ହୀରା ଫେରସ୍ତ

ଗୋଟିଏ ସହରରେ ଜଣେ ହୀରା ବେପାରୀ ରହୁଥିଲେ । ସେ ଠକ ପ୍ରକୃତିର ଥିଲେ । ସେ ତା’ଙ୍କ ସହରବାସୀଙ୍କୁ ଠକିବାକୁ କେବେବି ସାହସ କରି ପାରୁନଥିଲେ କିନ୍ତୁ ଦୂର ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଧୋକା ଦେବାରେ ସେ ଆଦୌ ହେଳା କରୁ ନଥିଲେ ।

                ଦିନେ ଜଣେ ବୃଦ୍ଧ ଲୋକ ତାଙ୍କ ଦୋକାନକୁ ଆସିଲେ । ସବୁବେଳ ପରି ବେପାରୀ ତାଙ୍କୁ ଏକ ଛଦ୍ମ ହସ ହସି ସ୍ୱାଗତ କଲେ ।

                ବୃଦ୍ଧ ପ୍ରକାଶ କଲେ – “ମୋ ନାତୁଣୀର ବାହାଘର ହେବ । ମୁଁ ତା’କୁ ବହୁତ ଭଲ ପାଏ । ମୁଁ ତାକୁ ଗୋଟିଏ ହୀରା ଉପହାର ଦେବାକୁ ଚାହେଁ । କିନ୍ତୁ ମୋ ପାଖରେ କେବଳ ପାଂଚଶହ ରୂପା ମୁଦ୍ରା ଅଛି । ତୁମ ପାଖରେ ଏତିକି ଦାମ୍ର କୌଣସି ହୀରା ଅଛି କି? ଆଉ ଘଂଟାଏ ପରେ ମୋ ଜାହାଜ ବନ୍ଦରରୁ ଛାଡିବ । ସୁତରାଂ ଅନ୍ୟ ଦୋକାନକୁ ଯିବା ପାଇଁ ମୋ ପାଖରେ ଏବେ ଆଉ ସମୟ ନାହିଁ ।”

                “ପାଂଚ ଶହ ରୁପା ମୁଦ୍ରା ବଦଳରେ ତୁମକୁ କେଉଁଠାରେ ବି ହୀରା ମିଳିବ ନାହିଁ । କିନ୍ତୁ ନାତୁଣୀ ପାଇଁ ତୁମର ସ୍ନେହ ମୋତେ ମୁଗ୍ଧ କରୁଛି । ମୁଁ ତୁମକୁ ଏତିକି ଦାମ୍ରେ ଗୋଟିଏ ହୀରା ଦେଉଛି ।” ବେପାରୀ ଜଣକ ଏତିକି କଥା କହି ସେ ବୃଦ୍ଧଙ୍କ ହାତରେ ଯେଉଁ ହୀରା ଦେଲେ, ତାହା ଥିଲା ଏକ ଚକ୍ମକିଆ କାଚ ଖଣ୍ଡ ।

                ଗରିବ ବୃଦ୍ଧ ଠକାମୀରେ ପଡିବା କଥା ଜାଣି ପାରିଲେ ନାହିଁ ।

                ଏହି ଘଟଣାର ଠିକ୍ ପାଂଚ ବର୍ଷ ପରେ ଜଣେ ଯୁବକ ସେ ବେପାରୀଙ୍କ ଦୋକାନକୁ ଆସିଲା । ତା’ପରେ ସେ କହିଲା “ଦେଖ ଭାଇ, ଆମ ପୂର୍ବପୁରୁଷ ଆମ ସହରର ଖାନ୍ଦାନୀ ଲୋକ ଥିଲେ । ମୋର ଜେଜେବାପା ଜମିଦାର ଥିଲେ । କିନ୍ତୁ ସମୟର ପରିବର୍ତ୍ତନରେ ଏବେ ଆମ ପାଖରେ ଆଉ କିଛି ହେଲେ ବି ନାହିଁ । ସବୁ ଦାମିକା ଜିନିଷ ବନ୍ଧା ପଡିଛି । ମାତ୍ର ଗୋଟିଏ ଜିନିଷ ଆଜି ଯାଏଁ ମୁଁ ମୋ ପାଖରେ ରଖିଛି, ତାହା ହେଉଛି ମୋ ଜେଜେମା’ର ପ୍ରିୟ ହୀରା । ଏବେ ମୁଁ ତାକୁ ବିକିବାକୁ ବାଧ୍ୟ ହେଉଛି । ଆପଣ ଏହାକୁ କିଣିବେ କି? ମୁଁ ଏହାକୁ ଅତି ଶସ୍ତାରେ ଦେଇଦେବି ।”

                ଏକଥା ଶୁଣିବା ମାତ୍ରେ ହୀରା ବେପାରୀଙ୍କ ଆଖି ଉଜ୍ଜ୍ୱଳ ହୋଇ ଉଠିଲା । ତାଙ୍କର ଆଗରୁ ଅଭିଜ୍ଞତା ଥିଲା ଯେ, ଖାନ୍ଦାନୀ ପରିବାରର ଯୁବକମାନେ ତମ୍ବା ଦରରେ ସୁନା ବିକ୍ରୀ କରି ଦିଅନ୍ତି । ଏଣୁ ସେ ଉତ୍ସାହିତ ହୋଇ କହିଲେ, “କାଇଁ, ସେ ହୀରା ମୋତେ ଆଗ ଦେଖାଇଲ?”

                ଏହାପରେ ସେ ଯୁବକ ନିଜ ଥଳୀରୁ ଗୋଟିଏ ଛୋଟ ଡିବା ସ ଯତ୍ନରେ ବାହାର କଲା ଓ ତା’ ଭିତରୁ ଗୋଟିଏ ଚକ୍ମକିଆ ଚିଜ କାଢିଲା ।

                ବେପାରୀ ଉତ୍ସୁକ ହୋଇ ତାକୁ ହାତରେ ଧରିଲେ । ମାତ୍ର ଗୋଟିଏ ନଜର୍ ପକାଇ ସେ ଜାଣିଗଲେ ଯେ, ତାହା କାଚଖଣ୍ଡ ।

ବେପାରୀ କହିଲେ “ଯୁବକ ବନ୍ଧୁ! ତୁମର ଧାରଣା ଭୁଲ୍ । ଏହା ସାମାନ୍ୟ କାଚଖଣ୍ଡଟିଏ ମାତ୍ର ।”

ଯୁବକ ଜୋର୍ ଦେଇ କହିଲା “ତୁମେ ମୋତେ ଥଟ୍ଟା କରୁଛ । ଏହା ଏକ ଦାମିକା ଖାନ୍ଦାନୀ ସମ୍ପତ୍ତି । ତୁମେ ଯଦି ଏହାର ମୂଲ୍ୟ ବୁଝି ପାରୁନାହଁ, ତେବେ ବୁଝିବ କିଏ?”


ଗପ ସାରଣୀ

ତାଲିକାଭୁକ୍ତ ଗପ