କୃଷ୍ଣାବତାର

ବଳୀଙ୍କ ପୁତ୍ରର ନାମ ବାଣାସୁର ଥିଲା । ତା’ର ରାଜଧାନୀ ଶୋଣପୁର ନଗରୀ ଥିଲା । କୁହାଯାଏ ଯେ, ତା’ର ଅନେକ ଗୁଡିଏ ହାତ ଥିଲା; ସେ ତା’ ପିଲାଦିନରୁ ଭାରି ଦୁଷ୍ଟ ଓ ଉଦ୍ଦଣ୍ଡ ଥିଲା । ସେ ଦିନେ ଦେଖିଲା ଯେ ମଣିମାଣିକ୍ୟ ତଥା ସୁବର୍ଣ୍ଣରେ ପୂର୍ଣ୍ଣ ଏକ ଗୁମ୍ଫା ଭିତରେ ଭଗବାନ୍ କାର୍ତ୍ତିକେୟ ଖେଳୁଛନ୍ତି । ସେ ବାଳସୁଲଭ ଉତ୍ସାହର ସହିତ ଖେଳୁଥାନ୍ତି ଆଉ ତାଙ୍କର ପିତାମାତା ତାଙ୍କର ସେ ବାଳଲୀଳା ଅବଲୋକନ କରି ଅତ୍ୟନ୍ତ ମୁଗଧ ହେଉଥା’ନ୍ତି ।

                କାର୍ତ୍ତିକେୟଙ୍କ ସୁନ୍ଦର ରୂପକୁ ଦେଖି ବାଣ ଭାବିଲା, “ଆହା କି ସୁନ୍ଦର ବାଳକ; କେଉଁ ଜନ୍ମର ତପ ଫଳରେ ସେ ଶିବଙ୍କ ପୁତ୍ର ହୋଇ ଜନ୍ମ ନେଲା । ମୁଁ କ’ଣ ତପସ୍ୟା କରି ସେପରି ଭାଗ୍ୟ ପ୍ରାପ୍ତ କରି ପାରିବି?” ଏହି କଥା ମନରେ ଚିନ୍ତା କରି ସେ ତପସ୍ୟା କରିବାକୁ ଲାଗିଲା । ଅନେକ ବର୍ଷ ବିତିଗଲା । ଶିବ ତା’ ତପସ୍ୟାରେ ସନ୍ତୁଷ୍ଟ ହୋଇ ପାର୍ବତୀଙ୍କ ସହିତ ତା’ସମ୍ମୁଖରେ ଆବିର୍ଭୂତ ହେଲେ ଓ କହିଲେ, “ବତ୍ସ, ମୁଁ ତୁମ ଉପରେ ପ୍ରସନ୍ନ ହୋଇଛି । ଯେଉଁ ବର ଚାହୁଁଛ ମାଗିନିଅ । ମୁଁ ତାହା ଅବଶ୍ୟ ଦେବି ।”

ଏହା ଶୁଣି ସେ ବାଣ ଭକ୍ତିପୂର୍ବକ ହାତଯୋଡି କହିଲା, “ଭଗବାନ, ମୋତେ ଏହି ବର ଦିଅନ୍ତୁ ଯେ ମୁଁ ଆପଣଙ୍କର ଓ ଦେବୀ ପାର୍ବତୀଙ୍କର ପୁତ୍ର ହୋଇ, ଆପଣମାନଙ୍କ କୃପା ପ୍ରାପ୍ତ ହୋଇ ଆନନ୍ଦରେ ଜୀବନ ବିତାଇବି ।”

ଏହା ଶୁଣି ଶିବ ଅଳ୍ପ ହସି “ତଥାସ୍ତୁ” କହିଲେ । ତା’ପରେ ସେ ପାର୍ବତୀଙ୍କୁ କହିଲେ, “ଆଜିଠାରୁ ବାଣକୁ ତମେ କାର୍ତ୍ତିକେୟର ଅନୁଜ ଭାବରେ ସ୍ୱୀକାର କରିବ ।” ତା’ପରେ ଶିବ ବାଣକୁ ଏକ ରାଜ୍ୟ ଓ ତା’ର ରାଜଧାନୀ ଶୋଣପୁର ଦାନ କରି କହିଲେ, “ମୁଁ ତୋର ରାଜ୍ୟକୁ ସର୍ବଦା ରକ୍ଷା କରୁଥିବି । ତତେ କେହି ବି ପରାଜିତ କରିପାରିବେ ନାହିଁ, ସେଥିପାଇଁ ତୁ ନିଶ୍ଚିତ ହୋଇ ରହିଥା ।”

କାର୍ତ୍ତିକେୟ ବାଣକୁ ମଧ୍ୟ ନିଜର ଅନୁଜ ଭାବି ତାଙ୍କୁ ଏକ ଅଦ୍ଭୁତ ମୟୁର ଦେଇ କହିଲେ, “ଏହି ମୟୁର ତୁମର ବାହନ ଓ ପତାକା ହୋଇ ରହିବ ।”

ଏବେ ସେ ବାଣ ଆଉ କାହାକୁ ବା ଭୟ କରିବ? ସ୍ୱୟଂ ଶିବ ଯାହାର ରକ୍ଷକ ତା’ର ବା ଆଉ ପୁଣି କିଏ କ’ଣ କରିପାରିବ? ତେଣୁ ବାଣ ନିଜର ରାଜ୍ୟ ବିସ୍ତାର କରିବା ପାଇଁ ଦେବତା, ଗନ୍ଧର୍ବ, କିନ୍ନର, ନାଗ, ରାକ୍ଷସ ଇତ୍ୟାଦିଙ୍କ ସହିତ ଯୁଦ୍ଧ କରି ଅକ୍ଳେଶରେ ଜୟଲାଭ କଲା ଓ ରାଜ୍ୟ ବିସ୍ତାର କଲା । ତଥାପି ମଧ୍ୟ ତାହାର ଅଭିଳାଷ ପୂର୍ଣ୍ଣ ହେଲା ନାହିଁ । ସଦାବେଳେ ସେ ଭାବି ଲାଗିଲା କି ତା’ର ସମକକ୍ଷ କେହି ବି ଯୋଦ୍ଧା ନାହିଁ ଯାହା ସହିତ କି ସେ ଯୁଦ୍ଧ କରି ସନ୍ତୁଷ୍ଟ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ