ଆତ୍ମ ସନ୍ତୋଷ

ଶ୍ରୀପତି ଓ ଜଗପତି ଉଭୟେ ରାମପୁର ଗ୍ରାମ ନିବାସୀ । ଶ୍ରୀପତି ଧନୀ ମାତ୍ର ଜଗପତି ଗରିବ । ତଥାପି ବି ସେ ଉଭୟଙ୍କ ମଧ୍ୟରେ ନିବିଡ ବନ୍ଧୁତା ଥାଏ । ଥରେ ସେ ଦୁଇବନ୍ଧୁ ସାଙ୍ଗ ହୋଇ ଗୋଟିଏ ସ୍ଥାନକୁ ଯାଉଥାନ୍ତି । ଏକ ଗ୍ରାମର ପଥ ପାଶ୍ୱର୍ରେ କୂପଟିଏ ଥାଏ । ଦୁଇଜଣ ତରୁଣୀ ସେଠାକୁ ଜଳ ନେବାପାଇଁ ଆସିଥାନ୍ତି । ସେତେବେଳେ ତ ଶ୍ରୀପତି ତୃଷାର୍ତ୍ତ ଅନୁଭବ କରୁଥିଲେ । ବନ୍ଧୁ ଜଗପତି ତାଙ୍କୁ ସେହିଠାରେ ଅପେକ୍ଷା କରିବା ପାଇଁ କହି, ଶୋଷ ମେଂଟାଇବା ପାଇଁ କୂପ ଆଡକୁ ଆଗେଇଲେ । ଏଣେ ସେ ଦୁଇ ତରୁଣୀ ପରସ୍ପର କଥା ହେଉଥାନ୍ତି । ଦୂରରୁ ସେସବୁ ଶ୍ରୀପତିଙ୍କ କାନରେ ପଡୁଥାଏ ।

                ରଂଗୀନ ଶାଢୀ ପିନ୍ଧିଥିବା ତରୁଣୀ, ଧଳା ଶାଢୀ ପରିହିତା ତରୁଣୀକୁ ପଚାରୁଥାଏ, “ଲକ୍ଷ୍ମୀ, ସତକଥା କହ, ତମେ କିପରି ପତିଲାଭ କଲେ ସୁଖି ହେବ?” ତା’ପରେ ଲକ୍ଷ୍ମୀ କହିଲା “ରୋହିଣୀ, ତୁମକୁ ଲୁଚେଇ ମୋର କ’ଣ ବା ଲାଭ? ମୋର, ତ ଅନେକ ବଡ ବଡ ଆଶା । ଯଥେଷ୍ଟ ପଇସା, ଦାମି ଶାଢୀ, ରାଜମହଲ ସଦୃଶ୍ୟଘର, ଚାକର ବାକର, ଏସବୁ ମୋର ଦରକାର । ଯେମିତିକି ମୁଁ ପ୍ରତିଦିନ ସ୍ୱାଦିଷ୍ଟ ଭୋଜନ, ମାଂସ, ବିରିଆନୀ ଆଦି ଖାଉଥିବି । ହେଲେ ମନର ସବୁ କଳ୍ପନା କଣ କେବେବି ପୁରଣ ହୁଏ ନା ହେବ? ଅନେକ ଆଶା ତ ଏମିତି ଆଶାରେହିଁ ରହିଯାଏ ।”

                ତା’କଥା ଶୁଣି ରୋହିଣୀ, ଦୀର୍ଘଶ୍ୱାସ ପକେଇ କହିଲା, “ମୋର କିନ୍ତୁ ଏପରି କୌଣସି ଆଶା ନାହିଁ । ଯେତିକି ମିଳିବ ସେତିକିରେହିଁ ମୁଁ ତୃପ୍ତ ହେବି । ପଇସା, ଶାଢୀ ତ ଆପଣାର ଭାଗ୍ୟରେ ଥିଲେ ସେସବୁ ଆପେ ମିଳିବ । ଆଉ ବାକି ରହିଲା ସ୍ୱାଦିଷ୍ଟ ଭୋଜନ କଥା । ଅନ୍ନ ସାଙ୍ଗକୁ ଆଚାର ଟିକେ ମିଳିଗଲେ ଜିହ୍ୱା ତୃପ୍ତ ହେବ, ଆଉ ତାଛଡା ଭୋକ ବି ମେଂଟି ଯିବ ।”

                ସେମାନଙ୍କର ଏଭଳି କଥା ଶୁଣି ଶ୍ରୀପତିର ମୁଣ୍ଡକୁ ସେହିକ୍ଷଣି ଏକ ଖିଆଲ ଆସିଗଲା । ସେ ଦୁଇଜଣ ଯାକ ତ ତରୁଣୀ ତଥା ଅବିବାହିତା । ରୋହିଣୀ ପରି ପତ୍ନୀ, ଭାଗ୍ୟରେ ଥିଲେ ମିଳିବ । ସ୍ୱଳ୍ପ ବ୍ୟୟରେ ସୀମିତ ଆବଶ୍ୟକତା ଲୋଡୁଥିବା ଘରଣୀ, ଅର୍ଥ ପାଣି ପରି ଖର୍ଚ୍ଚ ହେବାକୁ କଦାପି ମଧ୍ୟ ଦେବନାହିଁ । ହେଲେ ଲକ୍ଷ୍ମୀପରି କଳ୍ପନା ବିଳାସୀ, ବଦ୍ଖର୍ଚ୍ଚି ତରୁଣୀ ଯଦି ଜଗପତିକୁ ବିବାହ କରେ, ତେବେ ତା’ର ଦୁର୍ଦ୍ଦଶାର ଅନ୍ତ ରହିବ ନାହିଁ । ଏହି ଖଳବୁଦ୍ଧିର ତାଡନାରେ ଶ୍ରୀପତି ତା’ମନେ ମନେ ଏକ ଉପାୟ ସ୍ଥିର କଲା ।

                ଶ୍ରୀପତି ଜଗପତିଙ୍କର ନିକଟକୁ ଆସି କହିଲା, “ଏବେ ଯେଉଁ ଦୁଇଜଣ ତରୁଣୀଙ୍କୁ ଜଳ ନେଇଯାଉଥିବାର ଦେଖିଲେ, ମନେ ହେଉଛି ଏମାନେ ଅବିବାହିତା । ଏହା ତ ଆମର ଉପଯୁକ୍ତ ବିବାହ ବୟସ, ଆଉ ସେଥିପାଇଁ ଆମେ ମଧ୍ୟ ଭାରି ଇଚ୍ଛୁକ । ସେହି ରଂଗୀନ ଶାଢୀ ପିନ୍ଧିଥିବା ତରୁଣୀଟିକୁ ମୁଁ ବିବାହ କରିବାପାଇଁ ମନସ୍ଥ କରିଛି । ଆଉ ତୁମେ ବି , ସେ ଧଳାଶାଢୀ ପରିହିତା ତରୁଣୀଟିକୁ ପସନ୍ଦ କରିନିଅ, ଏଥିରେ ତୁମର କଣ ମତ?”

                ଜଗପତି ତାଙ୍କ ବନ୍ଧୁଙ୍କ କଥାରେ ସମ୍ମତି ଜଣାଇଲେ ତା’ପରେ ସେମାନେ ଦୁହେଁ ସେହି ଦୁଇ ତରୁଣୀଙ୍କୁ ଅନୁସରଣ କରି ତାଙ୍କ ପରିବାରର ମୁଖ୍ୟଙ୍କ ସହିତ ଯାଇ ଆଲୋଚନା କଲେ । ଶେଷରେ ସେମାନଙ୍କର ଉଦ୍ଧେଶ୍ୟ ସଫଳ ହେଲା ।

                କିଛିଦିନ ପରେ ବିବାହ ସମ୍ପନ୍ନ ହୋଇଗଲା । ଉଚ୍ଚାଭିଳାଷିଣୀ ଲକ୍ଷ୍ମୀ ଜଗପତିର ପୁରାତନ ଜରାଜୀର୍ଣ୍ଣ ମାଟି କୁଡିଆରେ ପାଦ ଦେଲା । ଅଳ୍ପରେ ସନ୍ତୁଷ୍ଟ ହେଉଥିବା, ରୋହିଣୀ, ଧନୀ ଶ୍ରୀପତି ମହଲରେ ଯାଇ ପ୍ରବେଶ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ