ବିଷ୍ଣୁ ପୁରାଣ

କପିଳବାସ୍ତୁ ନଗର ଟପି ଅନେକ ଦୂର ଯିବା ପରେ ସିଦ୍ଧାର୍ଥ ନିଜର ତରବାରୀ, ଉତରୀୟ ତଥା ଅଙ୍ଗଭୁଷଣମାନ ସାରଥୀ ଚେନ୍ନାକୁ ଦେଇ କହିଲେ, “ଚେନ୍ନା, ତମେ ପିତାଙ୍କୁ ମୋର ପ୍ରଣାମ ଜଣାଇବ ଓ ତାଙ୍କୁ କହିବ ସିଦ୍ଧାର୍ଥ ଏ ବିଶାଳ ବିଶ୍ୱ ପାଇଁ ପରିବର୍ତ୍ତନ ଆଣିବା ସକାଶେ ପ୍ରାଣୀମାନଙ୍କର କଷ୍ଟ ଦୂର କରିବା ମାନସରେ ଯାଇଛନ୍ତି, ସଫଳ ହୋଇ ଫେରି ଆସିବେ । ରାଜା ନିଜ ପୁତ୍ରର ନାମକୁ ସାର୍ଥକ କରିବା ପାଇଁ ମତେ ଯେପରି ଆଶିର୍ବାଦ କରନ୍ତି ।”

                ଚେନ୍ନା ଏସବୁ ଶୁଣି ହତବମ୍ବ ହୋଇଗଲା । ତା’ ଆଖିରୁ ଅବିରଳ ଅଶ୍ରୁଧାରା ବହୁଥାଏ । ସିଦ୍ଧାର୍ଥ ତାକୁ କହିଲେ, “ଚେନ୍ନା, ବାଲ୍ୟକାଳରୁ ମାତୃପ୍ରେମରୁ ବଂଚିତ ମୋତେ ତମେ କେତେ ଖେଳେଇଛ, ବୁଲେଇଛ । ମା’ପରି ମୋ ସହିତ ବାତ୍ସଲ୍ୟପୂର୍ଣ୍ଣ ବ୍ୟବହାର କରିଛ । ତୁମର ଋଣ ତ ମୁଁ କେବେବି ଶୁଝିପାରିବି ନାହିଁ । ମାୟାମୋହପୂର୍ଣ୍ଣ ସଂସାର ଛାଡି ସମସ୍ତ ପ୍ରାଣୀଙ୍କର ଦୁଃଖ ଘୁଞ୍ଚାଇବାକୁ ଦୃଢସଂକଳ୍ପ ହୋଇ ବିଶାଳ ବିଶ୍ୱକୁ ମୁଁ ଯେତେବେଳେ ପାଦ ବଢେଇଲି ତମେହିଁ ମୋତେ ସାହାଯ୍ୟ କରି ନେଇ ଆସିଛ । କେବଳ ତମେହିଁ ମୋ ସାଧନାର ପ୍ରଥମ ସହଯୋଗକାରୀ । ଏବେ ତମେ ଘରକୁ ଫେରିଯାଇ ନିଜର କର୍ତ୍ତବ୍ୟ ସମ୍ପାଦାନ କର ।” ଏତିକି କହି ସିଦ୍ଧାର୍ଥ ଚେନ୍ନାର କାନ୍ଧରେ କ୍ଷଣକ ପାଇଁ ହାତ ରଖି ପୁଣି ଧୀରେ ଧୀରେ ସେଇ ଜଙ୍ଗଲ ଆଡକୁ ଅଗ୍ରସର ହୋଇ କୁଆଡେ ଚାଲିଗଲେ ।

                ଚେନ୍ନା ବଲ୍ବଲ୍ କରି ଅନାଇ ଥାଏ । କିନ୍ତୁ ସିଦ୍ଧାର୍ଥ ଥରେ ହେଲେ ମଧ୍ୟ ପଛକୁ ଫେରି ଆଉ ଅନାଇଲେ ନାହିଁ । ଧୀର କିନ୍ତୁ ଦୃଢ ପଦକ୍ଷେପରେ ସେ ଦୀର୍ଘ ବନପଥ ଭିତରେ ଅଗ୍ରସର ହେଲେ । ବୃକ୍ଷ ଉପରୁ ପକ୍ଷୀମାନେ କଳରବ କରି ତାଙ୍କୁ ଦେଖୁଥାନ୍ତି । ଦୁଇଚାରିଗୋଟି ହରିଣ ଆସି ସତେ ଅବା ବିସ୍ମୟ ଭରେ ତାଙ୍କ ଆଡେ ଦୃଷ୍ଟିପାତ କରି ପୁଣି ବଣ ଭିତରକୁ ଦୌଡି ପଳାଇଗଲେ ।

                କିଛିଦୂର ପରେ ବନପଥ ବାଙ୍କ ବୁଲିଥାଏ । ସିଦ୍ଧାର୍ଥ ସେହିପଥ ଧରିଲେ । ସେ ଆଉ ଦେଖାଗଲେ ନାହିଁ ।

                ଚେନ୍ନାର ଯେପରି ଚୈତନ୍ୟ ଲୋପ ପାଇଥିଲା । ସ୍ତମ୍ଭୀଭୂତ ଚେନ୍ନା କ୍ଷଣକ ପରେ ସଜାଗ ହୋଇ ଦେଖିଲା ସିଦ୍ଧାର୍ଥ ସେଠି ଆଉ ନାହାଁନ୍ତି । ଏଣୁ ତା’ର ମନ ଗଭୀର ଦୁଃଖରେ ଭରିଗଲା । ସିଦ୍ଧାର୍ଥଙ୍କର ପିଲାଦିନର ସବୁକଥା ତା’ର ମନେ ପଡିଗଲା । କେତେ ବିଳାସ ବ୍ୟସନରେ ତାଙ୍କୁ ବଢିବାକୁ ଦିଆଯାଇଥିଲା । ସର୍ବଦା ଦାସଦାସୀ ଖଟୁଥିଲେ । ସେ ଯାହା ଇଚ୍ଛା କରନ୍ତି, ତାହା ତାଙ୍କୁ ମିଳିଯାଏ । କପିଳବାସ୍ତୁ ବିଶେଷ ବଡ ରାଜ୍ୟ ନ ହେଲେ ମଧ୍ୟ ତାହା ଏକ ସମୃଦ୍ଧ ରାଜ୍ୟ । ତା’ର ଗନ୍ତାଘରେ ଧନରତ୍ନ ସବୁ ପୁରି ରହିଛି । ମାତ୍ର ସିଦ୍ଧାର୍ଥ ସେସବୁ ପ୍ରତି ତିଳେ ହେଲେ ବି ଆଗ୍ରହ ପୋଷଣ କଲେ ନାହିଁ! ସେ ଆଜି ଏମିତି ସବୁ ତ୍ୟାଗ କରି ଚାଲିଗଲେ! କିଛିକ୍ଷଣ ସେଠାରେ ରହି ସେ କପିଳବାସ୍ତୁ ଫେରି ଆସିଲା । ସେତେବେଳକୁ ରାତି ବି ପାହି ଆସୁଥାଏ । ଚେନ୍ନା ସେ ଦିନର ଦାରୁଣ ସମ୍ବାଦ ରାଜା ସୁଦେ୍ଧାଦନଙ୍କୁ ଦେଲା । ରାଜା ସେହି ସମ୍ବାଦଟି ଶୁଣି ମୁର୍ଚ୍ଛା ହୋଇ ହଠାତ୍ ପଡିଗଲେ ।

                ଯଶୋଧାରା ତାଙ୍କ ପୁଅ ରାହୁଳକୁ ଧରି କହିଲେ, “ପୁଅ ତୁ ବି ତୋ ପିତାଙ୍କୁ ବନ୍ଦ କରି ରଖିପାରିଲୁ ନାହିଁ?” ଏତିକି କହି ସେ ମଧ୍ୟ ଖାଲି ବିଳାପ କରିବାକୁ ଲାଗିଲେ । କିଛି ସମୟ ପରେ ଯଶୋଧାରା ନିଜର ଦୁଃଖ ଓ ଅଶ୍ରୁ ନିୟନ୍ତ୍ରଣ କରି ମନେ କରିବାକୁ ଲାଗିଲେ ସ୍ୱାମୀଙ୍କର ମୁଖମଣ୍ଡଳରେ ମହାପୁରୁଷର ଚିହ୍ନ ଥିଲା । ସେ ତ ଅନେକ ପୂର୍ବରୁ ଏହା ଜାଣିଥିଲେ ଯେ ଦିନେ ନା ଦିନେ ଏପରି କିଛି ଘଟଣା ଅବଶ୍ୟ ଘଟିବ । ସେ ଧୈର୍ଯ୍ୟ ଧରି ରାଜାଙ୍କ ପାଖକୁ ଗଲେ ଓ କହିଲେ, “ବାବା, ଆପଣଙ୍କ ପୁତ୍ର କ’ଣ ଏକ ସାଧାରଣ ମଣିଷ? ସେ ଦିନେନା ଦିନେ ଶାକ୍ୟବଂଶକୁ ନିଶ୍ଚୟ ଉଜ୍ୱଳ କରିବେ । ଆପଣ ଯେପରି କପିଳବାସ୍ତୁର ପ୍ରଜାଙ୍କର ମଙ୍ଗଳ ଚାହାଁନ୍ତି ସେ ବି ଠିକ୍ ସେହିପରି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ଓ ପ୍ରାଣୀମାନଙ୍କୁ ଅଜ୍ଞାନରୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି । ତାଙ୍କ କାମ ଅତି ସହଜରେ ହୋଇ ପାରିବ ବୋଲି ସେ ରାଜମହଲ ଛାଡି ଯାଇଛନ୍ତି ।”

                ଶୁଦ୍ଧୋଦନ ଯଶୋଧାରାଙ୍କ ମୁହଁରୁ ଏସବୁ ଜ୍ଞାନଗର୍ଭକ ସାନ୍ତ୍ୱନା ବାକ୍ୟ ଶୁଣି ଧୈର୍ଯ୍ୟ ଧରି ରହିଲେ । ତା’ପରେ ଯଶୋଧାରା ପୁତ୍ର ରାହୁଳକୁ ଶୁଦ୍ଧୋଦନଙ୍କ ହାତରେ ଦେଇ କହିଲେ, “ବାବା, ଚିନ୍ତା କରନ୍ତୁ ନାହିଁ । ଏଇ ରାହୁଳ ତ ତାଙ୍କରି ରକ୍ତରେ ଗଢା ପ୍ରତିମା, ଆପଣଙ୍କର ସେ ପ୍ରିୟ ନାତି । ୟାକୁ ଦେଖି ଆପଣ ପୁତ୍ରଶୋକ ଭୁଲିଯା’ନ୍ତୁ ।”

                ଶୁଦ୍ଧୋଦନ ପ୍ରକୃତିସ୍ଥ ହେଲେ । ତା’ପରେ ରାହୁଳକୁ ତା’ର ପିତାଙ୍କର ଯୋଗ୍ୟ ପୁତ୍ର କରିବା ପାଇଁ ଯଶୋଧାରା ଅତି ଯତ୍ନରେ ତାକୁ ପାଳିଲେ ।

                ପ୍ରାଣୀଜଗତର କଷ୍ଟ ଦୂର କରିବାର ସତ୍ୟର ଅନ୍ୱେଷଣ କରୁ କରୁ ସିଦ୍ଧାର୍ଥ ବହୁତ ସ୍ଥାନ ଭ୍ରମଣ କଲେ । ସେ ବହୁ ସ୍ଥାନରେ ବହୁ ପଣ୍ଡିତଙ୍କୁ ଭେଟି ମଣିଷ ଜୀବନରୁ ଦୁଃଖ ଯାତନା କିପରି ଦୂର ହୋଇପାରିବ, ସେ ପ୍ରଶ୍ନ କଲେ । ସେମାନେ ଶାସ୍ତ୍ର ବାକ୍ୟ ସବୁର ଯେପରି ବ୍ୟାଖ୍ୟା କଲେ ଓ ତାଙ୍କ ପ୍ରଶ୍ନର ଯେପରି ଉତ୍ତର ଦେଲେ, ସେଥିରେ ତାଙ୍କର କୌଣସି ହୃଦ୍ବୋଧ ହେଲା ନାହିଁ । ଅନେକ ପଣ୍ଡିତ ଯେପରି ଭାବରେ ସମସ୍ୟାର ସମାଧାନ କରି ଦେଉଥିଲେ, ତାହା ଯୁକ୍ତିପୂର୍ଣ୍ଣ ଓ ଦାର୍ଶନିକ । କିନ୍ତୁ ସିଦ୍ଧାର୍ଥ ଦେଖୁଥିଲେ, ଯୁକ୍ତି ମନକୁ ସନ୍ତୁଷ୍ଟ କରି ପାରିବ ସିନା, ହେଲେ ତାହା ତାଙ୍କ ସମସ୍ୟାର ସମାଧାନ ଆଦୌ କରି ପାରିବ ନାହିଁ । ସେ କେହି କେହି ତାମ୍ଳୀଙ୍କୁ ମଧ୍ୟ ଭେଟିଲେ । ସେମାନେ ସନ୍ତୁଷ୍ଟ ଜୀବନ ଯାପନ କରୁଛନ୍ତି ବୋଲି ସେ ମଧ୍ୟ ବୁଝିଲେ । କିନ୍ତୁ ସେଥିରେ ବି ତାଙ୍କ ସମସ୍ୟାର ସମାଧାନ ନଥିଲା । ଥରେ ସେ ଭୋକ ଉପାସରେ ନିଜ ଚୈତନ୍ୟ ହରାଇ ପଡିଲେ । ଗୋପାଳବାଳକମାନେ ତାଙ୍କୁ ଦୁଧ ପିଆଇ ତାଙ୍କୁ ସୁସ୍ଥ କରାଇଲେ । ଭିକ୍ଷୁ ଭାବରେ ସେ ଦେଶାଟନ କରୁ କରୁ ଅନେକ ସାଧୁ, ସନ୍ଥଙ୍କ ସମ୍ପର୍କରେ ଆସିଲେ । ସେମାନେ ସମସ୍ତେ ସିଦ୍ଧାର୍ଥଙ୍କୁ ଉପଦେଶ ଦେଲେ କି ତପସ୍ୟା ଦ୍ୱାରାହିଁ ଲକ୍ଷ୍ୟ ସିଦ୍ଧ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ