ନ୍ୟାୟ

ନରେନ୍ଦ୍ର ସେନ ଚନ୍ଦ୍ରପୁର ରାଜ୍ୟର ରାଜା ଥିଲେ । ସେ ଅତ୍ୟନ୍ତ ବୁଦ୍ଧିମାନ ଓ ଦୟାଳୁ ବି ଥିଲେ । ପ୍ରଜାପାଳନରେ ସେ ଅଦ୍ୱିତୀୟ ଥିଲେ । ପ୍ରଜାମାନଙ୍କର ଦୁଃଖକଷ୍ଟ ଓ ସମସ୍ୟା ସବୁ ସେ ନିଜେହିଁ ବୁଝୁଥିଲେ ଓ ଯଥାଶକ୍ତି ସେସବୁ ସମସ୍ୟାର ସମାଧାନ ବି କରୁଥିଲେ । ଏସବୁ ଛଡା ତାଙ୍କର ସର୍ବାପେକ୍ଷା ମହାନ୍ ଗୁଣ ନ୍ୟାୟ ପଥରେ ଚାଲିବା ଥିଲା । ଅପରାଧୀକୁ ଧରିବା ପାଇଁ ତାଙ୍କର ସବୁ ନାନା ପ୍ରକାର ଉପାୟ ଥିଲା । ତେଣୁ ତାଙ୍କର ବିଚାର ସର୍ବଦା ନ୍ୟାୟପୂର୍ଣ୍ଣ ଥିଲା ।

ପ୍ରତିଦିନ ସକାଳେ ରାଜା ଏକ ନିର୍ଦ୍ଧାରିତ ସମୟରେ ପ୍ରଜାଙ୍କର ସମସ୍ୟା ଶୁଣୁଥିଲେ ଓ ସେସବୁର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଦିନେ ରାଜା, ମନ୍ତ୍ରୀଙ୍କ ସହ କୌଣସି କଥା ଆଲୋଚନା କରୁଥିବାବେଳେ ରୂପାଲି ନାମକ ଜଣେ ସ୍ତ୍ରୀଲୋକ ନିଜର ଦୁଃଖ ଜଣାଇବାକୁ ରାଜାଙ୍କ ପାଖରେ ଆସି ପହଁଚିଲା । ରାଜା ପଚାରିଲେ, “ଝିଅ, କ’ଣ ତୁମର ଦୁଃଖ?”

ତହୁଁ ରୂପାଲି କାନ୍ଦି କାନ୍ଦି କହିଲା “ମହାରାଜ, ମୋ ନାମ ରୂପାଲି । ମୋ ସ୍ୱାମୀ ରମେଶ ସବୁଦିନେ ସହରକୁ ବ୍ୟବସାୟ କରିବାକୁ ଯାଏ ଓ ପୁଣି ରାତିକୁ ସେ ଫେରି ଆସେ । ମାତ୍ର କାଲି ସେ ଫେରିଲା ନାହିଁ । ଖୋଜାଖୋଜି କରିବାରୁ ମୁଁ ଶୁଣିଲି ସେ ନଈରେ ପଡି ମରିଯାଇଛି ।”

ରାଜା ପଚାରିଲେ “ତମେ ଏକଥା ଶୁଣିଲ ମାନେ ତେବେ ତୁମେ କ’ଣ କହିବାକୁ ଚାହଁ? ତାଛଡା ତୁମର ପୁଣି କ’ଣ ବା ଅଭିଯୋଗ?”

ରୂପାଲି କାନ୍ଦୁ କାନ୍ଦୁ କହିଲା “ହଁ ମହାରାଜ । ଏପରି କିଛି ଶୁଣିଲି । କିନ୍ତୁ ତା’ପରେ ପଡୋଶୀ ଘରର ରାଧେଶ୍ୟାମଙ୍କ ପାଖରୁ ମୁଁ ସବୁ ଶୁଣିଲି । ସେ ମଧ୍ୟ ଜଣେ ବ୍ୟବସାୟୀ । ସେ ବି ମୋ ସ୍ୱାମୀଙ୍କ ସହ ସହର ଯିବା ଆସିବା କରନ୍ତି । ବାଟରେ ନଦୀଟିଏ ପଡେ । କେବେ କେବେ ଦୁହେଁ ଗୋଟିଏ ନୌକାରେ ପାର ହୁଅନ୍ତି ତ କେବେ ବା ଅଲଗା ନୌକାରେ । ଗତ କାଲି ସେ ଅନ୍ୟ ଏକ ନୌକାରେ ଥିବାବେଳେ ଦୂରରୁ ଦେଖିପାରିଲେ ଯେ ମୋ ସ୍ୱାମୀ ଯାଉଥିବା ନୌକାରେ କିଛି ଗୋଳମାଳ ଲାଗିଛି । ତା’ପରେ ସେ ଦେଖିଲେ ନାଉରୀ ତାଙ୍କ ହାତରୁ ଟଙ୍କା ପୁଟଳା ଛଡାଇ ନେଇ ତାଙ୍କୁ ପେଲି ନଦୀରେ ପକାଇ ଦେଲା । ସେ ତ ସନ୍ତରଣ କରି ଜାଣନ୍ତି ନାହିଁ, ତେଣୁ ସେ ସେହିଠାରେ ପାଣିରେ ଡୁବି ମରିଗଲେ । ଏକଥା ଶୁଣି ମୁଁ ଆପଣଙ୍କ ପାଖକୁ ବିଚାର ପାଇଁ ଆସିଛି ।”

ରାଜା ଏକଥା ଶୁଣି ତୁରନ୍ତ ସିପାହୀମାନଙ୍କୁ ରୂପାଲୀର ସ୍ୱାମୀର ମୃତଦେହକୁ ଆଣିବାକୁ ନଦୀ କୂଳକୁ ପଠାଇଲେ । ପୁଣି ସେ ଆଉ କେତେଜଣଙ୍କୁ ରାଧେଶ୍ୟାମଙ୍କୁ ଡାକି ଆଣିବାକୁ ପଠାଇଲେ ।

ମନ୍ତ୍ରୀ କହିଲେ, “ଏହା ବି ହୋଇପାରେ ଯେ ରାଧେଶ୍ୟାମହିଁ ହତ୍ୟାକାରୀ ।” କିନ୍ତୁ ରାଜା ରାଧେଶ୍ୟାମ ସହ କଥାବାର୍ତ୍ତା କରି ନୀରବ ହୋଇଗଲେ । ଅର୍ଥାତ୍ ତାଙ୍କର ଧାରଣା ହେଲା, ସେ ନିରପରାଧ ।

କିଛି ସମୟ ପରେ କେତେକ ସିପାହୀ ଆସି ଖବର ଦେଲେ ଯେ ରମେଶର ଶବ ମିଳିଛି ଓ ତାକୁ ରାଜାଙ୍କ ପାଖକୁ ଅଣାହୋଇଛି । ରାଜା ଓ ମନ୍ତ୍ରୀ ଶବ ଦେଖିବାକୁ ଗଲେ ଓ କେତେକ ସିପାହୀଙ୍କୁ ନାଉରୀକୁ ଡାକି ଆଣିବାକୁ ପଠାଇଲେ । ରାଜା ଶବ ଦେଖି ଫେରିବା ବେଳକୁ ନାଉରୀକୁ ସିପାହୀମାନେ ଧରିଆଣି ହାଜର କରିଥା’ନ୍ତି ।

ରାଜା ପଚାରିଲେ, “ତୁମ ବିରୁଦ୍ଧରେ ଅଭିଯୋଗ ହୋଇଛି କି କାଲି ସକାଳେ ତମେ ରମେଶ ନାମକ ଜଣେ ବ୍ୟବସାୟୀକୁ ନୌକାରୁ ଠେଲି ନଦୀକୁ ଫିଙ୍ଗିଦେଇ ମାରିଦେଇଛ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ