ଆପଣ ଶାନ୍ତିରେ ରହନ୍ତୁ । ପ୍ରଭାତରୁ ଉଠି ଆପଣଙ୍କର ଯେପରି ଇଚ୍ଛା ସେପରି ହେବ । କିନ୍ତୁ ଆପଣ ଉଠିବା ପୂର୍ବରୁ ମୁଁ ଘରୁ କାମକୁ ବାହାରି ଯାଇଥିବି ।” ଏତିକି କହି ସେ ବିଦାୟ ନେଇ ଗଲେ ।

ପରଦିନ ରାମଶର୍ମା ଉଠିବା ପୂର୍ବରୁହିଁ ସତ୍ୟବାଦୀ ପ୍ରକୃତରେ କାମକୁ ଚାଲିଯାଇଥିଲେ । ରାମଶର୍ମା ସମସ୍ତିଙ୍କଠାରୁ ବିଦାୟ ନେଇ ଘରକୁ ଫେରିଲେ । ଘରେ ପହଁଚି ସମସ୍ତ ଘଟଣା ପତ୍ନୀ ସୁଜାତାଙ୍କୁ ଶୁଣାଇଲେ ଓ ସତ୍ୟବାଦୀଙ୍କର ବହୁତ ପ୍ରଶଂସା କଲେ ।

ସବୁ ଶୁଣି ସୁଜାତା କହିଲେ, “ତୁମର ଖୁସି ହେବାର କାରଣ ସତ୍ୟବାଦୀ ତୁମକୁ ଯଥେଷ୍ଟ ଧନ ଦେଇଛନ୍ତି । ତାଙ୍କ ଅର୍ଜନ କରୁଥିବା ଧନ ଅନୁସାରେ ବେଶି କିଛି ତ ସେ ଦେଇ ନାହାଁନ୍ତି । ଅନୁପାତ ଅନୁସାରେ ଶ୍ରବଣ ବେଶି ଦେଇଛନ୍ତି କିନ୍ତୁ ଦରିଦ୍ରଲୋକଟିହିଁ ତା’ର ସମଗ୍ର ଦିନର ମଜୁରୀ ଦେଇଛି । ତେଣୁ ସେହିଁ ସର୍ବାଧିକ ଦେଇଛି ।”

ରାମଶର୍ମା କହିଲେ, “ତୁମେ ସତ କଥା କହୁଛ ଯେ ଅନ୍ୟ ଏକ ସତ୍ୟ ମୁଁ କହୁଛି ଶୁଣ । ମୋର ଯଥେଷ୍ଟ ଧନ ମୋର ପିତୃପୁରୁଷମାନେ ମୋ ପାଇଁ ରଖିଯାଇଛନ୍ତି, ତେଣୁ ମୋର ଧନପ୍ରତି ଆସକ୍ତି ପ୍ରାୟ ନାହିଁ । ଦରିଦ୍ରଟି ତା’ର ବିଶ୍ରାମ ସମୟରେ କବିତା ଶୁଣିଲା । ଶ୍ରବଣ ଗାଡିରେ ବସି ଶୁଣିଲେ । କିନ୍ତୁ ସତ୍ୟବାଦୀ ନିଜ କାମ ବନ୍ଦକରି ହଜାର ହଜାର ଟଙ୍କା ନଷ୍ଟ କରିଆସି ଶୁଣିଲେ, ତାହା କ’ଣ କର୍ମ କଥା? ସବୁଦିଗରୁ ଦେଖିଲେ ସତ୍ୟବାଦୀହିଁ ଯଥାର୍ଥ ଶ୍ରୋତା ।”

ସେତେବେଳେ ଯାଇ ସୁଜାତା ଉପଲବ୍ଧି କଲେ ଯେ କବିହୃଦୟ କାବ୍ୟରସକୁହିଁ ବେଶି ମୂଲ୍ୟ ଦିଅନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ