ଧୂସର ଦୁର୍ଗ

ମହିଷ୍ମତୀ ନଗରୀର ରାଜା ଯଶୋବର୍ଦ୍ଧନ ନିଜର ଦୁଇ ପୁଅଙ୍କ ଭିତରୁ ସାନ ପୁଅ ଗୁଣବର୍ଦ୍ଧନକୁ ରାଜ୍ୟଭାର ଦେବାକୁ ମନସ୍ଥ କରିବାରୁ ବୀରପୁରର ସାମନ୍ତରଜା ସୂର୍ଯ୍ୟବର୍ମା ଏହାର ବିରୋଧ କଲେ । ସର୍ପକେତୁ ନାମକ ଦୁଷ୍ଟ ସାମନ୍ତ ଗୁଣବର୍ଦ୍ଧନ ସହ ଷଡଯନ୍ତ୍ର କରି ସୂର୍ଯ୍ୟବର୍ମାକୁ ମାରିଦେବା ସକାଶେ ସେ ଗିରିପଥ ଦେଇ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କଲେ । ତାପରେ…

“ସୂର୍ଯ୍ୟବର୍ମାଙ୍କୁ ଯେପରି ହେଲେ ମାରିଦିଅ! ସେ ଯଦି ଖସିଯିବେ, ତେବେ ଆମେ କେହି ନିସ୍ତାର ପାଇବା ନାହିଁ, ଜାଣିରଖ!” ସର୍ପକେତୁ ଚିତ୍କାର କରି ତା’ ସୈନ୍ୟମାନଙ୍କୁ ଚେତାବନୀ ଶୁଣାଇଦେଲା । ସୂର୍ଯ୍ୟବର୍ମା ସେ କଣ୍ଠସ୍ୱର ଚିହ୍ନି ପାରିଲେ । ସେ ବୁଝିଲେ, ଦୁଷ୍ଟ, ବିଶ୍ୱାସଘାତକ ସର୍ପକେତୁ ବ୍ୟାପକ ପ୍ରସ୍ତୁତି ପରେ ତାଙ୍କୁ ଆକ୍ରମଣ କରିଛି । ସେମାନଙ୍କଠାରୁ ତ୍ରାହି ପାଇବାର ଆଶା ଦୁରାଶା ମାତ୍ର ।

ସେ ଯେ ଗୁଣବର୍ଦ୍ଧନ ରାଜ୍ୟ ପାଇବା ବିପକ୍ଷରେ ସ୍ୱର ଉଠାଇଥିଲେ, ଏହା ତାହାରି ପ୍ରତିକ୍ରିୟା ବୋଲି ବୁଝିବାକୁ ମୋଟେ ବିଳମ୍ବ ହେଲା ନାହିଁ । ଗୁଣବର୍ଦ୍ଧନ ଶତ୍ରୁ ହୋଇଯିବ ବୋଲି ସେ ଜାଣିଥିଲେ, କିନ୍ତୁ ଏତେ ଶୀଘ୍ର ସର୍ପକେତୁ ସହ ମିଶି ସେ ତାଙ୍କୁ ନିର୍ମୂଳ କରିବାକୁ ଚେଷ୍ଟା କରିବ, ସେ ଏତେଦୂର କେବେବି କଳ୍ପନା କରି ନଥିଲେ ।

ସେ ତରବାରୀ ବୁଲାଇ ତୀବ୍ର ପ୍ରତିରୋଧ କରିବାକୁ ଲାଗିଲେ । ତାଙ୍କ ପାଖକୁ ଚାଲିଆସି ତାଙ୍କ ଉପରକୁ ତରବାରୀ ଉଠାଇଥିବା ଚାରିଜଣ ଶତ୍ରୁ ସୈନିକଙ୍କୁ ସେ ଅକ୍ଳେଶରେ ସେମାନଙ୍କ ଘୋଡା ଉପରୁ ତଳକୁ ପକାଇଦେଲେ । ସର୍ପକେତୁ ସେ ଦୃଶ୍ୟ ଦେଖି ପ୍ରାଣପଣେ ଚିତ୍କାର କରି ତା’ର ଅନ୍ୟ ସୈନିକମାନଙ୍କୁ ସୂର୍ଯ୍ୟବର୍ମାଙ୍କ ଉପରକୁ ଝପଟି ଯିବାକୁ ନିର୍ଦ୍ଧେଶ ଦେଉଥାଏ ।             ସୂର୍ଯ୍ୟବର୍ମା ବୁଝିଲେ, ଏ ପ୍ରବଳ ଆକ୍ରମଣ ବିରୁଦ୍ଧରେ ସେ ଆଉ ଦୀର୍ଘ ସମୟ ତିଷ୍ଠି ପାରିବେ ନାହିଁ । ନିଜ ପୁଅ ଚନ୍ଦ୍ରବର୍ମା କଥା ତାଙ୍କର ମନେ ପଡିଲା । ତାଙ୍କୁ ହତ୍ୟା କରି ସର୍ପକେତୁ ଯେ ତାଙ୍କ ରାଜ୍ୟଟିକୁ ଦଖଲ କରିନେବାକୁ ଚାହେଁ, ଏଥିରେ କୌଣସି ସନ୍ଦେହ ନାହିଁ । ହୁଏତ ସେ ହଠାତ୍ ଯାଇ ବୀରପୁର ଆକ୍ରମଣ କରିବ । ଚନ୍ଦ୍ରବର୍ମା ସତର୍କ ନହେଲେ ସର୍ବନାଶ ହୋଇଯିବ । କିନ୍ତୁ କିଏ ଯାଇ ଚନ୍ଦ୍ରବର୍ମାଙ୍କୁ ସତର୍କ କରିବ? ହଠାତ୍ ସୂର୍ଯ୍ୟବର୍ମା ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଅନୁଚର ସୁବାହୁକୁ ମନେ ପକାଇଲେ ।

ସେ ତରବାରୀ ଚାଳନା କରୁ କରୁ ଡାକ ପକାଇଲେ “ସୁବାହୁ! ସୁବାହୁ!!”

ସୁବାହୁ ଉତ୍ତର ଦେଲେ “ପ୍ରଭୁ! ମୁଁ ଏଇଠି!” ସେ ମଧ୍ୟ ଶତ୍ରୁ ସହ ଲଢିଥିଲେ ।

“ତମେ ତୁରନ୍ତ ବୀରପୁର ଯାଇ ଚନ୍ଦ୍ରବର୍ମାକୁ…”

ସୂର୍ଯ୍ୟବର୍ମା ତାଙ୍କ ବାକ୍ୟ ଶେଷ କରିପାରିବା ପୂର୍ବରୁ ଜଣେ ଶତ୍ରୁ ସୈନିକ ତାଙ୍କ ପିଠିରେ ତରବାରୀ ଦ୍ୱାରା ଆଘାତ କଲା । ସୂର୍ଯ୍ୟବର୍ମା ଆର୍ତ୍ତନାଦ କରି ଘୋଡା ଉପରୁ ପଡିଗଲେ । ଏକାଧିକ ଶତ୍ରୁ ସୈନିକ ତାଙ୍କୁ ଆଘାତ କରିବାକୁ ଲାଗିଲେ ।

ସୁବାହୁ ସୂର୍ଯ୍ୟବର୍ମାଙ୍କ ନିର୍ଦ୍ଧେଶ ବୁଝିଥିଲେ । ସେ ତୀବ୍ର ଗତିରେ ଘୋଡା ଝପଟାଇ ଦେଲେ ।

ସର୍ପକେତୁ ଗର୍ଜନ କରି କହିଲା “ଦେଖ, ଦେଖ, ସୂର୍ଯ୍ୟବର୍ମାଙ୍କର ଜଣେ ଅନୁଚର ପଳାଇ ଯାଉଛି । ସେ ଯଦି ସୂର୍ଯ୍ୟବର୍ମାଙ୍କ ମୃତ୍ୟୁ ଖବର ଦେଇଦେବ, ତେବେ ଆମ ଯୋଜନା ବ୍ୟର୍ଥ ହେବ । ଆମ ଆଗରୁ ସେ ବୀରପୁରରେ ପହଁଚିଲେ ଚଳିବ ନାହିଁ!” ସଙ୍ଗେ ସଙ୍ଗେ ଚାରି ପାଂଚଜଣ ଅଶ୍ୱାରୋହୀ ସୁବାହୁକୁ ଅନୁସରଣ କଲେ ।

ସୁବାହୁ ମଧ୍ୟ ବୁଝିପାରୁଥିଲା କି ଏ ସୁପରିକଳ୍ପିତ ଷଡଯନ୍ତ୍ର ଭିତରୁ ସୂର୍ଯ୍ୟବର୍ମାଙ୍କୁ ରକ୍ଷା କରିବା ଅସମ୍ଭବ । ଚନ୍ଦ୍ରବର୍ମାଙ୍କୁ ଖବର ଦେବାହିଁ ଏକମାତ୍ର ବୁଦ୍ଧିମାନର କାମ ହେବ ବୋଲି ସେ ଭାବିବାବେଳକୁହିଁ ସୂର୍ଯ୍ୟବର୍ମାଙ୍କଠୁଁ ଅନୁରୂପ ନିର୍ଦ୍ଧେଶ ପାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ