ପୁରସ୍କାର

ବିକାନୀରର ଜମିଦାର ଭୂପତିରାୟ, ନିଜ ଜନ୍ମଦିନ ଉପଲକ୍ଷେ ଏକ କବିତା ପାଠୋତ୍ସବର ଆୟୋଜନ କରାଇଲେ । ପୂର୍ବରୁ ଘୋଷଣା କରାଗଲା କି ଯିଏ ପରମଶିବଙ୍କ ଉପରେ ଏକଶହ କବିତା ଶୁଣାଇବେ ସେ “ସରସ୍ୱତୀ ପୁତ୍ର” ଉପାଧି ପାଇବେ ଓ ଏକହଜାର ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ।

                ସେହି ପ୍ରତିଯୋଗିତାରେ ରଜନୀଚନ୍ଦ୍ର ନାମକ ପଚିଶବର୍ଷର ଯୁବକ ଓ ନାରାୟଣ ଶର୍ମା ନାମକ ଅଶୀବର୍ଷର ବୃଦ୍ଧ ସମାନ ଭାବରେ ଯୋଗ୍ୟ ବିବେଚିତ ହେଲେ । ସଭାରେ ସମସ୍ତେ ଜାଣିବାକୁ ଉତ୍ସୁକ ଥିଲେ କି କାହାକୁ ପୁରସ୍କାର ଦିଆଯିବ ।

                ଜମିଦାର ବହୁ ଆଲୋଚନା ବିଚାର କରିବା ପରେ ବୃଦ୍ଧ ନାରାୟଣ ଶର୍ମାଙ୍କୁହିଁ ପୁରସ୍କାର ଦେଲେ ଓ ତାଙ୍କୁହିଁ “ସରସ୍ୱତୀ ପୁତ୍ର” ଉପାଧି ମିଳିଲା ।

                ସଭା ଶେଷ ହେବା ପରେ ଦେବାନ୍, ଜମିଦାରଙ୍କୁ ପଚାରିଲେ, “ଆଜ୍ଞା, ନାରାୟଣ ଶର୍ମାଙ୍କୁ ବିଜେତା ଘୋଷିତ କରିବାର କିଛି ବିଶେଷ କାରଣ ଅଛି କି?”

ଜମିଦାର କହିଲେ “ନିଶ୍ଚୟ ଅଛି । ରଜନୀଚନ୍ଦ୍ର ଯୁବକ । ଆଜି ନହେଲେ ବି କାଲି ତ ସେ ନିଶ୍ଚୟ ପୁରସ୍କାର ପାଇବେ । କାହିଁକିନା ଏଥିଲାଗି ତାଙ୍କର ତ ସାରାଜୀବନ ପଡିଛି । କିନ୍ତୁ ନାରାୟଣଶର୍ମାଙ୍କର ଅଶୀବର୍ଷ ହୋଇ ଗଲାଣି । ସେ ପାଚିଲା ପତ୍ର ପରି କେତେ ବେଳେ ଯେ ଝଡି ପଡିବେ ତା’ର କିଛି ବି ଠିକ୍ ଠିକଣା ନାହିଁ । ସେଥିପାଇଁ ତାଙ୍କୁ ଏଥର ପୁରସ୍କାର ଦେଇ ନଥିଲେ, ହୁଏତ ଆଉ କେବେବି ତାଙ୍କୁ ପୁରସ୍କାର ଦେବାର ସୌଭାଗ୍ୟ ଆମର ହୋଇ ନ ଥା’ନ୍ତା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ