ପରାକ୍ରମୀ ସ୍ତ୍ରୀ

ବହୁପୂର୍ବର କଥା । ରାଜା ଦୁର୍ଜୟ ଧର୍ମପୁର ରାଜ୍ୟର ଶାସକ ଥିଲେ । ବର୍ଷକୁ ଥରେ ସେ ତାଙ୍କର ସାମନ୍ତ ରାଜାମାନଙ୍କୁ ନିମନ୍ତ୍ରଣ କରୁଥିଲେ ଓ ରାଜ୍ୟରେ ଦୁଇ ତିନିଦିନ ଧରି ଖୁବ୍ ଉତ୍ସବ ହୁଏ । ଖିଆପିଆ ଓ ନାନା ପ୍ରକାର ମନୋରଞ୍ଜନର କାର୍ଯ୍ୟକ୍ରମ ସବୁହୁଏ । ଏଥର ମଧ୍ୟ ସାମନ୍ତରାଜାମାନେ ଆସିଲେ । ରାଜାମାନେ ନିଜନିଜର ବଡେଇ କରୁଥା’ନ୍ତି । କିଏ ନିଜ ଦୁର୍ଗର ତ, କିଏ ନିଜର ଆରବୀ ଘୋଡାର, କିଏ ସ୍ୱାଦିଷ୍ଟ ଫଳର ତ, କିଏ ତାଙ୍କ ରାଜ୍ୟର ଅନ୍ୟ କିଛିର କଥାସବୁ କହୁଥା’ନ୍ତି । କିନ୍ତୁ ବିଜୟ ନାମକ ଯୁବକ ରାଜା ଚୁପ୍ଚାପ୍ ବସିଥା’ନ୍ତି । ରାଜା ଦୁର୍ଜୟ ତାଙ୍କୁ ଚାହିଁ ପଚାରିଲେ, “ବିଜୟ, ସମସ୍ତେ ତ ନିଜ ନିଜର ବିଶେଷ କଥା କହି ଚାଲିଛନ୍ତି; କିନ୍ତୁ ତମେ କାହିଁକି ମୌନ ହୋଇ ବସିଛ?”

                ବିଜୟ କହିଲେ “ମୁଁ ଯଦି କିଛି କହିବି, ତୋର ମୋର ପତ୍ନୀ ମାଳିନୀ ବିଷୟରେ କହିବି । କିନ୍ତୁ ଏଠାକାର ପରିସ୍ଥିତିରେ ତାହା ଅସଙ୍ଗତ ମନେ ହେବାରୁ ମୁଁ ଚୁପ୍ଚାପ୍ ହୋଇ ବସିଛି ।”

                ଦୁର୍ଜୟ ପଚାରିଲେ “କୁହ ତ ଦେଖି ତୁମ ସ୍ତ୍ରୀଙ୍କ ମଧ୍ୟରେ କ’ଣ ଏମିତି ବିଶେଷତା ରହିଛି? ଯାହାକୁକି ଶୁଣି ଆମେ ଅପାର ଆନନ୍ଦ ପାଇବୁ । କ’ଣ ସେ ଜଣେ ସ୍ୱପ୍ନ ସୁନ୍ଦରୀ, ନା ବିଶିଷ୍ଟ କଳାକାର, ନା ସଙ୍ଗୀତଜ୍ଞ?”

                ବିଜୟ କହିଲେ, “ଆପଣ ଯେତେ କଥା ସବୁ କହିଲେ ସେ ସମସ୍ତ ବିଷୟରେ ତାଙ୍କର ବୈଶିଷ୍ଟ୍ୟ ରହିଛି । କିନ୍ତୁ ସର୍ବାପେକ୍ଷା ଅଧିକ ବିଶେଷ ଗୁଣ ହେଉଛି ତାଙ୍କର ସାହସ ଓ ପରାକ୍ରମ । ଖଣ୍ଡାଯୁଦ୍ଧ ବା ତୀରଚାଳନା, ବା ଗଦାଯୁଦ୍ଧ, କେଉଁଥିରେ ତାଙ୍କର ସମକକ୍ଷ ଯୋଦ୍ଧା ପାଇବା ବଡ କଷ୍ଟକର ।”

                ଦୁର୍ଜୟ କହିଲେ, “ଆରେ ତମେ ଭୁଲିଯାଉଛ କି ଏଠାରେ ତମେ ଏସବୁ କଥା, ଏତେ ବଡ ବଡ ଯୋଦ୍ଧାଙ୍କ ସମ୍ମୁଖରେ କହୁଛ ବୋଲି?”

                ବିଜୟ କହିଲେ “ମହାରାଜ, ଏହି ସାମନ୍ତରାଜାମାନଙ୍କ କଥା ଛାଡି ଦିଅନ୍ତୁ । ଆପଣ ମଧ୍ୟ ମୋ ସ୍ତ୍ରୀର ପରାକ୍ରମ ସମ୍ମୁଖରେ ଆଦୌ ତିଷ୍ଠି ପାରିବେ ନାହିଁ । ଏହା ଅତିଶୟୋକ୍ତି ନୁହେଁ ।”

                ଦୁର୍ଜୟ ତାଙ୍କ କଥାରେ ମନେ ମନେ ଭାରି ରାଗିଗଲେ । ସେ ଭାବିଲେ ବିଜୟ ତାଙ୍କ ଇଚ୍ଛା କରି ଅପମାନ କରୁଛି । ଜଣେ ସାମନ୍ତରାଜା ତା’ର ସ୍ତ୍ରୀ ପରାକ୍ରମକୁ ରାଜାଙ୍କ ପରାକ୍ରମଠାରୁ ଶ୍ରେଷ୍ଠ ବୋଲି କହୁଛି । ରାଜା ଦୁର୍ଜୟ ଏକଥା ସହ୍ୟ କରି ନପାରି ତାଙ୍କ ଅଙ୍ଗରକ୍ଷୀଙ୍କୁ କହିଲେ, “ଶୀଘ୍ର ଏ ଦୁଷ୍ଟକୁ ନେଇ କାରାଗାରରେ ନିକ୍ଷେପ କର । ଏଠାରେ ଏହାର ଆଉ ସ୍ଥାନ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ