ବୁଦ୍ଧି ଓ ବିବେକ

ଏଣେ ବିଶ୍ୱଦତଙ୍କ ଖୁସି କହିଲେ ନସରେ । ସେ ସଙ୍ଗେ ସଙ୍ଗେ ଜଣେ ଦାସୀ ଦ୍ୱାରା ମାଧୁରୀଙ୍କ ପାଖକୁ ଏହି ଖବର ଦେଲେ କି ସେ ଯେପରି ସଂନ୍ଧ୍ୟାବେଳେ ତାଙ୍କ ସହ ନୌକାବିହାର ପାଇଁ ଆସନ୍ତି । ନୌକାରେ ବସି ସେ ମାଧୁରୀଙ୍କୁ ସବୁ କହିବେ ବୋଲି ସ୍ଥିର କରିଥିଲେ ।

ସଂନ୍ଧ୍ୟାବେଳେ ସେ ନଈକୁଳରେ ପହଁଚିବା ବେଳକୁ ଦେଖିଲେ ମାଧୁରୀଙ୍କ ପଛେ ପଛେ ଅଭିଜତ୍ ବି ଆସୁଛି । ସେ ତାକୁ କିପରି ବା ପ୍ରତ୍ୟାଖ୍ୟାନ କରନ୍ତେ? ଏଣୁ ସେ ତିନିହେଁ ନୌକାରୋହଣ କଲେ ।

ନୌକାରେ ବସି ବିଶ୍ୱଦତ ତାଙ୍କ ସହ ମାଧୁରୀର ବିବାହ ପାଇଁ ରାଜା ସମ୍ମତି ଦେଇଥିବାର କଥା କହିଲେ । ହେଲେ ସବୁକଥା ଶୁଣି ମାଧୁରୀ କିଛି ନକହି ଚୁପ୍ଚାପ୍ ପୂର୍ବବତ୍ ବସି ରହିଲେ । କିନ୍ତୁ ଅଭିଜତ୍ ହଠାତ୍ ଉତ୍ତେଜିତ ହୋଇ କହିଲା, “ତମେ ଜଣେ ରାଜପୁତ୍ର । ଯୁବରାଜ ହେବାକୁ ଯାଉଛ । ଭବିଷ୍ୟତରେ ପୁଣି ରାଜା ବି ହେବ । ତେଣୁ ତୁମର ଯାହା ମନ ତାହା କରିପାର । କିନ୍ତୁ ଏହା ଘୋର ଅନ୍ୟାୟ । ତମେ ତ ଜାଣ ମୁଁ ମାଧୁରୀକୁ ଭଲ ପାଏ । ତମର ସତ୍ ସାହସ ଥିଲେ ତମେ ମୋ ସହ ଦ୍ୱନ୍ଦ୍ୱ ଯୁଦ୍ଧ କରି ପାରିଲେ ମୋତେ ପରାସ୍ତ କରି ମାଧୁରୀର ପାଣିଗ୍ରହଣ କରନ୍ତ । କିନ୍ତୁ ଜନ୍ମଗତ ଅଧିକାର ବଳରେ ତାକୁ ମୋଠାରୁ ଛଡାଇ ନେବାରେ ବାହାଦୁରୀ କ’ଣ?”

ବିଶ୍ୱଦତ ଯେତେବେଳେ କହିଲେ କି ଅଭିଜିତ୍ ମାଧୁରୀକୁ ଭଲପାଉଥିବା ବିଷୟରେ ସେ କିଛିବି ଜାଣିନଥିଲେ, ସେତେବେଳେ ଅଭିଜିତ୍ ଆହୁରି ରାଗିଯାଇ ନିଜ ତରବାରୀ ବାହାର କଲା । ରାଜକୁମାର ତା’ ହାତ ଧରିପକାଇ ତାକୁ ସେଥିରେ ବାଧା ଦେଲେ । ଧ୍ୱସ୍ତା ଧ୍ୱସ୍ତିରେ ନୌକାଟି ଓଲଟି ପଡିଲା । ଫଳରେ ସେ ତିନିହେଁ ନଈରେ ପଡିଲେ । ମାଧୁରୀଙ୍କୁ ତ ଭଲ ସନ୍ତରଣ ଆସୁଥାଏ । ତେଣୁ ସେ ଯାଇ ତୀରରେ ପହଁଚିଗଲେ । ରାଜକୁମାର ବିଶ୍ୱଦତ ଓଲଟିଭାସୁଥିବା ନୌକା ଉପରେ ଭରା ଦେବାକୁ ଗଲାବେଳେ ତାହା ପୁଣି ଓଲଟିଯିବାରୁ ତାଙ୍କ ମୁଣ୍ଡରେ ସେହି ନୌକାର ମଙ୍ଗ ବାଜିଲା ଓ ସେ ନିଜ ଚେତା ହରାଇଲେ ।

ଚେତା ଫେରିବା ବେଳକୁ ସେ ଦେଖିଲେ, ଅଭିଜିତ୍ ତାଙ୍କ ପେଟ ଚାପି ସେ ପିଇପକାଇଥିବା ପାଣି ସବୁ ବାହାର କରିଦେଉଛି । ତାଙ୍କ ଚେତା ଫେରିବାର ଦେଖି ସେ ତୁରନ୍ତ ସେଠାରୁ ଉଠି ଚାଲିଗଲା ।

“ମାଧୁରୀ ଠିଆ ହୋଇଥିଲେ । ସେ କହିଲେ, “ତମେ ଏଡେ ସୁକୁମାର? ମଙ୍ଗ ବାଜି ଯିବାରୁ ଚେତା ହରାଇଲ? ଅଭିଜିତ୍ର କାହିଁକି କିଛି ହେଲା ନାହିଁ ଜାଣ? ସେ କହେ, ତାକୁ ସର୍ବଦା କୌଣସି ଅଦୃଶ୍ୟ ଶକ୍ତି ସାହାଯ୍ୟ କରୁଛି । ଯିଏ ତା’ ବିରୁଦ୍ଧରେ ଯାଏ, ସେ ନିଶ୍ଚୟ ବିପଦରେ ପଡେ ।”

ଏହାକହି ମାଧୁରୀ ସେଠାରୁ ଚାଲିଗଲା ।

ରାଜକୁମାର କିଛି ସମୟ ବସି ନଅରକୁ ଆସିଲେ ଓ ରାଜାଙ୍କୁ ଦେଖାକରି କହିଲେ, “ମହାରାଜ! ଆପଣ ଏତେଶୀଘ୍ର ମୋତେ ଯୁବରାଜ ଭାବରେ ଅଭିଷିକ୍ତ ନକରି ଆଉ କିଛି ଦିନ ଅପେକ୍ଷା କରନ୍ତୁ । ଆଉ ଗୋଟାଏ ଅନୁରୋଧ, ମାଧୁରୀ ସହ ମୋ ବିବାହ ପ୍ରସ୍ତାବ ମହାମନ୍ତ୍ରୀଙ୍କୁ ଦିଅନ୍ତୁ ନାହିଁ । ତୃତୀୟ ନିବେଦନ, ମୋତେ ଆଉ କିଛିଦିନ ପାଇଁ ଦେଶ ପର୍ଯ୍ୟଟନରେ ଯିବା ନିମନ୍ତେ ଅନୁମତି ଦିଅନ୍ତୁ ।”

ଏଥିରେ ରାଜା ସମ୍ମତି ଦେଲେ । ତା’ପରେ ସେ ରାଜକୁମାର ଦେଶ ଭ୍ରମଣରେ ବାହାରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ