ଭୂତୁଣୀର ସାହାଯ୍ୟ

ସୋନାଲୀର ପିଲାଦିନଠାରୁ ଅଳଙ୍କାର ପିନ୍ଧିବାରେ ବଡ ସଉକ୍ । ବଡ ହୋଇ ସେ ବାହାଦୁରକୁ ବିବାହ କଲା । ବାହାଦୁର ଜମିଦାରଙ୍କ କଚେରୀରେ କାମ କରୁଥାଏ ।

                ଶାଶୁଘରକୁ ଆସିବା ପରଠାରୁ ସୋନାଲୀ ବରାବର ତା’ ସ୍ୱାମୀକୁ ନୂଆ ଅଳଙ୍କାର ପିନ୍ଧିବା ପାଇଁ କହେ । ବାହାଦୁର ଅଳ୍ପ ହସି ଚୁପ୍ ରହେ । କ୍ରମେ ଗହଣା ମାଗିବା ବଦଳରେ ଦାବୀ ଓ ଯିଦି କରିବାରୁ; ସେ କହିଲା, “ତୁମର ତ ଯଥେଷ୍ଟ ଅଳଙ୍କାର ଅଛି । ମୁଁ କ’ଣ ଧନୀ ଜମିଦାର ଯେ ତୁମ ପାଇଁ ଚାହିଦା ମାତ୍ରେ, ଅଳଙ୍କାର ଗଢାଇ ଆଣିବି? ମୁଁ କଚେରୀରେ ଜଣେ ମାମୁଲି କର୍ମଚାରୀ ବୋଲି ମନେ ରଖ ଓ ଏ ପାଗଳାମି ଛାଡ ।”

                ସୋନାଲୀ ଚୁପ୍ ହୋଇ ରହିଲା ସିନା, କିନ୍ତୁ ଅଳଙ୍କାର ପ୍ରତି ତା’ର ପ୍ରବଳ ପିପାସା ଦିନକୁ ଦିନ ବଢି ଚାଲିଲା । ଏମିତି ସମୟ ବିତିଗଲା । ତା’ର ପୁଅଟିଏ ହେଲା । ତା’ର ନାମ ଗୋବିନ୍ଦ ରଖା ହେଲା । ସମୟକ୍ରମେ ସେ ବଡ ହେଲା, ଶିକ୍ଷାଦୀକ୍ଷା ଲାଭ କରି ସେ ମଧ୍ୟ କଚେରୀରେ ଭଲ ଚାକିରୀଟିଏ ପାଇଲା । ଅଳ୍ପଦିନ ମଧ୍ୟରେ ବିନାକାରଣରେ ବାହାଦୁରର ହଠାତ୍ ଦେହ ଖରାପ୍ ହେଲା । ବହୁଦିନ ଶଯ୍ୟାଶାୟୀ ହେବାରୁ ସେ ମଧ୍ୟ ଚାକିରୀ ଛାଡିଲା, ସେ ବଡ ଦୁର୍ବଳ ହୋଇ ପଡିଥାଏ । ଏବେ ଅଧିକାଂଶ ସମୟ ସେ ଘରେ ରହୁଥାଏ ।

ସୋନାଲୀର ଇଚ୍ଛା ଥିଲା ପୁଅ ବାହାଘର ବେଳେ ଗଦାଏ ଯୌତୁକ ନେବ ଓ ସାରା ଜୀବନ ସେ ନୂଆ ଅଳଙ୍କାର ପିନ୍ଧିପାରିବ । ତା’ର ସେହି ଇଚ୍ଛା ବଡ ପ୍ରବଳ ହେଲା । କିନ୍ତୁ ପରିସ୍ଥିତି ଭିନ୍ନ ହେଲା; ଗୋବିନ୍ଦ ବାହାହେଲା ଯେ ମାତ୍ର ତା’ର ସ୍ତ୍ରୀ କାଣୀ କଉଡିଟିଏ ବି ସୁଦ୍ଧା ଆଣିନାହିଁ । ସୋନାଲୀର ଏତେ ଦିନର ସ୍ୱପ୍ନ ଶେଷରେ ବୃଥା ହେଲା । କେତେ ଆଶା କରିଥିଲା ଧନୀଘରର ଝିଅକୁ ବୋହୂ କରି ଆଣିଲେ ସମସ୍ତ ଗହଣା ଓ ଲୁଗା ସେ ପିନ୍ଧିବ । କିସମ କିସମର ନୂଆ ଗହଣା ପିନ୍ଧି ପଡୋଶୀ ଘରକୁ ଯାଇ ଦେଖାଇବ । କିଛି ତ ହେଲା ନାହିଁ । ଗୋବିନ୍ଦର ବିବାହ ହଠାତ୍ ସ୍ଥିର ହେଲା । ଗୋବିନ୍ଦ ଦିନେ ତା’ସାଙ୍ଗର ବିବାହରେ ଯୋଗ ଦେବାକୁ ଗଲା । ସେଠାରେ କନ୍ୟାର ସାଙ୍ଗମାନଙ୍କ ମଧ୍ୟରେ କମଳା ନାମରେ ସୁନ୍ଦରୀ ଓ ଗୁଣବତୀ ଝିଅଟିଏ ଥିଲା । ତା’ର ବ୍ୟବହାରରେ ମୁଗ୍ଧ ହୋଇ ଗୋବିନ୍ଦ ତା’ର ବାପମା’ଙ୍କ ପାଖରେ ନିଜର ବାହାଘର ପାଇଁ ପ୍ରସ୍ତାବ ଦେଲା । ସେମାନେ ରାଜି ହେଲେ ଯେ କିନ୍ତୁ ସେହିଦିନ ପରେ ଆଉ ବିବାହ ପାଇଁ ଶୁଭ ଦିନ ତିନିମାସ ମଧ୍ୟରେ ନଥିଲା । ତେଣୁ ଗୋବିନ୍ଦର ଉତ୍ସାହ ଯୋଗୁଁ ସେହିଦିନହିଁ ସେମାନଙ୍କର ବିବାହ ହେଲା । କମଳାର ବାପମାଙ୍କୁ ବହୁତ ଯୌତୁକ ଦେବାପାଇଁ ଯଥେଷ୍ଟ ସମୟ ନଥିଲା । ବିବାହ ପରେ କମଳାକୁ ଛାଡିବାକୁ ତା’ର ବାପମା’ ମଧ୍ୟ ସଙ୍ଗରେ ଆସିଲେ ।

ଘରେ ପହଁଚି ଗୋବିନ୍ଦ ସୋନାଲୀକୁ କହିଲା, “ମା’ ଇଏ ତୁମର ବୋହୁ; ଆମକୁ ଆଶିର୍ବାଦ ଦିଅ ।” ଏତିକି କହି ସେ ଦୁହେଁ ସୋନାଲୀର ପାଦଛୁଇଁବାକୁ ଯିବାରୁ ସେ ହଠାତ୍ ପଛକୁ ଘୁଂଚିଯାଇ କହିଲା, “ସେ ତୋର ସ୍ତ୍ରୀ ହୋଇପାରେ କିନ୍ତୁ ମୋର ସେ ବୋହୁ ନୁହେଁ ।”

ସେତେବେଳେ କମଳାର ବାପା ତ ପାଖରେ ଥିଲେ; ସେ କହିଲେ, “ଆପଣ ଏମିତି କାହିଁକି ବିରକ୍ତ ହେଉଛନ୍ତି? ମୋ ଝିଅକୁ ଆପଣଙ୍କ ପୁଅ ପସନ୍ଦ କଲେ ଆମେ କହିଥିଲୁ ଯେ ଆମେ ସାଧାରଣ ଲୋକ । ବେଶି ଯୌତୁକ ଦେଇ ପାରିବୁ ନାହିଁ । ତଥାପି ମଧ୍ୟ ସେ ମୋ ଝିଅକୁ ବିବାହ କଲେ । ଏଥିରେ ମୋ ଝିଅର ଦୋଷ କ’ଣ?”

ସୋନାଲୀ ବିରକ୍ତ ହୋଇ କହିଲା, “ଏବେ ଜାଣିଲି ଏହି ବିବାହ ପଛରେ କି ଉଦ୍ଧେଶ୍ୟ ରହିଛି । ମୋର ଗୋଟିଏ ବୋଲି ପୁଅ ଏମିତି କ’ଣ ବିବାହ ହୁଏ? ମୋ ମନକଷ୍ଟ ହେବ ନାହିଁ? କ’ଣ ଏତେ ତର ବର ହେବାର ଥିଲା?”


ଗପ ସାରଣୀ

ତାଲିକାଭୁକ୍ତ ଗପ