କନକ ଉପତ୍ୟକାର କାହାଣୀ

(ଆପାତତଃ ରାଜୁ ଆସି ଏପରି ଏକ ରାଜ୍ୟରେ ପହଁଚିଛି, ଯେଉଁଠି ଲୋକେ ସର୍ବଦା ସନ୍ତୁଷ୍ଟ । କାହାରି ମନରେ କିଛି ପାଇବା ପାଇଁ ଆଶା ନାହିଁ; ତେଣୁ ହତାଶା ବି ନାହିଁ । ରାଜକୁମାରୀ ଯେପରି ଗୀତ ଗାଇ ପାରିବେ ସେହି ବର ଆଣିଦେବାର ପ୍ରତିଶୃତି ଦେଇ ରାଜୁ ତାଙ୍କ ସାହାଯ୍ୟରେ ତା’ର ଲକ୍ଷ୍ୟ ସ୍ଥଳରେ ପହଁଚିବାକୁ ବହୁତ ଉଦ୍ୟମ କଲା । ତା’ପରେ…)

ହରିଣଟିଏ ଦୌଡିଯାଉଥିବାର ଦେଖି ରାଜକୁମାରୀ ପାଟି କରି କହିଲେ, “ହରିଣ! ନୀଳ ପର୍ବତ ଶୀଖରରେ ଏ ବର୍ଷର ନକ୍ଷତ୍ର ଫଳଟି ଫଳି ସାରିଛି କି ନାହିଁ ଟିକିଏ ଦେଖିଲୁ!”

ହରିଣ ସଙ୍ଗେ ସଙ୍ଗେ ପାଖରେ ଥିବା ପାହାଡ ଶୀର୍ଷକୁ ଚଢିଗଲା । କିନ୍ତୁ ପଛ ଦୁଇଗୋଡ ଉପରେ ଭାରସାମ୍ୟ ରକ୍ଷା କରି ସେ ସିଧା ଠିଆ ହୋଇ ଦୃଷ୍ଟିପାତ କରିବା ସତ୍ତ୍ୱେ ନୀଳ ପାହାଡ ତା’ ଦୃଷ୍ଟିର ଆଢୁଆଳରେହିଁ ରହିଲା । ତା’ ଇଙ୍ଗିତରେ ଗୋଟିଏ ସୁକୁମାର ଶଶକ ତା’ ଉପରେ ଚଢିଯାଇ ବେକ ଯଥା ସମ୍ଭବ ଲମ୍ବାଇ ଅନାଇଲା, କିନ୍ତୁ ନକ୍ଷତ୍ର ତରୁ ତା’ ଆଖିରେ ବି ପଡିଲା ନାହିଁ । ତା’ ଡାକରା ପାଇ ଗୁଣ୍ଡୁଚିମୂଷାଟିଏ ଆସି ତା’ ଉପରେ ଠିଆ ହୋଇ ବହୁ କସ୍ରତ୍ କଲା, କିନ୍ତୁ ଫଳ ହେଲା ନାହିଁ । ସେଉଠୁ ଗୁଣ୍ଡୁଚି ଅଦୂରର ବୃକ୍ଷଟିଏ ଉପରେ ବସିଥିବା ଚଢେଇକୁ କିଛି କହିଲା । ଚଢେଇ ତା’ ମୁଣ୍ଡ ଉପରେ ଉଡୁଥିବା ଗୋଟିଏ ଛଂଚାଣକୁ ଜିଜ୍ଞାସାଟି ଜଣାଇଦେଲା । ଛଂଚାଣ ଥରେ ଚକ୍ରାକାରେ ବୁଲି ନକ୍ଷତ୍ର ତରୁ ଆଡେ ତୀର ଭଳି ଉଡିଯାଇ ଫେରି ଆସି ଖବର ଦେଲା: ଦିନକ ଭିତରେ ଫଳ ପାଚିଯିବ ।”

“ଚମତ୍କାର!” ରାଜକୁମାରୀ ଆନନ୍ଦରେ ହାତତାଳି ଦେଇ ରାଜୁକୁ କହିଲେ, “ଦିନଟିଏ ଏଠି କଟାଇ ତା’ପରେ ନକ୍ଷତ୍ର ଫଳ ଖାଇଦେଲେ ତମ ଲକ୍ଷ୍ୟ ସ୍ଥଳକୁ ଚାଲିଯିବ ।”

ସେ ରାଜ୍ୟରେ ଦିନଟିଏ ରହିବା ଭିତରେ ରାଜୁର କେତେ ଅଭିଜ୍ଞତା ହୋଇଗଲା । ସେ ରାଜ୍ୟର ଲୋକେ ନିୟୁତ ସୁଖୀ । ସେମାନଙ୍କର ପୁଣି ରହିଛି କେତେ ଅଦ୍ଭୁତ କାମ କଲାଭଳି ଶକ୍ତି । ଜହ୍ନ ଆଲୁଅ  ନୀଳାଭ ନା ସବୁଜାଭ ନା ସ୍ୱର୍ଣ୍ଣାଭ ନା ରୂପେଲି ହେବ, ସେମାନଙ୍କ ବରାଦ ଉପରେ ତାହା ନିର୍ଭର କରୁଥିଲା । ସେମାନେ କଳ୍ପନା କରୁଥିଲେ କେତେ ମଧୁର ଘଟଣା ଓ ଦୃଶ୍ୟାବଳି । ଯଦି ସେସବୁ କଳ୍ପନାକୁ ସେମାନେ ଆଙ୍କି ପକାଉଥିଲେ, ତେବେ ସେମାନେ ଚାହିଁଲେ ସେସବୁ ଅଙ୍କନ ବାସ୍ତବ ଘଟଣା ଓ ଦୃଶ୍ୟରେ ପରିଣତ ହୋଇଯାଉଥିଲା । ଫଳରେ ସେମାନେ ଅଜବ ହର୍ମ୍ୟମାଳା, ଅପୂର୍ବ ଫୁଲ ଫଳ ଭରା ଉଦ୍ୟାନ ବେଷ୍ଟିତ ସରୋବରମାନ ଓ ଆହୁରି କେତେ ଅଦ୍ଭୁତ ଜିନିଷ ସୃଜନ କରୁଥିଲେ । ସେସବୁ ଅବଶ୍ୟ ଦୀର୍ଘସ୍ଥାୟୀ ହେଉ ନଥିଲା, କିନ୍ତୁ ସେଥିପାଇଁ ସେମାନଙ୍କର କିଛିବି ଅବଶୋଷ ନଥିଲା ।

କିନ୍ତୁ ରାଜକୁମାରୀଙ୍କ ପ୍ରତି ତା’ର ପ୍ରବଳ ଆକର୍ଷଣ ସତ୍ତ୍ୱେ ରାଜୁ ସେଠାକାର ବାତାବରଣରେ ଅଧୈର୍ଯ୍ୟ ଅନୁଭବ କଲା । କିଛି ଅସମ୍ଭବ ବା ଦୁଃସାହସିକ କାମ କଲାଭଳି କ୍ଷମତା ଏ ସନ୍ତୋଷ ରାଜ୍ୟର ବାସିନ୍ଦାମାନଙ୍କର ନଥିଲା । ସେମାନଙ୍କ ମନରେ ଆଶଙ୍କା ଯେମିତି ନଥିଲା, ସେମିତି କିଛି ଆଶା ବି ନଥିଲା । ରାଜୁର ତ ମନେ ହେଲା, ଆଶା କ’ଣ ସେତକ ସେମାନେ ଜାଣି ନାହାଁନ୍ତି!

ରାଜକୁମାରୀ ତାକୁ ନୀଳ ପର୍ବତ ଶୀଖରକୁ ନେଇ ଗଲାବେଳେ ରାଜୁ ବିମର୍ଷ କଣ୍ଠରେ କହିଲା, “ଆମେ ମଣିଷମାନେ ଏତେ ବିସ୍ମୟକର କାମ କରିବାକୁ ସକ୍ଷମ, ଯାହା ତମ ଭଳି ସଦା-ସନ୍ତୁଷ୍ଟ ସୁନ୍ଦର ପ୍ରାଣୀମାନେ କଳ୍ପନାକୁ ବି ଆଣି ପାରିବ ନାହିଁ । କିନ୍ତୁ ଆମର ଦୁର୍ଭାଗ୍ୟ ହେଲା, ଆମର ଶକ୍ତି ଓ ସ୍ୱାଧୀନତାକୁ ଆମେ ପ୍ରାୟ ମନ୍ଦ କାମରେହିଁ ଲଗାଇଥାଉ ।”

ରାଜକୁମାରୀ ପଚାରିଲେ “କିନ୍ତୁ ମଣିଷ ବଦଳି ପାରିବ, ପ୍ରାଣୀ ପାରିବ ନାହିଁ?”

“ପାରିବ, ଯଦି ଚାହିଁବ । କିନ୍ତୁ ଯେତେ ଅଜବ ଶୁଭିଲେ ବି ସତ କଥାଟି ହେଲା, ମଣିଷ ନିଜର ଅଜ୍ଞାନତାକୁ ଭାରି ପ୍ରେମ କରେ, ଗେଲ କରେ । ଅନ୍ତତଃ ମୋର ଦିଗଦର୍ଶକ ତପସ୍ୱୀ ଏଇକଥା କହୁଥିଲେ ।”

ସୂର୍ଯ୍ୟୋଦୟ ହେଉଥିଲା । ସନ୍ତୋଷର ସେ ରାଜ୍ୟରେ ପ୍ରଶାନ୍ତ ଦ୍ୟୁତି ଚମକି ଉଠୁଥିଲା । ନୀଳ ପାହାଡ ଉପରେ ନକ୍ଷତ୍ର ତରୁ ଶାଖାରେ ଗୋଟିଏ ମାତ୍ର ଫଳ ଫଳିଥିଲା । ସେ ଗୋଟିକ ବାସ୍ତବିକ ନକ୍ଷତ୍ର ଭଳି ଚମକୁଥିଲା । ରାଜକୁମାରୀ ତାହା ତୋଳି ରାଜୁକୁ ଧରାଇ ଦେଲେ ।

“ସେ ନିମ୍ନଦେଶକୁ ଅନାଅ । ଦେଖିବ ତମ ଲକ୍ଷ୍ୟସ୍ଥଳୀର ସୀମାନ୍ତ । କିନ୍ତୁ ସେ ସୀମାନ୍ତରେ ସର୍ବଦା ପ୍ରଚଣ୍ଡ ଝଡ ଲାଗିଥାଏ । ନିୟୁତ ବଜ୍ରାଘାତ ହେଉଥାଏ । ଭୀମକାୟ ଏକ ଏକ ଶିଳାଖଣ୍ଡ ଘୁର୍ଣ୍ଣିବାତ୍ୟାରେ ଘୁରି ଘୁରି ଉପରକୁ ଉଡିଯାଏ ଓ ତା’ପରେ ତଳେ ପଡି ଧୂଳିସାତ୍ ହୋଇଯାଏ । ଗିରିସଙ୍କଟ ସବୁ ହୁଏତ କିଟି କିଟି ଅନ୍ଧକାର, ନଚେତ୍ ଗୋଟିଏ ପ୍ରକାର ଅଦ୍ଭୁତ ଆଲୁଅରେ ଦୀପ୍ୟମାନ । ତମେ ଏ ଫଳଟି ଖାଇ ଅଗ୍ରସର ହେଲେ ପ୍ରାକୃତିକ ଝଡ ଝଞ୍ଜା ବା ଘୁର୍ଣ୍ଣିବାୟୁ ତମର କିଛି କ୍ଷତି କରିବ ନାହିଁ, କିନ୍ତୁ କୌଣସି ଆଧିଭୌତିକ ଶକ୍ତି କ୍ଷତି କରିପାରେ – ବିଶେଷ କରି ତମେ ଯଦି ଡରିଯିବ । ତମ ଭିତରେ ଭୟ ନଥିଲେ ସେମାନେ ତମର ତିଳେ ହେଲେ ମଧ୍ୟ ହାନି କରିପାରିବେ ନାହିଁ ।”

ରାଜକୁମାରୀ ରାଜୁକୁ ବିଦାୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ