ସୋମସେନଙ୍କ ଚିତ୍ର

ପ୍ରତିବର୍ଷ ପରି ଏଥର ମଧ୍ୟ ହରିପୁର ଗ୍ରାମରେ ଚିତ୍ର ପ୍ରଦର୍ଶନୀ ଖୋଲାଯାଇଥାଏ । ଏହି ପ୍ରଦର୍ଶନୀରେ ଯୋଗ ଦେବା ପାଇଁ ଦେଶର ବହୁ ପ୍ରସିଦ୍ଧ ଚିତ୍ରକର ଆସିଥାନ୍ତି । ତତ୍ ସହିତ ଅନେକ ନୂତନ ଓ ଅଳ୍ପ-ପ୍ରସିଦ୍ଧ ଚିତ୍ରକର ମଧ୍ୟ ସେମାନଙ୍କର ଚିତ୍ର ସମ୍ଭାର ସହ ସେ ପ୍ରଦର୍ଶନୀରେ ଭାଗ ନେଇଥାଆନ୍ତି ।

                ଦେଶର ପ୍ରାୟ ସବୁ ଅଂଚଳର ଚିତ୍ରକର ଏହି ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ଭାଗ ନେଉଥିବାରୁ, କଳାପ୍ରେମୀ ଦର୍ଶକମାନଙ୍କର ବେଶ୍ ଭିଡ ଏଠାରେ ପରିଲକ୍ଷିତ ହୁଏ ।

                ସମ୍ବଲପୁରରୁ ଆସିଥିବା ସୋମସେନ ମଧ୍ୟ ଏଥିରେ ଯୋଗ ଦେଇଥାଆନ୍ତି । ତାଙ୍କର ଚିତ୍ରକଳା, ପ୍ରଦର୍ଶନୀର ଏକ ମଣ୍ଡକରେ ସଜା ହୋଇଥାଏ ।

                ସୋମସେନ ହରିପୁରର ଯେଉଁ ଧର୍ମଶାଳାରେ ଅବସ୍ଥାନ କରୁଥାନ୍ତି, ସେଠାରେ ବିଳାସପୁର ଗ୍ରାମର ଜଣେ କଳାପ୍ରିୟ ବ୍ୟକ୍ତି ଶିବସେନ ରହୁଥାଏ । ପରସ୍ପର ସାଧାରଣ କଥୋପକଥନ ହେଉଥିବା ସମୟରେ ଶିବସେନ ସୋମସେନଙ୍କୁ କହିଲେ, “ଆଜି ମୁଁ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି । ଆପଣଙ୍କ ଚିତ୍ର-ମଣ୍ଡପରେ ମୋତେ ଏକଘଂଟା ରହିବା ପାଇଁ ପଡିଲା ।”

                ତାଙ୍କର ଏଭଳି କଥାରେ ସୋମସେନ ବହୁତ ଖୁସି ହୋଇ କହି ଉଠିଲେ, “ମୋ ଚିତ୍ରକୁ ଆପଣ ପସନ୍ଦ କରିଥିବାରୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ମୋ ଚିତ୍ର ସତରେ କ’ଣ ଏତେ ପ୍ରଶଂସାର ପାତ୍ର?”

                ତହୁଁ ଶିବସେନ ବୁଝାଇ କହିଲେ “କାହିଁକି କେଜାଣି, ଅନ୍ୟ ଚିତ୍ର ମଣ୍ଡପ ମାନଙ୍କରେ ଯଥେଷ୍ଟ ଭିଡ ଲାଗି ରହିଥାଏ । ସେହି କାରଣରୁ, ମୁଁ ଅନ୍ୟ କେଉଁଆଡେ ଯାଇ ନ ପାରି ଆପଣଙ୍କ ମଣ୍ଡପରେ ଏକଘଂଟା ରହିଗଲି ।”

                ତାଙ୍କର କଥା ଶୁଣି ସୋମସେନଙ୍କ ଚେହେରା ହଠାତ୍ ମଳିନ ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ