ଭୀରୁର ଭୂମିକା

ରାମପୁର ଗୋଟିଏ ଛୋଟିଆ ରାଜ୍ୟ । ସେ ରାଜ୍ୟର ଗୋଟିଏ ଗ୍ରାମରେ ପ୍ରସାଦ ନାମକ ବାଳକ ଥାଏ । ପିଲାବେଳରୁ ପ୍ରସାଦର ବାପା ମା ତ ମରି ଯାଇଥାନ୍ତି । ତାକୁ ତା’ ବୁଢୀମା ପାଳି ପୋଷି ମଣିଷ କରିଥାନ୍ତି ।

                ପ୍ରସାଦ ଦେଖିବାକୁ ଡଉଲ୍ ଡାଉଲ୍ ବାଳକ, କିନ୍ତୁ ତା’ ଭଳି ଡରୁଆ ଜୀବଜଗତରେ ଆଉ କେହିବି ନଥିବେ ।

                ଦିନେ ଜଣେ ସନ୍ନ୍ୟାସୀ ସେମାନଙ୍କ ଘରେ ଅତିଥି ହୋଇଥାନ୍ତି । ସେ ଖାଇବାକୁ ବସିଛନ୍ତି, ବୁଢୀମା ତାଙ୍କୁ ପରଶୁଛନ୍ତି, ଠିକ୍ ସେତିକିବେଳେ ଗୋଟାଏ ମୂଷା ଘର କୋଣରୁ ବାହାରି ବାରାନ୍ଦା ଉପର ଦେଇ ଦୌଡି ଗଲା । ବାରାନ୍ଦାର ଗୋଟାଏ ପ୍ରାନ୍ତରେ ପ୍ରସାଦ ବସିଥିଲା । ସେ ତା’ କୋଳରେ ପୋଷା ବିଲେଇକୁ ଧରିଥିଲା । ବିଲେଇ ଯେମିତି ମୂଷାକୁ ଦେଖିଛି, ସେମିତି କୋଳରୁ ଡେଇଁ ପଡି ସେ କୁଆଡେ ଲୁଚିବ ବାଟ ପାଇଲା ନାହିଁ ।

                ବୁଢୀମା ପ୍ରସାଦକୁ କହିଲେ, “ପୁଅ, ମୂଷା ଦାଉରୁ ଘରକୁ ରକ୍ଷା କରିବା ନିମନ୍ତେ ଲୋକେ ବିଲେଇ ପାଳନ୍ତି । କିନ୍ତୁ ତୋ ବିଲେଇ ତୋ ଗୁଣ ଏମିତି ଶିଖିନେଇଛି ଯେ ମୂଷାକୁ ଦେଖିଲେ ସେ କୁଆଡେ ପଳେଇ ଯାଉଛି!”

                ସନ୍ନ୍ୟାସୀ ଏକଥା ଶୁଣି ଆହୁରି ଆଶ୍ଚର୍ଯ୍ୟ ହେଲେ । ବୁଢୀମା ସେଉଠୁ ସନ୍ନ୍ୟାସୀଙ୍କୁ ପ୍ରସାଦର ଭୀରୁତା କଥା ସବୁ ଗପିଲେ । ସନ୍ନ୍ୟାସୀ ଖାଇ ସାରି ପ୍ରସାଦର ହାତ ଦେଖିଲେ । ଧ୍ୟାନ ଦେଇ ଅନେକ ସମୟ ଦେଖି ବୁଢୀମାଙ୍କୁ ସେ କହିଲେ, “ଏ ପିଲାର ହସ୍ତରେଖା ତ ବଡ ବିଚିତ୍ର । ଏହାର ଏଭଳି ସ୍ୱଭାବ ଯୋଗୁଁ ଭବିଷ୍ୟତରେ ଗୋଟାଏ ବିଶେଷ କାର୍ଯ୍ୟ ସାଧନ ହେବାର ଅଛି ।”

                ଏହାର କିଛିଦିନ ପରେ ଦିନେ ପ୍ରସାଦ ଜମିଦାରଙ୍କ ଘର ପାଖଦେଇ ଯାଉଛି, ଜମିଦାରଙ୍କ କୁକୁର ଉପରେ ତା’ ଆଖି ପଡିଲା । କୁକୁରଟି ଭାରି ସୌଖିନ ଦିଶୁଥାଏ । ପ୍ରସାଦ ତାକୁ ଆଉଁସି ଦେଲା । ଜମିଦାର ସେକଥା ଲକ୍ଷ୍ୟ କଲେ । ଏହାର କିଛି ସମୟ ପରେ ତାଙ୍କର ଜଣେ ଚାକର ଖଣ୍ଡିଏ ଲାଠି ଧରି ସେଠାରେ ଆସି ପହଁଚିଯିବା ମାତ୍ରେ କୁକୁରଟି ଭୟରେ ଆର୍ତ୍ତନାଦ କରି ପଳାଇଗଲା ।

                ଜମିଦାର ଆଶ୍ଚର୍ଯ୍ୟ ହେଲେ । ପ୍ରସାଦର ଭୀରୁତା କଥା ତ ସେ ଶୁଣିଥିଲେ । ତାଙ୍କର ଧାରଣା ହେଲା, ପ୍ରସାଦ ସେହି କୁକୁରକୁ ଗେଲ କରିବା ଫଳରେ କୁକୁର ସେଭଳି ଭୀରୁ ପାଲଟିଗଲା ।

                ସେ ସ୍ଥାନୀୟ ବିଚାରକଙ୍କ ଆଗରେ ଏ ବିଷୟରେ ଅଭିଯୋଗ କଲେ । ବିଚାରକ ପ୍ରସାଦକୁ କହିଲେ, “ତୁ ଜମିଦାରଙ୍କ କୁକୁରକୁ କି ମନ୍ତ୍ର କଲୁ ଯେ ସେ ହଠାତ୍ ଡରୁଆ ପାଲଟିଗଲା?”

                ପ୍ରସାଦ କୈଫିୟତ ଦେଲା “ହଜୁର୍! ମୁଁ ମନ୍ତ୍ରତନ୍ତ୍ର କିଛି ଜାଣେନା । କୁକୁର କାହିଁକି ଡରୁଆ ହେଲା, ସେବିଷୟରେ ମୁଁ ବି କିଛି କହିପାରିବି ନାହିଁ ।”

                “ତୁ ତାକୁ ଆଘାତ କରି ନାହୁଁ?”

                “ନା ହଜୁର୍, ମାତ୍ର ମୁଁ ତାକୁ ଧିରେ ଧିରେ ଆଉଁଷି ଦେଇଥିଲି – ଏତିକି ଜୋରେ…” ଏହା କହି ପ୍ରସାଦ ସେ ବିଚାରକଙ୍କ ହାତ ଆଉଁସି ଦେଲା ।

                ବିଚାରକଙ୍କ ଭିତରେ ହଠାତ୍ ଗୋଟାଏ ପରିବର୍ତ୍ତନ ଦେଖାଗଲା । ସେ ଏଣେତେଣେ ଅନାଇଲେ । ତାଙ୍କ ଦୃଷ୍ଟିରେ ଛାନିଆ ଭାବ ଫୁଟି ଉଠୁଥାଏ । ସେ କହିଲେ, “ଆଜିର ବିଚାର ଏତିକିରେ ଥାଉ ।”

                ଜମିଦାରଙ୍କର ବିସ୍ମୟର ଆଉ ସୀମା ରହିଲା ନାହିଁ ।

                ପରଦିନ ଜମିଦାରଙ୍କ ସହିତ ରାଜ୍ୟର ମନ୍ତ୍ରୀଙ୍କର ଦେଖା ହେବାର ଥାଏ । ସାକ୍ଷାତ୍ ଭିତରେ ଜମିଦାର ମନ୍ତ୍ରୀଙ୍କୁ ପ୍ରସାଦ ବିଷୟରେ ତାଙ୍କର ଅଦ୍ଭୁତ ଅଭିଜ୍ଞତା କଥା ପ୍ରକାଶ କଲେ । ରାଜପ୍ରାସାଦକୁ ଯିବା ନିମନ୍ତେ ପ୍ରସାଦ ପାଖକୁ ତଲବ୍ ଆସିଲା ।

                ପ୍ରସାଦ ସେଇ ଭୟରେ ସାରା ରାତି ଆଉ ଶୋଇ ପାରିଲା ନାହିଁ । ତା’ର ଏଭଳି ଅବସ୍ଥା ଯୋଗୁଁ ବୁଢୀମାଙ୍କର ବି ଭୀଷଣ ଦୁଃଖ । ପରଦିନ ବିଚାରୀ ବୁଢୀମା ବି ପ୍ରସାଦ ସହିତ ରାଜଧାନୀକୁ ଗଲେ ।

                ବୁଢୀମା ବାହାରେ ଅପେକ୍ଷା କଲେ । ପ୍ରସାଦ ମନ୍ତ୍ରୀଙ୍କ ସହ ସାକ୍ଷାତ୍ କରିବା ନିମନ୍ତେ ତାଙ୍କ କୋଠି ଭିତରେ ଯାଇ ପ୍ରବେଶ କଲା । ସେତେବେଳେ ମନ୍ତ୍ରୀ ଜଣେ ବିଶିଷ୍ଟ ମଲ୍ଲଯୋଦ୍ଧାଙ୍କ ସହ କଥାଭାଷା ହେଉଥିଲେ । ରାଜାଙ୍କ ଦେହରକ୍ଷୀମାନଙ୍କୁ ମଲ୍ଲଯୋଦ୍ଧା କେତୋଟି କୌଶଳ ଶିଖାଇବା ବିଷୟ ଆଲୋଚନା ହେଉଥିଲା । ଦେହରକ୍ଷୀ ଦୁଇଜଣ ବି ସେଠି ଥିଲେ ।

                ପ୍ରସାଦ ଆସିବା ମାତ୍ରେ ମନ୍ତ୍ରୀ ତାକୁ ମଲ୍ଲଯୋଦ୍ଧାଙ୍କ ସହ ପରିଚୟ କରାଇଦେଲେ । ପ୍ରସାଦ ସେଭଳି ଜଣେ ବୀରଙ୍କୁ ଦେଖି ମନେ ମନେ ନିଜ ଭୀରୁତା କଥା ଚିନ୍ତା କରି ଭୀଷଣ ଗ୍ଳାନି ଅନୁଭବ କଲା । ସେ ଆବେଗରେ ଆସି ସେ ମଲ୍ଲବୀରଙ୍କୁ ପ୍ରଣାମ କଲା । ମଲ୍ଲବୀର ତା’ ମୁଣ୍ଡରେ ହାତ ଦେଲେ, ପିଠି ଥାପୁଡାଇ ଦେଲେ ।

                କିନ୍ତୁ ପରେ ପରେ ସେହି ମଲ୍ଲଯୋଦ୍ଧାଙ୍କ ମୁହଁ ହଠାତ୍ ଶୁଖିଗଲା । ସେ ମନ୍ତ୍ରୀଙ୍କୁ କହିଲେ, “ଆଜ୍ଞା, ଆଜି ମୁଁ ଏ ଦୁହିଁଙ୍କୁ କୌଣସି କୌଶଳ ଶିଖାଇପାରିବି ନାହିଁ । ପରେ ଆସିବି ।”

                ମନ୍ତ୍ରୀ ପଚାରିଲେ “କାହିଁକି? କ’ଣ ହେଲା?”

                “ମୋତେ କାହିଁକି ଛାନିଆ ଲାଗୁଛି ।” ଏହା କହି ମଲ୍ଲବୀର ସେଠାରୁ ଚାଲିଯିବାକୁ ତତ୍ପର ହେଲେ । ମନ୍ତ୍ରୀ ତ ପ୍ରସାଦର ଗୁଣ ବେଶ୍ ଭଲଭାବେ ଜାଣିଥିଲେ, ତେଣୁ ସେ ଦୁଇ ଦେହରକ୍ଷୀଙ୍କୁ ଇଙ୍ଗିତ ଦେଇ ମଲ୍ଲବୀରଙ୍କୁ ଅଟକାଇବାକୁ କହିଲେ । ସେ ଦୁହେଁ ମଲ୍ଲବୀରଙ୍କୁ ଧରି ରଖିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ମଲ୍ଲବୀରମାନେ ଛାଟିପିଟି ହୋଇ ସେଠାରୁ ପଳେଇଗଲେ ।

ମନ୍ତ୍ରୀ ଯାଇ ରାଜାଙ୍କୁ ସବୁକଥା ଜଣାଇଲେ । ରାଜା କହିଲେ, “ଏ ପିଲା ଉପରେ ନିଶ୍ଚୟ କୌଣସି ଦାଋଣ ଅଭିଶାପ ରହିଛି । ସେ ଯେତେବେଳେ ସ୍ପର୍ଶମାତ୍ରେ ମଣିଷ ଓ ପଶୁଙ୍କୁ ଭୀରୁ ବନାଇ ଦେଉଛି, କାଳକ୍ରମେ ସେ ଆମର ସମସ୍ତ ରାଜ୍ୟବାସୀଙ୍କୁ ଭୀରୁ ବନାଇ ଦେବା କିଛିବି ଅସମ୍ଭବ ନୁହେଁ । ତେଣୁ ଆଉ ଅଧିକ ବିଳମ୍ବ ନକରି ତାକୁ ସଙ୍ଗେ ସଙ୍ଗେ ଫାସିରେ ଝୁଲାଇ ଦିଅ ।”

ରାଜାଙ୍କର ଏ ହୁକୁମ ଯେମିତି ବୁଢୀମା କାନରେ ପଡିଛି, ସେ ଦୌଡି ଆସି ମନ୍ତ୍ରୀଙ୍କ ଆଗରେ କାନ୍ଦିଲେ ଓ ସନ୍ନ୍ୟାସୀ ଯାହା କହିଥିଲେ ସେକଥା କହି ନାତିକୁ ରକ୍ଷା କରିବା ନିମନ୍ତେ ଆବେଦନ କଲେ । ମନ୍ତ୍ରୀ କହିଲେ, “ତମେ ଆଉ ଏତେ ଚିନ୍ତା କର ନାହିଁ । ତମ ନାତିର କୌଣସି ଅନିଷ୍ଟ ହେବ ନାହିଁ ।”

ଏହାପରେ ସେ ରାଜାଙ୍କୁ କହିଲେ, “ମହାରାଜ, ପ୍ରସାଦକୁ ସଙ୍ଗେ ସଙ୍ଗେ ନ ମାରି କିଛିକାଳ ବନ୍ଦୀ କରି ରଖାଯାଉ । ତାକୁ ଯାହା ଖାଲି କେହି ନ ଛୁଇଁଲେ ହେଲା । ବିଧାତା କାହିଁକି ତାକୁ ଏଭଳି ଭାବରେ ସର୍ଜନା କରିଛି, ସେକଥା ଲକ୍ଷ୍ୟ କରିବା କଥା ।”

ରାଜା ଏ ପ୍ରସ୍ତାବରେ ସମ୍ମତ ହେଲେ । ପ୍ରସାଦ ଓ ତା’ ବୁଢୀମାଙ୍କୁ ଗୋଟାଏ ବଙ୍ଗଳାରେ ରଖାଗଲା । ସେମାନଙ୍କ ଖିଆପିଆ ସକାସେ ଉପଯୁକ୍ତ ବ୍ୟବସ୍ଥା କରି ଦିଆଗଲା ।

ଏକ ସପ୍ତାହ ପରେ ରାମପୁର ରାଜ୍ୟରେ ଏକ ଦାଋଣ ଦୁଃସମ୍ବାଦ ଆସି ପହଁଚିଲା । ପଡୋଶୀ ଚଣ୍ଡଗଡ ରାଜ୍ୟର ପ୍ରତାପଶାଳୀ ରାଜା ତାଙ୍କର ବିରାଟ ସୈନ୍ୟବାହିନୀ ଧରି ରାମପୁର ସୀମାନ୍ତରେ ଛାଉଣୀ ପକାଇଥାନ୍ତି । ସେ ଖବର ଦେଲେ, ରାମପୁର ତାଙ୍କ ଅଧୀନତା ସ୍ୱୀକାର କରୁ, ନହେଲେ ସେ ରାମପୁର ଉପରେ ଆକ୍ରମଣ କରିବେ ।

ରାଜା ଏବେ କ’ଣ କରିବେ ତାହା ଠଉରାଇ ପାରିଲେ ନାହିଁ ।

ମନ୍ତ୍ରୀ କହିଲେ, “ଚିନ୍ତା କରନ୍ତୁ ନାହିଁ । ମୁଁ ସବୁ ବ୍ୟବସ୍ଥା କରିବି ।”

ସେ ଚଣ୍ଡଗଡ ରାଜାଙ୍କ ପାଖକୁ ଖଣ୍ଡିଏ ଚିଠି ଲେଖିଲେ । ଚିଠି ଖଣ୍ଡିକ ପ୍ରସାଦକୁ ଦେଇ ଶତ୍ରୁ ରାଜା ପାଖକୁ ତାକୁ ସେ ପଠାଇଲେ । ସାଥିରେ ଦୁଇଜଣ ସୈନିକ ବି ଗଲେ ।

ପ୍ରସାଦ ପ୍ରାଣ ଭୟରେ ଥରି ଥରି ଚଣ୍ଡଗଡ ରାଜାଙ୍କ ଶିବୀରରେ ଯାଇ ପହଁଚିଲା । ଶତ୍ରୁରାଜା ଧରିନେଲେ ଯେ ସନ୍ଧି ପ୍ରସ୍ତାବ ଧରି ଦୂତ ଆସିଛି । କିନ୍ତୁ ଚିଠି ପଢି ତାଙ୍କ କ୍ରୋଧର ସୀମା ଆଉ ସୀମା ରହିଲା ନାହିଁ । କାହିଁକିନା ସେହି ଚିଠିରେ ତାଙ୍କୁ ଅନେକ ଗାଳିଗୁଲଜ କରାଯାଇଥିଲା ।

ସେ ଆଦେଶ ଦେଲେ “ଏ ଦୂତର ଶିରଚ୍ଛେଦ କର!”

ପ୍ରସାଦ ସଙ୍ଗେ ସଙ୍ଗେ ରାଜାଙ୍କ ପାଦ ଧରି ପକାଇ କହିଲା, “ମହାରାଜ! ମୁଁ ପତ୍ରବାହକ ମାତ୍ର । ପତ୍ରରେ କ’ଣ ଲେଖାଥିଲା, ସେ ବିଷୟରେ ମୁଁ ତ କିଛି ଜାଣେ ନା!”

ପ୍ରସାଦ ଯେମିତି ସେ ରାଜାଙ୍କ ଗୋଡ ଛୁଇଁଛି, ସେମିତି ସେ ରାଜାଙ୍କ ଭିତରେ ଏକ ଅଦ୍ଭୁତପୂର୍ଣ୍ଣ ଭାବାନ୍ତର ଦେଖାଦେଲା । ସେ ଭୟରେ ଖାଲି ଥରିବାକୁ ଲାଗିଲେ । ତାଙ୍କର ମନେ ହେଲା, ରାମପୁର ସହ ଯୁଦ୍ଧ ହେଲେ ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ! ସେ ସଙ୍ଗେ ସଙ୍ଗେ ଘୋଷଣା କଲେ ଯେ, “ଏହି ମୁହୂର୍ତ୍ତରେ ତମ୍ବୁ ଉଠାଇ ଆମେ ଏଠୁ ଫେରିଯିବା ।” ଶେଷରେ ତାହାହିଁ ହେଲା ।

ଶତ୍ରୁରାଜା ଯେମିତି ଚାଲିଯାଇଛନ୍ତି, ସେମିତି ପ୍ରସାଦ ମନରେ ଗୋଟାଏ ବିରାଟ ପରିବର୍ତ୍ତନ ହେଲା । ସେ ଅନୁଭବ କଲା ଯେ ତା’ ଭିତରୁ ଭୟଭାବ ପୁରାପୁରି ଚାଲିଯାଇଛି । ସେ ଯାଇ ମନ୍ତ୍ରୀଙ୍କୁ ସେକଥା କହିଲା । ମନ୍ତ୍ରୀ ପରୀକ୍ଷା କରି ଦେଖିଲେ ଯେ ସେ ସତ କହୁଛି । ଯେଉଁ ଭଲକାମ ହେବା ପାଇଁ ବିଧାତା ତା’ ଭିତରେ ସେ ଅଦ୍ଭୁତ ଗୁଣ ଦେଇଥିଲେ, ସେ କାମ ହୋଇଯାଇଛି ବୋଲି ସେ ବୁଝିଲେ । ପ୍ରସାଦକୁ ଦରବାରରେ ଭଲ ପଦ ମିଳିଲା । ସେ ତା’ ବୁଢୀମାକୁ ଧରି ଆନନ୍ଦରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ