ଭୀମର ଭାଗ୍ୟ

ଭୀମ ଯେମିତି ବଳୁଆ, ଠିକ୍ ସେମିତି ସେ ସାହସୀ ମଧ୍ୟ । ଗାଁ ଲୋକେ ତାକୁ ବଡ ଭଲ ପାଉଥିଲେ । ଯାହା ଘରେ ପିଠାପଣା ହେଲେ ସେଥିରୁ ତାକୁ ଭାଗ ମିଳୁଥିଲା । କାରଣ, ତା’ର ନିଜର ବୋଲି କେହିବି ନଥିଲେ । ସେ ଶିଶୁଥିବା ସମୟରେ ତା’ର ମା ବାପା ଏ ସଂସାର ଛାଡି ଚାଲି ଯାଇଥିଲେ । କକା ଘରେ ରହି ସେ ମଣିଷ ହୋଇଥିଲା । କକା ବି ଆଉ ଇହଧାମରେ ନଥିଲେ ।

ଭୀମ ସବୁବେଳେ ଉଦାସ ରହୁଥାଏ । ଲୋକେ ଭାବୁଥାନ୍ତି, ସଂସାରରେ ତା’ ନିଜ ଲୋକ ଆଉ କେହି ନାହିଁ ବୋଲି ତା’ ମନରେ ଆଦୌ ସୁଖ ନାହିଁ । ତେଣୁ ସମସ୍ତେ ତାକୁ ଅଧିକ ମାତ୍ରାରେ ସ୍ନେହ କରୁଥିଲେ । କିନ୍ତୁ ସେଥିରେ ବିଶେଷ କିଛି ଫଳ ହେଲା ପରି ଲାଗୁ ନଥିଲା ।

ଭୀମ ଗାଁର ଜମିଦାରଙ୍କ ସହିତ ପାଖରେ ଥିବା ଆଉ ଗୋଟିଏ ଗାଁର ଜମିଦାରଙ୍କର ଭୀଷଣ ଶତ୍ରୁତା ଥିଲା । ଦିନେ ଜମିଦାରଙ୍କ ଟିକିପୁଅକୁ ଏକୁଟିଆ ଅବସ୍ଥାରେ ପାଇ ତାକୁ ଶତ୍ରୁ ଜମିଦାରର ଚର ଧରିନେଇ ପଳାଇ ଯାଉଥିଲା । ଭୀମ ଗାଁ ବାହାରେ ସରୋବର କୂଳରେ ଏକୁଟିଆ ବସିଥିଲା । ସେ ହଠାତ୍ ଏସବୁ ଘଟଣା ଦେଖି ପକାଇଲା । ସେ ଲକ୍ଷ୍ୟ କଲା, ଲୋକଟି ଜମିଦାରଙ୍କ ଟିକିପୁଅର ମୁହଁ ଚାପି ଧରିଛି – ଯେମିତିକି ସେ ଆଉ ପାଟି କରିପାରିବ ନାହିଁ ।

ଭୀମ ଆଗକୁ ବାହାରି ଆସି ସେ ଲୋକକୁ ପ୍ରଶ୍ନ କଲା “ତୁମେ କିଏ? ସେ ପିଲାକୁ କୁଆଡେ ନେଇ ଯାଉଛ?”

ପିଲାଚୋର ଦୌଡିବାକୁ ଆରମ୍ଭ କଲା । ଅଳ୍ପ ଦୂରରେ ଘୋଡାଗାଡି ଠିଆ ହୋଇଥାଏ । ଭୀମ ଦେଖି ନଥିଲେ ସେ ଲୋକଟି ପିଲାକୁ ଧରି ଘୋଡାଗାଡିରେ ପଶିଯାଇଥାନ୍ତା ଓ ଗାଡିବାଲା କ୍ଷୀପ୍ରଗତିରେ ଗାଡି ଛୁଟାଇ ଦେଇଥାନ୍ତା ।

ଚୋର ଯେମିତି ଦୌଡିବାକୁ ଆରମ୍ଭ କରିଛି, ଭୀମ ତା’ ଆଗକୁ ଲଂପଂ ଦେଇ ତା ହାତ ଧରି ପକାଇଲା । ଚୋର ଶେଷକୁ ବାଧ୍ୟ ହୋଇ ପିଲାଟିକୁ ଛାଡିଦେଲା । କାହିଁକିନା ସେ ଜଣେ ପହେଲ୍ବାନ୍ ଥିଲା । ତଥାପି ମଧ୍ୟ ଭୀମର ଦୁଇ ଚାରି ବିଧାରେ ସେ କେମିତି ପ୍ରାଣ ଧରି ପଳାଇବ, ସେଥିପାଇଁ ବାଟ ପାଇଲା ନାହିଁ ।

ପିଲାଟିକୁ ଧରି ଭୀମ ଜମିଦାରଙ୍କ ଘରେ ଯାଇ ପହଁଚିଲା । ସେ ପିଲା-ଚୋର ସହ ଭୀମର ଲଢେଇ ସେତେବେଳକୁ ଗାଁର ଦଳେ ଲୋକ ଆସି ଦୂରରୁ ଦେଖି ପାରିଥାନ୍ତି । ସେମାନଙ୍କୁ ଧରି ଜମିଦାର ଶତ୍ରୁ ଜମିଦାର ବିରୁଦ୍ଧରେ ନାଲିଶ୍ କରିବାକୁ ରାଜଦରବାରକୁ ଗଲେ । ଭୀମକୁ ପୁରସ୍କାର ହିସାବରେ ଗୋଟାଏ ସୁନା ମୋହର ଦେଇଗଲେ ।

ଲୋକେ ଭୀମର ବହୁତ ପ୍ରଶଂସା କଲେ ଓ ସେ ସୁନା ମୋହର ପାଇଥିବାରୁ ତାକୁ ଅଭିନନ୍ଦନ ବି ଜଣାଇଲେ । ବୟସ୍କ ଲୋକେ ତାକୁ ସତର୍କ କରାଇଦେଇ କହିଲେ “ଟୋକା! ମୋହର ସାବଧାନରେ ରଖିବୁ! ନହେଲେ ତାକୁ ଖଂଟ ନେଇଯିବ!” ସେହି ମୋହର ପାଇ ଭୀମ ଯେତିକି ଖୁସି ହୋଇଥିଲା, ତାକୁ ସାବଧାନରେ କେମିତି ରଖିବ, ସେ ଚିନ୍ତାରେ ସେ ପୁଣି ସେତିକି ମାତ୍ରାରେ ଭାଙ୍ଗି ପଡିଲା ।

ସୁନା ମୋହର କିଛି କମ୍ କଥା ନୁହେଁ । ନିଜ ଭଙ୍ଗା ଘରେ ଭୀମ ବା ତାକୁ କେମିତି ରଖିବ? ସରୋବର କୂଳରେ ସେ ଠାଏଁ ତାକୁ ପୋତି ଦେଲା । ଉକ୍ତ ଯାଗାଟିକୁ ଚିହ୍ନିବା ସକାଶେ ସେଠି ସେ ଗୋଟିଏ ଫୁଲ ଚାରା ଲଗାଇଲା ।

ଏ ଘଟଣାର କେଇଦିନ ପରେ ଖୋଦ୍ ରାଜା ଘଟଣାର ତଦନ୍ତ ପାଇଁ ସେ ଗାଁକୁ ଆସିଲେ । ସେ ସେହି ଜମିଦାରଙ୍କ ଘରେ ଅତିଥି ହୋଇଥାନ୍ତି । ଭୀମ ତାଙ୍କ ସେବାରେ ଲାଗିଥାଏ । ଭୀମ ସହ କଥାବାର୍ତ୍ତା କରି ରାଜା ବହୁତ ଖୁସି ହେଲେ । ଯିବା ପୂର୍ବଦିନ ସେ ଭୀମକୁ ପଚାରିଲେ, “ଭୀମ କହ, ତୋତେ ମୁଁ କ’ଣ ପୁରସ୍କାର ଦେବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ