ଟଙ୍କା ଥଳୀଟି କାହାର?

ଆଗ୍ରା ସହରରେ ଜଣେ ମାଂସ ବିକାଳୀ ମାଂସ ବିକ୍ରୀ କରୁଥାଏ । ଲୋକଟି ସଚ୍ଚୋଟ୍ ସ୍ୱଭାବର ହୋଇଥିବାରୁ ଏବଂ ଗ୍ରାହକ ମାନଙ୍କର ମନଜାଣି ଜିନିଷ ଦେଉଥିବାରୁ ସବୁ ସମୟରେ ତା’ର ଦୋକାନରେ ଗହଳି ଲାଗିରହୁଥାଏ ।

         ଦିନେ ତା’ର ଦୋକାନରେ ଅସମ୍ଭବ ଗହଳି ହୋଇଗଲା । ମାଂସ ବିକାଳୀ ତା’ର କାରବାରକୁ ନେଇ ବ୍ୟସ୍ତଥାଏ । ଏହି ସମୟରେ ଜଣେ ବଣିକ ଆସି ମାଂସ ବିକାଳୀକୁ ଏକ କେ.ଜି. ମାଂସ ଦେବା ପାଇଁ କହିଲେ । ମାଂସ ବିକାଳୀର ଟଙ୍କା ଥଳୀଟି ତାର ଦୋକାନଘରର ବାହାରକୁ ଥିବା ଏକ କାନ୍ଥରେ ଟଙ୍ଗା ଯାଇଥାଏ । ବଣିକଙ୍କପାଇଁ ଏକ କିଲୋ ମାଂସ ଠିକ୍ କରିବା ପାଇଁ ଲାଗି ପଡିଲେ । ସେ ଯେମିତି ପଛକୁ ବୁଲି ପଡି ତାଙ୍କ କାର୍ଯ୍ୟରେ ଲାଗିଛନ୍ତି, ସେହି ସମୟରେ ବଣିକ ମାଂସ ବିକାଳୀର ଟଙ୍କା ଥଳୀକୁ ସେଠାରୁ ନେଇ ଆସିଲେ ।

         ମାଂସ ବିକାଳୀ ଯେତେବେଳେ ମାଂସ ତାଙ୍କ ହାତକୁ ବଢାଇ ଦିଏ, ସେହି ସମୟରେ ସେ ନିଜ ଥଳୀଟିକୁ ବଣିକଙ୍କ ହାତରେ ଦେଖି ପାରିଲା । ବଣିକ କ’ଣ କଲେନା, ସେହି ଥଳୀରୁ ପଇସା ବାହାର କରି ମାଂସ ବିକାଳୀ ହାତକୁ ବଢାଇ ଦେଲେ । ମାଂସ ବିକାଳୀ ଏହା ଦେଖି ଜୋର୍ରେ ରାଗିଯାଇ ଏହା ତା’ର ଟଙ୍କା ଥଳୀ ବୋଲି କହିଲା । ହେଲେ ବଣିକ ବା’ କୋଉଠୁ ଛାଡୁଛନ୍ତି । ସେ ମଧ୍ୟ ଏହା ତାଙ୍କର ବୋଲି କହିଲେ । ସେଠାରେ ଯେତେ ଲୋକ ଜମା ହୋଇଥିଲେ, ସେମାନଙ୍କ ମଧ୍ୟରୁ କେତେଜଣ ଟଙ୍କାଥଳୀ ମାଂସ ବିକାଳୀର ବୋଲି କହୁଥିଲା ବେଳେ ଆଉ କେତେଜଣ ଏହାକୁ ବଣିକର ବୋଲି କହୁଥାଆନ୍ତି । ଝଗଡା ଏତେ ବଢିଗଲା ଯେ, ଶେଷରେ ତାହା ସମାଧାନ ହେବା ପାଇଁ ବିରବଲଙ୍କ ପର୍ଯ୍ୟନ୍ତ ଗଲା ।

         ଉଭୟେ ଯାଇ ବିରବଲଙ୍କ ପାଖରେ ପହଁଚିଲେ । ବିରବଲ ଟଙ୍କା ଥଳୀଟିକୁ ଭଲ ଭାବରେ ପରୀକ୍ଷା କଲେ । ସେ ସେହି ଥଳୀ ମଧ୍ୟରେ କିଛି ରକ୍ତ ଛିଟା ଲାଗିଥିବାର ଲକ୍ଷ୍ୟ କଲେ । ଏହାପରେ ସେ ଯେତେବେଳେ ଥଳୀ ମଧ୍ୟରୁ କିଛି ଟଙ୍କା ବାହାର କଲେ । ସେଥିରେ ମଧ୍ୟ ରକ୍ତର ଦାଗ ଲାଗିଥିବାର ଦେଖି ପାରିଲେ । ଏହା ଦେଖି ସେ ଅନୁମାନ କଲେ ଯେ ଟଙ୍କା ଥଳୀଟି ମାଂସ ବିକାଳୀର । ସଂଗେ ସଂଗେ ବିରବଲ ମାଂସ ବିକାଳୀକୁ ତାର ଥଳୀ ଫେରାଇ ଦେଲେ । ବଣିକ ବ୍ୟକ୍ତି ଟଙ୍କା ଚୋରୀ ଅଭିଯୋଗରେ ଦଣ୍ଡିତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ