ମାନବ ଓ ଦାନବ

ଥରେ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ବର୍ଷା ବି କାଚିକି ହେଉଥାଏ । ସାଇଁ ସାଇଁ ଶବ୍ଦ ଗଛଲତା ଭିତରୁ ଭାସି ଆସୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଏଣେ ସେ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

                କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ବୃକ୍ଷଟି ପାଖକୁ ଲେଉଟିଗଲେ ଓ ବୃକ୍ଷାରୋହଣ କରି ତହିଁରୁ ଶବଟିକୁ ଉତାରି ଆଣିଲେ । କିନ୍ତୁ ତା’ପରେ ତାକୁ ସେ ନିଜ କାନ୍ଧରେ ପକାଇ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା, ତୁମେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ଯେ ଏଭଳି କଷ୍ଟ ପାଉଛ, ଏହା ପଛରେ ନିଶ୍ଚୟ କୌଣସି ବିଶେଷ କାରଣ ରହିଛି । ହୁଏତ କେହି ତୁମକୁ କୌଣସି ବଡ ଧରଣର ପ୍ରତିଶୃତି ଦେଇଛି । କିନ୍ତୁ ଥରେ ଥରେ ପ୍ରତିଶୃତି ଦେଇ ତାହା ଲୋକେ ରକ୍ଷା ନକରିବାର ଦୃଷ୍ଟାନ୍ତ କମ୍ ନୁହେଁ । ମୋ ବକ୍ତବ୍ୟକୁ ସ୍ପଷ୍ଟ କରିଦେବା ନିମନ୍ତେ ଗୋଟାଏ କାହାଣୀ କହୁଛି, ମନଦେଇ ତାହା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଗପିଲା: ମଗଧଦେଶର ରାଜା ମାଧବସେନ ଥରେ ଛଦ୍ମବେଶ ପକାଇ ପ୍ରଜାଙ୍କ ଅବସ୍ଥା ଦେଖିବା ନିମନ୍ତେ ବୁଲୁଥିଲେ । ରାଜଧାନୀଠୁଁ ଅନେକ ଦୂର ଯିବା ପରେ ସେ ଗୋଟିଏ ଗାଁରେ ପହଁଚିଲେ । ସେ ଗାଁର ହାଲ୍ଚାଲ୍ ଦେଖିସାରି ସେ ଟିକିଏ ଦୂରରେ ରହିଥିବା ଅନ୍ୟ ଗାଁକୁ ଯିବା ନିମନ୍ତେ ଗୋଟିଏ ନିର୍ଜନ ପଡିଆ ଅତିକ୍ରମ କଲାବେଳେ ତାଙ୍କ ଆଖିରେ ପଡିଲା ଏକ ଅଦ୍ଭୁତ ଦୃଶ୍ୟ । ସେ ଦେଖିଲେ ଗୋଟାଏ କୁକୁର କବଳରୁ ଖସି ଆସି ବିଲେଇଟିଏ ସ୍ୱାଭାବିକ ଭାବରେ ଯାଉ ଯାଉ ହଠାତ୍ ଗୋଟାଏ ଗଛମୂଳରେ ବିକଟ ରଡି ଛାଡି ପ୍ରାଣମୂର୍ଚ୍ଛା ପଳାଇଲା । ଏସବୁ ଘଟଣା ଦେଖି ସେ ରାଜା ବଡ ଆଶ୍ଚର୍ଯ୍ୟ ହେଲେ । ସେ ଗଛମୂଳରେ ଏଭଳି ଭୟଙ୍କର ଚିଜ କ’ଣ ଅଛି ବୋଲି ଅନାଇ ସେ ଯାହା ଦେଖିଲେ, ସେଥିରେ ତାଙ୍କ ଆଶ୍ଚର୍ଯ୍ୟ ଦୁଇଗଣ ବଢିଗଲା । ଗୋଟାଏ ବଡ ମୂଷା ଗଛମୂଳରେ ଶୋଇଥିଲା ।

                ମୂଷାକୁ ଦେଖି ବିଲେଇ ଛାନିଆ ହେବ, ଏକଥା କିଏ ବା କଳ୍ପନା କରନ୍ତା? ରାଜା ଅବାକ୍ ହୋଇ ମୂଷାଟିକୁ ଲକ୍ଷ୍ୟ କଲେ । “ଯେଉଁ ମୂଷାକୁ ଦେଖି ବିଲେଇ ପଳାଇଯାଏ, ସେ ମୂଷାକୁ ପୁଣି ଜୀବନରେ ରଖିବା ଠିକ୍ ନୁହେଁ ।” ରାଜା ଏହା ଭାବି ନିଜ ତରବାରୀ ବାହାର କଲେ । ତା’ପରେ ସେ ପୁଣି ଭାବିଲେ, ଯେଉଁ ତରବାରୀରେ ସେ ଭୀଷଣ ଶତ୍ରୁମାନଙ୍କ ପ୍ରାଣ ନେବା କଥା, ଗୋଟାଏ ସାମାନ୍ୟ ମୂଷା ଉପରେ ସେ ତାହା ପ୍ରୟୋଗ କରିବେ? ଏହା ଭାବି ସେ ଖଣ୍ଡିଏ ପଥର ଉଠାଇ ତାହା ଦ୍ୱାରା ସେ ମୂଷାକୁ ଆଘାତ କରିବାକୁ ପ୍ରସ୍ତୁତ ହେଲେ । ସେତିକିବେଳେ ରାଜ୍ୟର ଗୋଟାଏ ନିୟମ ତାଙ୍କର ହଠାତ୍ ମନେ ପଡିଲା: କୌଣସି ନିଦ୍ରିତ ପ୍ରାଣୀକୁ ଆଘାତ କରିବା ଅନୁଚିତ୍ତ । ସେ ତେଣୁ ମୂଷା ପାଖକୁ ଯାଇ ତାକୁ ଗୋଡରେ ଠେଲିଦେଲେ ।

                ସଙ୍ଗେ ସଙ୍ଗେ ମୂଷାଟି ଗୋଟାଏ ମଣିଷ ରୂପ ଧରି ଠିଆହେଲା ଓ ହସିଲା ।

                ରାଜା ଚମକି ପଡି ପଛକୁ ଘୁଁଚିଗଲେ ଓ ସଙ୍ଗେସଙ୍ଗେ ସେ ତାଙ୍କ ନିଜ ତରବାରୀ ଉପରେ ହାତ ପକାଇଲେ । ଲୋକଟି ପୁନର୍ବାର ହସିଲା ଓ କହିଲା, “ଭୟ କର ନାହିଁ । ତମର କୌଣସି କ୍ଷତି କରିବାର ଉଦ୍ଧେଶ୍ୟ ମୋର ନାହିଁ ।”

                ରାଜା କହିଲେ “ତମେ ମଣିଷ, କିନ୍ତୁ ମୂଷା ରୂପ ଧରି ଶୋଇଥିଲ ପରା! ଏହା ତ ବଡ ବିଚିତ୍ର!”

                ରାକ୍ଷସ କହିଲା “କୌଣସି ମଣିଷ ପକ୍ଷରେ କ’ଣ ମୂଷା ରୂପ ନେବା ସମ୍ଭବ? ମୁଁ ରାକ୍ଷସରାଜ ପ୍ରଚଣ୍ଡ । ତମେ ତ ଜାଣ, ରାକ୍ଷସମାନେ ଅନେକ ପ୍ରକାର ରୂପ ଧାରଣ କରି ପାରନ୍ତି । ମୁଁ ପ୍ରଥମେ ମଣିଷ ରୂପ ଧାରଣ କରି ଅନ୍ୟ ଏକ ସ୍ଥାନରେ ଶୋଇଥିଲି । ଚୋରମାନେ ଜଣେ ବିଦେଶୀ ମନେ କରି ମୋତେ ଲୁଣ୍ଠନ କରିବାକୁ ଚେଷ୍ଟା କଲେ । ଆଉ ଏକ ସ୍ଥାନରେ ମୋତେ ବିଦେଶୀ ବେପାରୀ ଭାବି ଏ ରାଜ୍ୟର କେତେକ ଠକ ମୋସହିତ ହରକତ କଲେ । ମୁଁ ଦେଖିଲି ମୂଷା ଭଳି ପ୍ରାଣୀଟିଏ ହୋଇପଡି ରହିଲେ ମୁଁ ନିରାପଦ ହୋଇ ରହିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ