ଚନ୍ଦ୍ର ଜ୍ୟୋତି କଥା

ପରଦିନ ଭୋଜରାଜ ନିତ୍ୟକର୍ମାଦି ଶେଷ କରି ଚମତ୍କାରୀ ସିଂହାସନ ପାଖରେ ପହଁଚିଗଲେ । ତାଙ୍କୁ ଦେଖି ପରବର୍ତ୍ତି ପୁତ୍ତଳିକା ଚନ୍ଦ୍ରଜ୍ୟୋତି ଛିଡାହୋଇ କହିଲା, “ଭୋଜରାଜ! ଆପଣ ପ୍ରଥମେ ମହାରାଜ ବିକ୍ରମାଦିତ୍ୟଙ୍କ ମହାନୁଭବତା ସମ୍ପର୍କରେ ଏକ କାହାଣୀ ଶୁଣନ୍ତୁ ଏବଂ ଆତ୍ମସମୀକ୍ଷା କରି ଦେଖନ୍ତୁ ଆପଣ ଏଥିରେ ବସିବା ପାଇଁ ଯୋଗ୍ୟ କି ନୁହେଁ ।”

       ଥରେ ମହାରାଜ ବିକ୍ରମାଦିତ୍ୟ ରାଜ୍ୟ ତଥା ପ୍ରଜାମାନଙ୍କର ମଙ୍ଗଳ ପାଇଁ ଏକ ସତସଂଗ କରିବାକୁ ଚାହିଁଲେ । ସେ ଆଶା କରିଥିଲେ ସ୍ୱୟଂ ଚନ୍ଦ୍ର ଦେବତା ସତସଂଗ ସ୍ଥଳରେ ଉପସ୍ଥିତ ହୋଇ ତାଙ୍କୁ ଆଶିଷ ପ୍ରଦାନ କରିବେ । ସେ ମହାମନ୍ତ୍ରୀଙ୍କୁ ଡକାଇ ଚନ୍ଦ୍ରଦେବଙ୍କୁ ନିମନ୍ତ୍ରଣ କରିବା ପାଇଁ ନିର୍ଧେସ ଦେବା ସମୟରେ ଜଣେ ଅନୁଚର ପ୍ରବେଶ କରି ମହାମନ୍ତ୍ରୀଙ୍କୁ କିଛି କହିବାକୁ ଚାହିଁଲା ।

       ମହାମନ୍ତ୍ରୀ ତା’ ସହିତ ଟିକିଏ ଦୂରକୁ ଯିବା ପରେ ସେ ଯାହା କହିଲା, ତାହା ଶୁଣି ମହାମନ୍ତ୍ରୀ ଖୁବ୍ ବିମର୍ଷ ହୋଇ ପଡିଲେ ଏବଂ ତୁରନ୍ତ ନିଜ ବାସ ଭବନକୁ ଚାଲିଗଲେ । ଏସବୁକୁ ଲକ୍ଷ୍ୟ କରୁଥିବା ମହାରାଜ ଅନୁଚରଙ୍କୁ ଡାକି ପ୍ରକୃତ ତଥ୍ୟ ଜାଣିବାକୁ ଚାହିଁଲେ । ସେ କହିଲା, ଯେ ମହାମନ୍ତ୍ରୀଙ୍କର ଏକମାତ୍ର ଝିଅର ଅବସ୍ଥା ଖୁବ୍ ଶୋଚନୀୟ । ଚିକିତ୍ସକମାନେ ତା’ର କ’ଣ ହୋଇଛି କିଛି ଜାଣି ପାରୁ ନାହାଁନ୍ତି ।

       ମହାରାଜ ରାଜବୈଦ୍ୟଙ୍କୁ ଡାକି ପଚାରିବାରୁ ସେ କହିଲେ, “ମହାମନ୍ତ୍ରୀଙ୍କ ଝିଅ ଦୀର୍ଘଦିନ ଧରି ଅସୁସ୍ଥ ରହିଛି । ବର୍ତମାନ ତାର ବଂଚିବାର ଏକମାତ୍ର ଉପାୟ ହେଉଛି ଏକ ସ୍ୱତନ୍ତ୍ର ଜଡିବୁଟୀ । ଯାହା ସହଜରେ ମିଳିବା ସମ୍ଭବ ନୁହେଁ । ଯଥା ସମୟରେ ତାହା ଅଣାଯାଇ ନ ପାରିଲେ ମହା ମନ୍ତ୍ରୀଙ୍କ ଝିଅକୁ ବଂଚାଇବା ଖୁବ୍ କଷ୍ଟକର ହୋଇ ପଡିବ ।

       “ତାହା କୋଉଠି କିପରି ମିଳିପାରିବ ଜଲ୍ଦି କହନ୍ତୁ । ମୁଁ ସମସ୍ତ ବ୍ୟବସ୍ଥା କରିବି ।”

       ମହାରାଜାଙ୍କ କଥା ଶୁଣି ରାଜବୈଦ୍ୟ କହିଲେ, “ସେ ବୁଟୀ କେବଳ ନୀଳରତ୍ନଗିରି ଘାଟୀରେ ମିଳିପାରେ ଯାହା ଫୁଲ ଅଧା ନୀଳ ଏବଂ ଅଧା ହଳଦିଆ । ଗଛ ଦେହରେ କଂଟା । ପତ୍ରକୁ ଛୁଇଁଲେ ଲାଜକୁଳି ପରି ଝାଉଁଳି ଯାଏ । ସେଠାକୁ ଯାଇ ବୁଟୀ ଆଣିବାକୁ ମାସେ ଲାଗି ଯାଇପାରେ କାରଣ ସେଠାରେ ପହଁଚିବା ପାଇଁ ବାଘ, ସାପ, ବିଷାକ୍ତ ବିଛାଙ୍କର ସାମ୍ନା କରିବାକୁ ପଡିବ ।”

       ମହାରାଜ ନିଜେ ଯାଇ ବୁଟୀ ଆଣିବାର ନିଷ୍ପତି ନେଇ ବେତାଳଙ୍କୁ ସ୍ମରଣ କଲେ । ସେମାନେ ତାଙ୍କୁ ନେଇ ନୀଳରତ୍ନଗିରି ଘାଟୀରେ ଛାଡିଦେଲେ ।

       ମହାରାଜ କଂଟାଝଂଟା ଆଡେଇ ଘାଟୀ ରାସ୍ତାରେ ଆଗେଇବା ମାତ୍ରେ ଗୋଟିଏ ମହାବଳ ବାଘ ହଠାତ୍ ତାଙ୍କ ଉପରକୁ ଝାମ୍ପି ପଡିଲା ଏବଂ ତାଙ୍କୁ କ୍ଷତାକ୍ତ କରି ପକାଇଲା । ଦ୍ୱିତୀୟବାର ବାଘ ତାଙ୍କ ଆଡକୁ ଆଗେଇବା ମାତ୍ରେ ସେ ତରବାରୀ ବାହାର କରି ଏଭଳି ଶକ୍ତ ଆଘାତ କଲେ ଯେ ବିଚରା ବାଘଟି ମରିଗଲା ।

       ମହାରାଜ ଆଉ କିଛି ଦୂର ଯାଇ ଦେଖିଲେ ଅସଂଖ୍ୟ ସାପ ଫଣାଟେକି ଫଁ ଫଁ ହେଉଥାନ୍ତି । ପଥର ମାରି ସେମାନଙ୍କୁ ଘଉଡାଇ ଆଗକୁ ବଢିବା ମାତ୍ରେ କୋଉଠି ଥିଲା ଗୋଟାଏ ବିରାଟ ଅଜଗର ଆଁ କରି ପ୍ରଖର ଶ୍ୱାସରେ ଟାଣି ନେଇ ମହାରାଜଙ୍କୁ ଗିଳିଦେଲା । ମହାରାଜ ତୁରନ୍ତ ତରବାରୀରେ ତାର ପେଟଚିରି ବାହାରି ଆସିଲେ । ସେତେବେଳକୁ ସନ୍ଧ୍ୟାହୋଇ ଯାଇଥାଏ । ଅନ୍ଧାର ଭିତରେ ବୁଟୀ ଖୋଜିବେ କେମିତି? ଭାବିଲେ ଯଦି ଚନ୍ଦ୍ର ଉଇଁ ଆସନ୍ତେ ତେବେ ହୁଏତ ସେ ସକ୍ଷମ ହୋଇ ପାରନ୍ତେ ।

       ସତକୁ ସତ ତାଙ୍କ ମନ ଜାଣି ଚନ୍ଦ୍ରଦେବ ଅପୂର୍ବ ଜ୍ୟୋତି ବିକୀରଣ କରି ଉଦୟ ହେଲେ । ମହାରାଜ ଖୁସି ମନରେ ବୁଟୀର ସନ୍ଧାନରେ ଆଗେଇଲେ କିଛି ଦୂର ଯାଇ ନିର୍ଦ୍ଦିଷ୍ଟ ବୁଟୀ ଚିହ୍ନିଲେ । ମାତ୍ର ଏ କ’ଣ? ଅସଂଖ୍ୟ ମୂନିଆଁ କଂଟା ମଝିରେ ଥାଏ ନୀଳ ହଳଦିଆ ଫୁଲ । ବିଷାକ୍ତ ବିଛାସବୁ ସଁ ସଁ ହେଉଥାନ୍ତି । ମହାରାଜ ତରବାରୀ ସାହାଯ୍ୟରେ ବିଛାଙ୍କୁ ହଟାଇ ଡାଳ ସହିତ ଫୁଲ ସଂଗ୍ରହ କଲେ । ଚନ୍ଦ୍ରଙ୍କୁ କୃତଜ୍ଞତା ଜଣାଇ ନମସ୍କାର କରିବା ମାତ୍ରେ ସେ ଆସି ତାଙ୍କ ଆଗରେ ଉଭା ହୋଇ କହିଲେ:

       “ହେ ରାଜା ବିକ୍ରମାଦିତ୍ୟ! ତୁମେ ଧନ୍ୟ । ତମପରି ତ୍ୟାଗୀ, ଦାନଶୀଳ, ମହାନ୍ ରାଜା ସୃଷ୍ଟିରେ ବିରଳ । ଅନ୍ୟପାଇଁ ନିଜ ଜୀବନକୁ ବିପନ୍ନ କେବଳ ତମେହିଁ କରିପାର । କିନ୍ତୁ ତମେ ଯାହାପାଇଁ ବୁଟୀ ସଂଗ୍ରହ କରୁଛ ସେ ମରି ସାରିଛି । ଏଣୁ ମୁଁ ଅମୃତ ନେଇ ଆସିଛି । ତାହାକୁ ନେଇ ତା’ଉପରେ ସିଂଚିଦେଲେ ସେ ବଂଚି ଉଠିବ । ଆଉ ବିଳମ୍ବ ନ କରି ଯାଅ ।”

       ମହାରାଜ ଚନ୍ଦ୍ରଙ୍କଠାରୁ ଅମୃତଆଣି ରାଜ୍ୟରେ ପହଁଚି ମହାମନ୍ତ୍ରୀଙ୍କ ଝିଅକୁ ବଂଚାଇଲେ । ଚାରିଆଡେ ଖୁସିର ଲହରୀ ଖେଳିଗଲା ।

       କାହାଣୀ ଶୁଣି ଭୋଜରାଜ ସ୍ତବ୍ଧ ହୋଇଗଲେ । କିଛି ନକହି ଉଆସ ଅଭିମୁଖେ ଅଗ୍ରସର ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ