ସୁନାକୁଣ୍ଡରେ ସ୍ନାନ

ଜାପାନ୍ରେ ଥିବା ଏକ ଜାଗାର ନାଆଁ ଫୁନାବାରା । ତାହା ଦେଖିବାକୁ ଖୁବ୍ ସୁନ୍ଦର । ତେଣୁ ସେହି ଜାଗା ଓ ତା’ ଆଖପାଖର ଦୃଶ୍ୟ ଦେଖିବା ପାଇଁ ସେଠାରେ ଦେଶ ବିଦେଶର ଲୋକମାନଙ୍କ ଭିଡ ଜମେ । ସେମାନଙ୍କ ରହଣି ପାଇଁ ଫୁଜି କାଙ୍କୋ ନାମକ ସଂସ୍ଥାଟିଏ ସେଠାରେ ତିଆରି କଲେ ଏକ ବିଳାସପୂର୍ଣ୍ଣ ହୋଟେଲ୍ । ହୋଟେଲ୍ଟିରେ ରହିବା ଖୁବ୍ ମହଙ୍ଗା । ପୁଣି ସେଠାରେ ରଖାଯାଇଥିଲା ସୁନାରେ ତିଆରି ଗୋଟିଏ ଲମ୍ବା ଗାଧୁଆ କୁଣ୍ଡ ।

                ସେ ହୋଟେଲ୍ରେ ରହିଥିବା ଯାତ୍ରୀମାନଙ୍କ ଭିତରୁ ଯେଉଁମାନେ ସେହି ଗାଧୁଆ କୁଣ୍ଡଟିରେ ଗାଧୋଇବା ପାଇଁ ଚାହୁଁଥିଲେ, ଏଥିପାଇଁ ସେମାନଙ୍କୁ ଅଧିକା ଭଡା ଦେବାକୁ ପଡୁଥିଲା । ବେଶୀ ପଇସା ଦେବା ନିମନ୍ତେ ପଡିଲେ ବି ସେହି କୁଣ୍ଡରେ ଗାଧୋଇବା ପାଇଁ ବେଶ୍ ଭିଡ ଜମୁଥିଲା ସେଠାରେ । ଫଳରେ ଫୁଜି କାଙ୍କୋ ସଂସ୍ଥାର ରୋଜଗାର ଥିଲା ଖୁବ୍ ବେଶୀ । ହେଲେ, ପଇସା ସିନା ମିଳୁଥିଲା, କିନ୍ତୁ ଅନ୍ତ ନ ଥିଲା ସମସ୍ୟାର ।

                ସୁନାର ସେହି ଗାଧୁଆ କୁଣ୍ଡଟିକୁ ଜଗିବା ପାଇଁ ନିଯୁକ୍ତ ହୋଇଥିଲେ ଅନେକ ଗୋଇନ୍ଦା । କାରଣ ସୁନାକୁଣ୍ଡରେ ଗାଧୋଇବାପାଇଁ ଯାଉଥିବା ଲୋକମାନଙ୍କ ଭିତରୁ କେତେକ ନିଜ ପିନ୍ଧା ଲୁଗାପଟା ଭିତରେ ହାତୁଡି, ନିହାଣ ଆଦି ହତିଆର ଲୁଚେଇ ଗାଧୁଆ ଘରେ ପଶୁଥିଲେ । କାରଣ ଏହାଦ୍ୱାରା ସେ କୁଣ୍ଡରୁ ସୁନା ଛେଲେଇ ନେଇଯିବା ଥିଲା ସେମାନଙ୍କର ମୂଖ୍ୟ ଉଦ୍ଧେଶ୍ୟ ।

                ଏହିହେତୁ ଗାଧୁଆ ଘର ଭିତରକୁ ପଶିବା ପୂର୍ବରୁ ପ୍ରତି ଲୋକଙ୍କୁ ଗୋଇନ୍ଦାମାନେ ତନ୍ନ ତନ୍ନ କରି ପରୀକ୍ଷା କରୁଥିଲେ । ସେମାନଙ୍କର ଦେହସାରା ଅଣ୍ଡାଳି ପକାଉଥିଲେ । ହୋଟେଲ୍ ଯୋଗାଇଦେଇଥିବା ଜିନିଷପତ୍ର ବ୍ୟତୀତ ଅନ୍ୟ କୌଣସି ଜିନିଷ ଗାଧୁଆ ଘର ଭିତରକୁ ନେବା ସଂପୂର୍ଣ୍ଣ ମନା ଥିଲା ।

ଥରେ ଜଣେ ଲୋକ ଗାଧୁଆ ଘର ଭିତରକୁ ପଶିଲେ । ସୁନାକୁଣ୍ଡରୁ ସୁନା ଟିକିଏ ଛଡେଇ ନେବା ପାଇଁ ଗୋଇଠା ମାରି ଚାଲିଲେ କୁଣ୍ଡର ଧାରକୁ । ହେଲେ ଗୋଇଠା ମାଡରେ ସେ ସୁନାକୁଣ୍ଡଟିର ଲେଶ ମାତ୍ର ବି କ୍ଷତି ହେଲା ନାହିଁ ସିନା, କିନ୍ତୁ ସେହି ଲୋକଟିର ଗୋଡ ଜଖମ ହୋଇପଡିବାରୁ ତା’କୁ ଭର୍ତ୍ତି ହେବାକୁ ପଡିଲା ଡାକ୍ତରଖାନାରେ ।

ଅନ୍ୟ ଏକ ଦିନେ ଗାଧୁଆ ଘରେ ପଶିଲେ ଜଣେ ମହିଳା । ସୁନାକୁଣ୍ଡରେ ମନ ଭରି ଗାଧୋଇଲେ । ଗାଧୋଇସାରି କ’ଣ ଭାବିଲେ କେଜାଣି, କୁଣ୍ଡର ପତଳା ଧାରକୁ ଦାନ୍ତରେ କାମୁଡି ସୁନା ଛିଣ୍ଡେଇ ନେବା ପାଇଁ ବହୁତ ଚେଷ୍ଟା କଲେ ସେ । କିନ୍ତୁ ସୁନାକୁଣ୍ଡଟିରେ ଦାନ୍ତ କାମୁଡିବାର ଚିହ୍ନ ଟିକିଏ ବି ପଡିପାରିଲା ନାହିଁ । ଆହୁରି ଜୋର୍ରେ କାମୁଡିବାରୁ ଶେଷରେ ତାଙ୍କ ଦାନ୍ତ ଭାଙ୍ଗିଯାଇ ଗଳି ପଡିଲା । ପରେ ବାଧ୍ୟ ହୋଇ ସେ ତାଙ୍କ ମାଢିରେ ନକଲି ଦାନ୍ତ ଖଞ୍ଜିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ