କଳାର ସମ୍ମାନ

ନିଦରୁ ଉଠିବା ମାତ୍ରେ ମୋଗଲସରାଇର ଜମିଦାରଙ୍କୁ ଭାଟ ତା’ର ପ୍ରଶଂସାପୂର୍ଣ୍ଣ ଗୀତ ଶୁଣାଏ । ଏହି ପ୍ରଥା ପ୍ରତ୍ୟେକ ରାଜା, ଜମିଦାରଙ୍କର ଚଳି ଆସୁଅଛି । ସବୁଦିନେ ଏକହିଁ କଥା ଶୁଣି ଶୁଣି ଜମିଦାର ଖୁବ୍ ବିରକ୍ତ ହୋଇ ଦିନେ ଦେବାନ୍ଙ୍କୁ ଡାକି କହିଲେ, “ଏହି ଭାଟ ପ୍ରଥା ଟିକିଏ ବନ୍ଦ କରାଅ ତ । କିଛି କାମ ନାହିଁ, ଦିନସାରା ଅଳସୁଆ ହୋଇ ବସି ରହିବ, ଆଉ ମାସିକ ଭତ୍ତା ପାଇବ; ତାକୁ ଦେଖି ଅନ୍ୟଲୋକମାନେ ମଧ୍ୟ ସେଇଆ କରିବେ । ତା’ର କାମ ଆଜିଠାରୁ ବନ୍ଦ । ତାକୁ ଅନ୍ୟ କିଛି କାମ ଦିଅ ବା ସେହି କାମରୁ ବାହାର କରିଦିଅ, ଇଏ ମୋର ଆଦେଶ ।”

                ଦେବାନ୍ ଅଳ୍ପ ହସି କହିଲେ, “ଆଜ୍ଞା, ଆପଣ ମୋ କଥା ଦୟାକରି ଟିକିଏ ଶୁଣନ୍ତୁ । ମୁଁ ଆପଣଙ୍କ ଦାନା ଖାଇ ମଣିଷ ହୋଇଛି, ମୁଁ କେବେବି ଭୁଲ୍ କଥା କହିବି ନାହିଁ । ଜୀବନରେ ଉପଭୋଗ, ଅବସର ବିନୋଦନ ଆଦି ନାନା ବିଭାବ ରହିଛି ଯାହାକି ଜୀବନକୁ ପୁଷ୍ଟ କରେ ଓ ସାର୍ଥକ ବି କରେ । ତା’ର ଗୀତ ଆମକୁ ଭଲ ନ ଲାଗିଲେ ତାକୁ ଆମେ ତଡି ଦେବା ଉଚତ୍ ନୁହେଁ । ଗୋଟିଏ ଦେଶର ଉନ୍ନତି ପାଇଁ ପରିଶ୍ରମର ମୂଲ୍ୟ ଯେପରି ଅଛି, ତା’ର ସଂସ୍କୃତିର ଉନ୍ନତି ପାଇଁ କଳା ଓ କଳାକାରର ମଧ୍ୟ ଠିକ୍ ସେତିକି ଆବଶ୍ୟକତା ରହିଛି । ତାହା ହୃଦୟରେ ଆନନ୍ଦ ଓ ଉଲ୍ଲାସ ଆଣିଦିଏ । ଆପଣ ପୁଣି ଥରେ ଚିନ୍ତା କରି କୁହନ୍ତୁ ଯେ ତାକୁ ତା’ କାର୍ଯ୍ୟରୁ ଅବ୍ୟାହତି ଦିଆଯିବ କି ନାହିଁ ।

                ଜମିଦାର ଚିଡିଯାଇ କହିଲେ, “ଦେଶର ଉନ୍ନତି ତ ବୀରମାନଙ୍କ ହାତରେ ଅଛି, ତେଣୁ ବୀରମାନଙ୍କୁ ଧନ ଦେବା ତଥା ସେମାନଙ୍କୁ ପ୍ରୋତ୍ସାହନ ଦେବା ଆମର ଧର୍ମ । କାରଣ କଷ୍ଟ କଲେହିଁ ସୁଫଳ ମିଳିଥାଏ । ତେଣୁ ବୀରମାନଙ୍କୁ ଯଥେଷ୍ଟ ଧନ ଦେବାର ବ୍ୟବସ୍ଥା କର ଓ ଦେଶର ଆର୍ଥୀକ ଉନ୍ନତି ପାଇଁ ଚେଷ୍ଟା କର । ଜୀବନରେ ନିଜର ଉପଭୋଗ ପାଇଁ ଏହି ଭାଟମାନଙ୍କୁ ରଖିବାକୁ ମୁଁ ଆଦୌ ଚାହେଁ ନାହିଁ । ମୋର ଶାସନ ସମୟରେ ଏପରି ଅଳସୁଆ ଲୋକଙ୍କର ଆଦୌ ସ୍ଥାନ ନାହିଁ, ଏହାହିଁ ମୋର ଶେଷ କଥା ।”

                ଦେବାନ୍ ଆଉ କିଛିବି କହି ପାରିଲେ ନାହିଁ । କ୍ରମେ ପ୍ରଜାମାନେ ଏହା ଜାଣିଗଲେ କି ରାଜାଙ୍କ ଦୃଷ୍ଟିରେ କଳାକାରମାନେ ହେଲେ ନିପଟି ଅଳସୁଆ ଲୋକ । ଏଣିକି ସେମାନଙ୍କୁ ଆଉ କୌଣସି ପ୍ରକାରରେ ମଧ୍ୟ ପୃଷ୍ଠପୋଷକତା କରି ହେବ ନାହିଁ । ସେଥିପାଇଁ ସେଠାରେ ସମସ୍ତ ପ୍ରକାରର ନାଚଗୀତ ମଧ୍ୟ ବନ୍ଦ ହୋଇଗଲା । ଜମିଦାରଙ୍କ ପାଇଁ ଯେଉଁ କବିତା ରଚନା କରାଗଲା ତାହା ମଧ୍ୟ ଆଉ ଉପଯୋଗ ହୋଇପାରିଲା ନାହିଁ । ଚିତ୍ରଶିଳ୍ପ ଓ ଅଙ୍କନ ମଧ୍ୟ ଖାଲି ନାମକୁମାତ୍ର ରହିଗଲା । ଗ୍ରାମଗ୍ରାମ ବୁଲି ନାଟକ ଦେଖାଉଥିବା ନାଚଦଳ ମଧ୍ୟ ଆଉ ନାଟ ଦେଖାଇଲେ ନାହିଁ ।

                ଠିକ୍ ସେହି ସମୟରେ ଜମିଦାରଙ୍କ ସ୍ତ୍ରୀ ରୋଗଗ୍ରସ୍ଥ ହେଲେ । ତାଙ୍କର ବଞ୍ଚିବାର ଆଉ କୌଣସି ବି ଆଶା ନଥିଲା । ତାଙ୍କ ବଂଶର ବୈଦ୍ୟ ଜମିଦାରଙ୍କୁ କହିଲେ, “ମହାଶୟ, ଆପଣଙ୍କ ପତ୍ନୀଙ୍କର ଏମିତି କିଛି ହେଲେବି ରୋଗ ନାହିଁ । କିନ୍ତୁ ତାଙ୍କ ମନଦୁଃଖ ରହୁଛି । ସଦାବେଳେ ତାଙ୍କ ଯତ୍ନ ନେବେ ଓ ତାଙ୍କର ମନୋରଞ୍ଜନ ମଧ୍ୟ କରାଇବେ । ସଦାବେଳେ ଆନନ୍ଦ, ଉଲ୍ଲାସରେ ରହିଲେ ରୋଗ ଆଉ କେବେ ମଧ୍ୟ ପାଖରେ ପଶିବ ନାହିଁ । କୁହାଯାଏ ଯେ, ଆନନ୍ଦରୁ ଆମେ ଅଧା ବଳ ପାଇଥାଉ ବୋଲି । ମନ ସୁସ୍ଥ ରହିଲେ ତାଙ୍କର ପୂର୍ବସ୍ୱାସ୍ଥ୍ୟ ଆପେ ଆପେ ଫେରି ଆସିବ ।”

                ଏଣେ ସେ ଜମିଦାର ମହା ଅଡୁଆରେ ପଡିଲେ । ଦେବାନ୍ ବି ସେଠାରେ ଉପସ୍ଥିତ । ଦେବାନ୍ ଏହି ଅବସରର ସୁଯୋଗ ନେଇ କହିଲେ, “ଆଜ୍ଞା, ମଣିଷ କାର୍ଯ୍ୟଭାରରେ ଥକିଗଲେ ଅବସର ବିନୋଦନ ପାଇଁ ବହୁ ପୂର୍ବରୁ ଆମର ନାଚଗୀତ ବା କୌଣସି ଜିନିଷର ବ୍ୟବସ୍ଥା ରହିଛି । ଆପଣ ନିଜ ପାଇଁ ନକରନ୍ତୁ ପଛକେ ଏବେ ବୈଦ୍ୟ ଯାହା କହିଲେ ତାହାର ବ୍ୟବସ୍ଥା କରିବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ।”

                କିଛିଦିନ ମଧ୍ୟରେ ଦରବାର ପୁଣି କଳାକାରମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ଉଠିଲା । ମନୋରଞ୍ଜନ କାର୍ଯ୍ୟକ୍ରମ ପୁଣି ଚାଲିଲା । ସମସ୍ତେ ଖୁସି ହେଲେ । ଜମିଦାର ଉପଲବ୍ଧି କଲେ ଯେ କଳା ଜୀବନର ଏକ ପ୍ରଧାନ ଅଙ୍ଗବିଶେଷ ।

                ଏହାର ତୃତୀୟ ଦିନ । ଜମିଦାରଙ୍କ ମନ ଆନନ୍ଦରେ ପୂର୍ଣ୍ଣ ହୋଇଥାଏ । ଠିକ୍ ସେତିକିବେଳେ ସେଠାରେ ଦୁଇଭାଟ ପହଁଚିଲେ ଓ ରାଜାଙ୍କର ଗୁଣକୀର୍ତ୍ତନ କଲେ । ଜମିଦାର ସେମାନଙ୍କୁ ଦେଖିବାମାତ୍ରେ ଭୀଷଣ ମାତ୍ରାରେ ଚିଡିଗଲେ । କିନ୍ତୁ ସେମାନେ ପ୍ରଶଂସା କରି କରି ତାଙ୍କୁ ଉଚ୍ଚକୁ ଉଠାଇଲେ । ତା’ପରେ ଶେଷର ଜଣେ ଅନ୍ୟ ଜଣକୁ କହିଲା, “ପିତା ଓ ପୁତ୍ର, ଜଣେ ସ୍ତ୍ରୀକୁ ଦୁଇଟି ପିଲା ଦେଲେ । ସେ ପିଲା ଦୁଇଟି ବଡ ହୋଇ ନିଜ ନିଜ ମଧ୍ୟରେ ଲଢିଲେ । ମଝିରେ ଭଗବାନ୍ ଆସି ଜଣକୁ ମାରିଲେ ଓ ଆଉ ଜଣକୁ ସମ୍ରାଟ ବନାଇଲେ । ଜମିଦାରଙ୍କୁ କୁହ କି ସେହି ଭଗବାନଙ୍କୁ ଗାଈ କ୍ଷୀରରେ ଅଭିଷେକ କରିବେ ।” ଏସବୁ ଶୁଣି ଜମିଦାର ଅତ୍ୟନ୍ତ ରାଗିଯାଇ କହିଲେ, “ଏମାନଙ୍କୁ ଏଠାରୁ ତଡ । ମୁହଁକୁ ଯାହା ଆସୁଛି କହୁଛନ୍ତି ।”

                ସେତେବେଳେ ଦେବାନ୍ ନମ୍ରତା ପୂର୍ବକ କହିଲେ, “ଆଜ୍ଞା, ସେମାନେ ତ କିଛି ଭୁଲ୍ କହି ନାହାଁନ୍ତି । ସୂର୍ଯ୍ୟ ଓ ସୂର୍ଯ୍ୟପୁତ୍ର ଧର୍ମ, ଦୁହିଁଙ୍କର କୁନ୍ତୀ ଦେବୀଙ୍କ ପାଖରେ ଦି’ ପୁଅ ହେଲେ – କର୍ଣ୍ଣ ଓ ଯୁଧିଷ୍ଠିର । ସେ ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା । ଭଗବାନ୍ ଶ୍ରୀକୃଷ୍ଣ ଜଣକୁ ମରାଇଲେ ଓ ବାକି ଆଉ ଜଣକୁ ସମ୍ରାଟ କରାଇଲେ । ସେହି ଭଗବାନ୍ ଶ୍ରୀକୃଷ୍ଣଙ୍କର କ୍ଷୀରରେ ଅଭିଷେକ କରାଯାଉ ।”

                ଜମିଦାର ବହୁତ ଖୁସି ହୋଇ କହିଲେ, “ତମମାନଙ୍କ କଥା ମନରେ ବଡ ଆନନ୍ଦ ଦେଲା । ପୂର୍ବପରି ତୁମେମାନେ ଓ ସମସ୍ତ କଳାକାରମାନେ ରହିବେ ।” ଜମିଦାର ଖୁସି ହୋଇ ଭାଟଙ୍କ ସମେତ ଅନ୍ୟ କଳାକାରଙ୍କୁ ବି ପୁରସ୍କୃତ କଲେ । ତା’ପରଠାରୁ ସେହି ରାଜ୍ୟରେ କଳାର ଆଦର ପୁଣି ବୃଦ୍ଧି ପାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ