ଧର୍ମବତୀ କଥା

ତ୍ରୟୋବିଂଶ ଦିନ ଭୋଜରାଜ ନିଜର ନିତ୍ୟକର୍ମ ଶେଷକରି ଶୁଭଲଗ୍ନ ଦେଖି ସିଂହାସନ ପାଖରେ ଯାଇ ପହଁଚିଲେ । ଆରୋହଣ କରିବାତ ଦୂରର କଥା ସେଥିରେ ପାଦ ଥାପିବା ମାତ୍ରେ ତ୍ରୟୋବିଂଶତମା ପୁତ୍ତଳିକା ଧର୍ମବତୀ ତାଙ୍କ ସାମ୍ନାରେ ଛିଡା ହୋଇ କହିଲା, “ହେ ଭୋଜରାଜ! ମୁଁ ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ପୁତ୍ତଳିକା ଧର୍ମବତୀ । ସେ କିପରି ନୀତିନିଷ୍ଠ ଏବଂ ତତ୍ୱଜ୍ଞ ଥିଲେ ସେ ସଂପର୍କରେ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ । ତା’ପରେ ସମୀକ୍ଷା କରି ଦେଖିବେ ଆପଣ ତାଙ୍କ ସହିତ ସମକକ୍ଷ କି ନୁହଁନ୍ତି ।

       ଥରେ ମହାରାଜ ବିକ୍ରମାଦିତ୍ୟଙ୍କ ଦରବାରରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଆଲୋଚନା ହେଉଥିଲା । ପ୍ରସଙ୍ଗଟି ଥିଲା “ମଣିଷର ସଂସ୍କାର ଏବଂ ସମ୍ମାନ ତା’ର କୁଳ ଏବଂ ବଂଶ ପରମ୍ପରା ଅନୁସାରେ ନା କର୍ମ ଅନୁସାରେ ପ୍ରଭାବିତ ହୋଇଥାଏ?”

       ଆଲୋଚନା ଚାଲିଲା । ମାତ୍ର କୌଣସି ନିଷ୍ପତି ନିଆ ଯାଇ ପାରିଲା ନାହିଁ । ଦଳେ କହିଲେ ମଣିଷ ଯେଉଁ କୁଳରେ ଜନ୍ମ ହୋଇଥାଏ, ସେଇ କୁଳର ପ୍ରଭାବ ଅନୁସାରେ ତା’ ଭିତରେ ସଂସ୍କାର ଜାତ ହୋଇଥାଏ । ଅନ୍ୟଦଳେ କହିଲେ କର୍ମ ଅନୁସାରେ ତା’ ଭିତରେ ସଂସ୍କାର ସମୃଦ୍ଧ ହୋଇଥାଏ । ଶେଷରେ ମହାରାଜ ବିକ୍ରମାଦିତ୍ୟଙ୍କ ଉପରେ ଚୂଡାନ୍ତ ନିଷ୍ପତି ନେବାର ଦାୟିତ୍ୱ ଛାଡି ଦିଆଗଲା ।

       ମହାରାଜ କହିଲେ, ଏମିତି ଆଲୋଚନା କରି କିଛି ଲାଭ ନାହିଁ । ପ୍ରତ୍ୟକ୍ଷ ପ୍ରମାଣ ସହିତ ମୁଁ ଏକଥା ଆପଣମାନଙ୍କୁ ବୁଝେଇ ଦେବି । ସମସ୍ତେ ତାଙ୍କ କଥାରେ ରାଜି ହୋଇଗଲେ ।

       ପରଦିନ ମହାରାଜ ଶିକାରୀମାନଙ୍କୁ ଡକାଇ ଆଦେଶ ଦେଲେ ଜଙ୍ଗଲକୁ ଯାଇ ଗୋଟିଏ ଛୋଟ ବାଘ ଛୁଆ ନେଇ ଆସିବା ପାଇଁ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଯେ ମହାରାଜ ବାଘଛୁଆ ଆଣି କ’ଣ କରିବେ?

       ଶିକାରୀମାନେ ବହୁ କଷ୍ଟରେ ଖୋଜି ଖୋଜି ଗୋଟିଏ ଦୁଧଖିଆ ଛୋଟ ବାଘଛୁଆ ଆଣି ମହାରାଜଙ୍କ ନିକଟରେ ପହଁଚାଇଲେ । ମହାରାଜ ଜଣେ ଛେଳି ପାଳକକୁ ଡକାଇ ତାକୁ ବାଘ ଛୁଆଟିକୁ ଦେଇ କହିଲେ, “ତମେ ଏହାର ଯତ୍ନ ନେବ । ଛେଳିଛୁଆଙ୍କ ସହିତ ରଖି ପାଳିବ । ପଡିଆରେ ନେଇ ଚରାଇବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ