ସତ୍ୟବତୀ କଥା

ପରଦିନ ଶୁଭ ମୁହୂର୍ତ ଦେଖି ଭୋଜରାଜ ସିଂହାସନ ପାଖରେ ପହଁଚିବା କ୍ଷଣି ଷୋଡଶ ପୁତ୍ତଳିକା ସତ୍ୟବତୀ ତାଙ୍କ ସାମ୍ନା ସାମ୍ନି ହୋଇ କହିଲା, “ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ସମକକ୍ଷ ହୁଅନ୍ତୁ । ତା’ପରେ ଏଇ ସିଂହାସନ ଆରୋହଣ କରନ୍ତୁ । ତାଙ୍କର ତ୍ୟାଗ ଏବଂ ଦାନବୀରତାର ଏକ କାହାଣୀ କହୁଛି ଶୁଣନ୍ତୁ ।”

       ମହାରାଜ ବିକ୍ରମାଦିତ୍ୟଙ୍କ ରାଜ୍ୟ ଯେପରି ଧନଧାନ୍ୟ, ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ଥିଲା । ସେ ମଧ୍ୟ ସେଇପରି ମହାଜ୍ଞାନୀ, ମହାଦାନୀ ଏବଂ ତ୍ୟାଗୀ ସୁପୁରୁଷ ଥିଲେ । ତାଙ୍କ ରାଜସଭାରେ ନବରତ୍ନ ପଣ୍ଡିତଙ୍କୁ ସ୍ଥାନ ଦେଇଥିଲେ । ମହାକବି କାଳିଦାସ ଥିଲେ ତାଙ୍କ ସଭାର ଶ୍ରେଷ୍ଠ ରତ୍ନ ।

       ଦିନେ ତାଙ୍କ ରାଜଦରବାରରେ ବିଶ୍ୱ ବ୍ରହ୍ମାଣ୍ଡ ସଂପର୍କରେ ଆଲୋଚନା ହେଉଥିଲା । ଭୂଲୋକ ଠାରୁ ଦେବଲୋକ, ପାତାଳଲୋକ ଯାଏଁ ସବୁକଥା ପଡିଲା । ଜଣେ ବିଦ୍ୱାନ୍ କହିଲେ ଯେ, ପାତାଳ ଲୋକର ସ୍ୱାମୀ ଶେଷନାଗ ଭଗବାନଙ୍କର ପରମ ସେବକ । ସେ ଖୁବ୍ ଜାକ ଜମକରେ ବିପୁଳ ଐଶ୍ୱର୍ଯ୍ୟ ସହିତ ରହନ୍ତି । ତାଙ୍କର ସ୍ଥାନ କୌଣସି ଦେବତାଙ୍କ ଠାରୁ ନଗଣ୍ୟ ନୁହେଁ । ତାଙ୍କୁ ଦର୍ଶନ କରିବା ଅର୍ଥ ଭଗବାନଙ୍କୁ ଦର୍ଶନ କରିବା ।

       ମହାରାଜ ବିକ୍ରମାଦିତ୍ୟ ଭାବିଲେ ସେ ନିଶ୍ଚିତ ଭାବରେ ଯାଇ ଶେଷ ନାଗଙ୍କୁ ଦର୍ଶନ କରିବେ ଏବଂ ପରୀକ୍ଷା କରି ଦେଖିବେ ସେ କେଡେ ଐଶ୍ୱର୍ଯ୍ୟଶାଳୀ । ଏଣୁ ସେ ବେତାଳ ମାନଙ୍କୁ ଡକାଇ ତାଙ୍କୁ ପାତାଳଲୋକରେ ପହଁଚାଇ ଦେବାକୁ ନିର୍ଧେସ ଦେଲେ ।

       ପାତାଳ ଲୋକରେ ପହଁଚି ମହାରାଜ ବିକ୍ରମାଦିତ୍ୟ ଦେଖିଲେ ଶେଷ ନାଗଙ୍କ ରାଜମହଲ ଖୁବ୍ ବିଶାଳ ଏବଂ ହୀରା, ନୀଳା, ମୋତି, ମାଣିକ୍ୟରେ ଝଲମଲ କରୁଛି । ଚାରିଆଡେ ବୁଲି ବୁଲି ଦେଖିଲେ ।

       ନାଗରାଜ ମର୍ତ୍ୟଲୋକରୁ କେହି ତାଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବୋଲି ଶୁଣି ମହଲରୁ ବାହାରି ବିକ୍ରମାଦିତ୍ୟଙ୍କୁ ଖୋଜିଲେ । ଶେଷନାଗଙ୍କୁ ଦେଖି ବିକ୍ରମାଦିତ୍ୟ ସସମ୍ମାନେ ପ୍ରଣାମ ଜଣାଇ କହିଲେ, “ହେ ନାଗରାଜ! ଆପଣଙ୍କ ଦର୍ଶନ ଲାଭ କରି ମୁଁ ନିଜକୁ ଧନ୍ୟ ମନେ କରୁଛି ।”

       ଶେଷନାଗ ବିକ୍ରମାଦିତ୍ୟଙ୍କ ବିନମ୍ରତାରେ ଖୁସି ହୋଇ କହିଲେ, “ହେ ମାନବ! ସୁଖୀ ହୁଅ । ଅନୁମାନ କରି ପାରୁଛି ତମେ କୌଣସି ରାଜ୍ୟର ରାଜା । ମୋତେ ତୁମର ପ୍ରକୃତ ପରିଚୟ ଦିଅ ।”

       ଶେଷନାଗଙ୍କ ଉତ୍କଣ୍ଠା ଦୂର କରିବା ପାଇଁ ମହାରାଜ କହିଲେ, “ମୁଁ ମର୍ତ୍ୟଲୋକରେ ଥିବା ଉଜ୍ଜୟିନୀ ରାଜ୍ୟର ରାଜା ବିକ୍ରମାଦିତ୍ୟ ଆପଣଙ୍କ ସମ୍ପର୍କରେ ଜାଣିବା ପରେ ଦର୍ଶନ କରିବାକୁ ଆସିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ