ମହାଭାରତ

ମୁନି ମୈତ୍ରୟଙ୍କ ପ୍ରସ୍ଥାନଅନ୍ତେ, ଧୃତରାଷ୍ଟ୍ର ବିଦୁରଙ୍କୁ କିମ୍ଭୀର ସଂହାର ବୃତ୍ତାନ୍ତଟି ଶୁଣାଇବା ପାଇଁ କହିଲେ । ତେଣୁ ବିଦୂର ବର୍ଣ୍ଣନା ଆରମ୍ଭ କଲେ ।

                ଅରଣ୍ୟବାସ ଉଦ୍ଧେଶ୍ୟରେ ଯାଇଥିବା ପାଣ୍ଡବଗଣ, ତିନିଦିନ ଉପରାନ୍ତେ ଅର୍ଦ୍ଧରାତ୍ର ସମୟରେ କାମ୍ୟକବନ ମଧ୍ୟ ଦେଇ ଯାତ୍ରା କରୁଥାନ୍ତି । ଅକସ୍ମାତ ସେମାନଙ୍କ ପଥରୋଧ କରି ଏକ ଭୟଙ୍କର ରାକ୍ଷସ ଆସି ସେଠାରେ ଉଭାହେଲା । ରକ୍ତବର୍ଣ୍ଣର ଅଗ୍ନିପିଣ୍ଡ ସଦୃଶ ତା’ର ଜ୍ୱଳନ୍ତ ଆଖି, ତା’ର ବିସ୍ତାରିତ ମୁଖ, ପୁଣି ମସ୍ତକରେ ତା’ର ପିଙ୍ଗଳ ବର୍ଣ୍ଣର କେଶ, କଳାକଳା ଲୋମାଚ୍ଛାଦିତ ବିରାଟ ଶରୀରଧାରୀ ସେହି ରାକ୍ଷସ ଜଣକ ଖୁବ୍ ଭୟାନକ ଦିଶୁଥାଏ । ତା’ର ଅଟ୍ଟହାସ୍ୟ କିଳିକିଳା ନାଦରେ ବଣ୍ୟଜନ୍ତୁ ଇତସ୍ତତଃ ପଳାୟନ କରୁଥାନ୍ତି । ସେ ତା’ର ବାହୁଦ୍ୱୟ ପ୍ରସାରିତ ରଖି ତହିଁରେ ଏକ ଜ୍ୱଳନ୍ତ ମଶାଲ ଧରିଥାଏ ।

                ପାଣ୍ଡବ, ଦ୍ରୌପଦୀ ତଥା ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ବ୍ରାହ୍ମଣମାନେ ରାକ୍ଷସଟିକୁ ଦେଖି ଚକିତ ହୋଇ ଚାହିଁ ରହିଥାନ୍ତି । ଦ୍ରୌପଦୀ ଅତିଶୟ ଭୟଭୀତ ହୋଇ ସେ ତାଙ୍କ ଚକ୍ଷୁମୁଦ୍ରିତ ରଖିଥାନ୍ତି । ପାଣ୍ଡବମାନେ ତାଙ୍କୁ ଧୈର୍ଯ୍ୟରକ୍ଷା କରିବାକୁ କହୁଥାନ୍ତି । ପୁରୋହିତ ଧୌମ୍ୟ ରାକ୍ଷସ–ବିନାଶମନ୍ତ୍ର ଜପ କରିବା ଆରମ୍ଭ କରି ଦେଇଥାନ୍ତି । ଧର୍ମରାଜ, ସେ ରାକ୍ଷସଠୁ ତା’ର ପରିଚୟ ଜିଜ୍ଞାସା କଲେ, “ତୁମେ କିଏ? ଆଉ ଏହି ଅରଣ୍ୟରେ ତୁମେ କ’ଣ କରୁଛ?”

                ତହୁଁ ସେ ରାକ୍ଷସ କହିଲା “ମୁଁ ବକାଶୁରର ଭାଇ, ମୋର ନାମ କିମ୍ଭୀର, ଏହି କାମ୍ୟକ ବନ ମୋର ନିତ୍ୟବିହାର ସ୍ଥଳୀ । ମଣିଷ ମାରିବା ମୋର ପ୍ରିୟକ୍ରୀଡା । ଏହାର ମାଂସ ମୋର ପ୍ରିୟ ଭୋଜନ । ତେଣୁ ଏହି ବନରେ ପ୍ରବେଶ କରିବାକୁ କେହି କେବେବି ସାହାସ କରନ୍ତି ନାହିଁ । ତୁମେ ମାନେ ଏଠାକୁ ଆସିଲ କାହିଁକି? ବୋଧେ ମୋର ଭୋଜନ ହେବାହିଁ ତୁମର ଅନ୍ତିମ ପରିଣତି ।”

                ଧର୍ମରାଜ ଅବିଚଳିତ ସ୍ୱରରେ କହିଲେ, “ଆମେ ପାଣ୍ଡବ ପାଂଚଭାଇ । ମୁଁ ଧର୍ମରାଜ, ଆଉ ଏହି ଚାରିଜଣ ମୋର ଭ୍ରାତା, ସତ୍ୟପାଳନ ପୂର୍ବକ ବନବାସ ନିମନ୍ତେ ଆମେ ଯାତ୍ରାକରୁଛୁ ।” ଏକଥା ଶୁଣି କିମ୍ଭୀର ଅଟ୍ଟହାସ୍ୟକରି କହିଲା, “ଆଚ୍ଛା ତାହେଲେ ତୁମେମାନେ ପାଣ୍ଡବ? ତୁମ ଭିତରେ ଭୀମ କିଏ? ଏଇତ ମୋ ମନରେ ବହୁତ ଦିନରୁ ତାକୁ ମାରିବାର ପ୍ରବଳ ଇଚ୍ଛା ଥିଲା । ଆଜିର ଉତ୍ତମ ସୁଯୋଗରେ ମୋର ସେହି ମନୋକାମନା ନିଶ୍ଚୟ ପୂରଣ ହେବ । ମୋର ମିତ୍ର ହିଡିମ୍ବର ସେ ହେଉଛି ହତ୍ୟାକାରୀ । ଏବଂ ତା’ର ସାନଭଉଣୀ ହିଡିମ୍ବାକୁ ମଧ୍ୟ ସେ ବିବାହ କରିଛି । ତା’ର ଦୁର୍ଯ୍ୟୋଗ ଆଜି ତାକୁ ଏଇ ଜଙ୍ଗଲକୁ ଟାଣିଆଣି ମୋ ସମ୍ମୁଖରେ ପକେଇଛି । ଏବେ ସମସ୍ତଙ୍କ ଉପସ୍ଥିତିରେ ମୁଁ ତାକୁ ବଧକରି ତା’ର ମାଂସଭକ୍ଷଣ କରିବି । ତା’ର ରକ୍ତ ପାନକରି ହିଡିମ୍ବ ପାଇଁ ରକ୍ତତର୍ପଣ କରିବି ଓ ରାକ୍ଷସ କୂଳର ସମ୍ମାନ ରକ୍ଷାକରିବି ।”

                ଧର୍ମରାଜଙ୍କୁ ରାକ୍ଷସର ଏହି ପ୍ରକାର ଅହଂକାର ଓ ତାତ୍ସଲ୍ୟଭରା କଥା ଖୁବ୍ ଉତ୍ତେଜିତ କଲା । ସୁତରାଂ ସେ ଚିତ୍କାର କରି ଉଠିଲେ । “ସ୍ତବ୍ଧ ହୁଅ ଅଧମ” । ଏହି ସମୟରେ ଭୀମ ଏକ ପ୍ରକାଣ୍ଡ ବୃକ୍ଷ ଉତ୍ପାଟନ କରି କିମ୍ଭୀର ଆଡକୁ ତାହା ପ୍ରଧାବିତ ହେଲେ ।

                ଭୀମ ଅର୍ଜ୍ଜୁନଙ୍କୁ ବାରଣ କରି କହିଲେ, “ତୁମେ ନୁହେଁ, ବରଂ ମୁଁ ଏହି ଦୁର୍ବୃତକୁ ଯମଲୋକ ପଠାଇବାର ବ୍ୟବସ୍ଥା କରି ଦେଇଛି ।” ଏତିକି କହୁକହୁ କିମ୍ଭୀର ତା’ ହାତରେ ଧରିଥିବା ମଶାଲ ଭୀମ ଉପରକୁ ନିକ୍ଷେପ କଲା ।

                ଭୀମ ତାହା ତାଙ୍କ ବାମପାଦରେ ଦଳିଦେଇ ତାକୁ ଲିଭେଇ ଦେଲେ । ଉଭୟ ବୃକ୍ଷମାନ ଉତ୍ପାଟନ କରି ପରସ୍ପରକୁ ନିକ୍ଷେପ କରୁଥାନ୍ତି । ପୁନଶ୍ଚ ପଥରରେ ଜଣେ ଅପରକୁ ଆଘାତ କଲେ । ପରିଶେଷରେ ବାହୁଯୁଦ୍ଧ ହେଲା । ଭୟଙ୍କର ଯୁଦ୍ଧ ଚାଲିଥାଏ । ରାକ୍ଷସ କ୍ରମଶଃ ଶକ୍ତିହୀନ ହୋଇ ଆସୁଥାଏ । ଏହି ସୁଯୋଗରେ ଭୀମ ତାକୁ ନିଜର ବାହୁସନ୍ଧିରେ ଜାକିଦେଇ ଚତୁର୍ଦ୍ଦିଗରେ ଘୂର୍ଣ୍ଣନ କଲେ । କିଛି ସମୟପରେ ତଳେ କଚାଡି ଭୀମ ସେ ରାକ୍ଷସର ଅଂଟାରେ ପାଦରଖି, ତା’ର ହାତ, ମୁଣ୍ଡ ଉତ୍ପାଟନ କଲେ । ଫଳରେ ଅସହ୍ୟ ଯନ୍ତ୍ରଣାରେ ରାକ୍ଷସ  ଚିତ୍କାର କରୁଥାଏ । ଭୀମ ତା’ର ଶବକୁ ବହୁଦୂରକୁ ନିକ୍ଷେପ କରି ସେହି ଅରଣ୍ୟକୁ ଦୁଷ୍ଟ ରାକ୍ଷସ କବଳରୁ ରକ୍ଷାକଲେ । ଏଥିଲାଗି ଦ୍ରୌପଦୀ, ଧୌମ୍ୟ ପ୍ରଭୃତି ଭୀମଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ