ମହାପୁରୁଷଙ୍କ ଜୀବନରୁ ପ୍ରେରଣା

ମହାପୁରୁଷମାନଙ୍କ ଜୀବନର ଗୋଟିଏ ଗୋଟିଏ ଘଟଣା ବେଳେବେଳେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇଥାଏ । ସେମିତି ସନ୍ଥ ତୁଳସୀ ଦାସଙ୍କ ଜୀବନୀ ତୁଳସୀ ଦାସ କାଶୀ କ୍ଷେତ୍ରରେ ରହୁଥିବା ସମୟରେ ଦିନେ ଏକ ବିଚିତ୍ର ଘଟଣା ଘଟିଲା । ପ୍ରତିଦିନ ଶୌଚ ନିମନ୍ତେ ସେ ଜଙ୍ଗଲକୁ ଯାଉଥିଲେ ଓ ସେଠାରୁ ଫେରିବା ସମୟରେ ବଳକା ଜଳ ଗୋଟିଏ ଅସ୍ତ ବୃକ୍ଷମୂଳରେ ଢାଳି ଦେଉଥିଲେ । ସେହି ଅସ୍ତ ବୃକ୍ଷର ନିମ୍ନଭାଗରେ ଏକ ପ୍ରେତ ବାସ କରୁଥିଲା । ସେହି ଜଳ ପାନ କରି ସେ ତା’ର ତୃଷ୍ଣା ମେଂଟାଉଥିଲା । ପ୍ରେତଟି ଯେତେବେଳେ ଜାଣିଲା ଏହି ବ୍ୟକ୍ତି ଜଣେ ମହାତ୍ମା ସେ ଆନନ୍ଦିତ ହୋଇ କହିଲା – ମହାଭାଗ ! ଆପଣଙ୍କର ଯାହା ଇଚ୍ଛା ତାହା ମାଗନ୍ତୁ । ମୁଁ ପୂର୍ଣ୍ଣ କରିବି । ତୁଳସୀ ଦାସ କହିଲେ – ମୁଁ ଭଗବାନ ରାମଙ୍କର ଦର୍ଶନ କରିବାକୁ ଚାହୁଁଛି । ପ୍ରେତଟି କିଛି ସମୟ ଚିନ୍ତାକଲା କହିଲା – ‘ରାମ କଥା ଶୁଣିବାକୁ ପ୍ରତିଦିନ ହନୁମାନ ଏକ କୁଷ୍ଠରୋଗୀ ବେଶରେ ଆସୁଛନ୍ତି । ସେ ତ ରାମଙ୍କର ପ୍ରଥମ ସେବକ । ସେ ସବୁଠାରୁ ଆଗ ଆସନ୍ତି ଓ ଶେଷରେ ଯାଇଥାନ୍ତି । ସମୟ ଦେଖି ତାଙ୍କୁ ପ୍ରଣାମ କରି ନିଜର ମନ କାମନା ଜଣାନ୍ତୁ । ସେ ନିଶ୍ଚୟ ପୂର୍ଣ୍ଣ କରିବେ ।’ ତୁଳସୀ ଦାସ ତାହାହିଁ କଲେ । ଚିତ୍ରକୂଟରେ ଭଗବାନଙ୍କ ଦର୍ଶନଲାଭ କରିବେ ବୋଲି ହନୁମାନଙ୍କଠାରୁ ଶୁଣି ସେହି ସ୍ଥାନକୁ ଯାତ୍ରା କଲେ ତୁଳସୀ । ଚିତ୍ରକୂଟରେ ପହଁଚି ସେ ମନ୍ଦାକିନୀ ନଦୀରେ ସ୍ନାନକରି ପ୍ରତ୍ୟହ ଦେବଦର୍ଶନ କରନ୍ତି । ରାମାୟଣ ପାଠ ସହ ରାମନାମ ଜପ କରନ୍ତି ।

         ଦିନେ ସେ ନିକଟବର୍ତ୍ତୀ ଅଂଚଳକୁ ବୁଲିବାକୁ ଯାଇଥାନ୍ତି । ଅକସ୍ମାତ ପଥ ମଧ୍ୟରେ ଦେଖିଲେ ଦୁଇଜଣ ସୁନ୍ଦର ରାଜକୁମାର ଦୁଇଟି ଘୋଡାରେ ଚଢି ଆସୁଛନ୍ତି । ହାତରେ ତାଙ୍କର ଧନୁ ତୀର । ଶିକାର ଉଦ୍ଧେଶ୍ୟରେ ଗଲାଭଳି ତୁଳସୀଙ୍କୁ ପ୍ରତିତ ହେଉଥାଏ । ସେମାନଙ୍କୁ ଦେଖି ତୁଳସୀଦାସ ଅତିଶୟ ପ୍ରୀତ ହୋଇଗଲେ, କିନ୍ତୁ ଏମାନେ କିଏ? ତୁଳସୀ ସେମାନଙ୍କୁ ଚିହ୍ନିପାରିଲେ ନାହିଁ । ପରେ ହନୁମାନ ସେଠାକୁ ଆସି ଯେତେବେଳେ ଦୁହିଁଙ୍କର ଅସଲ ପରିଚୟ ଦେଲେ ତୁଳସୀ ଦୁଃଖରେ ମ୍ରିୟମାଣ ହୋଇ ପଡିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ