ମହାଭାରତ

କୁନ୍ତୀ, ବ୍ରାହ୍ମଣ ପରିବାରର ବିପଦ ବିଷୟରେ ଖବର ନେବାକୁ ଗଲେ । ସେତେବେଳେ ଦୁଃଖୀ ବ୍ରାହ୍ମଣ ବିଳାପ କରୁ କରୁ କହୁଥାନ୍ତି, “ଏହି ସଂସାରରେ ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁଖରେ ଦିନ ବିତାଇବାର ଆଉ କୌଣସି ଉପାୟ ନାହିଁ । ମୁଁ ତୁମକୁ କେତେ ଆଗରୁ କହୁଥିଲି ଯେ ଏହି ଗ୍ରାମ ଛାଡି ଆମେ ଅନ୍ୟତ୍ର ଚାଲିଯିବା; ହେଲେ ତୁମେ ତ ମୋ କଥା ଆଦୌ ଶୁଣିଲ ନାହିଁ । ସେତେବେଳେ ତୁମେ ଯଦି ମୋ କଥା ମାନିଥାନ୍ତ, ତେବେ ଆଜି ଏଡେ ବଡ ବିପତ୍ତି ଆମ ଉପରେ କେବେବି ପଡି ନଥା’ନ୍ତା । ମୁଁ ଏବେ କ’ଣ ଯେ କରିବି? ତୁମ ମଧ୍ୟରୁ ମୁଁ କାହାକୁ ସେ ରାକ୍ଷସକୁ ଦେବି? ତୁମେ ତ ମୋର ସବୁ ସୁଖଦୁଃଖର ଭାଗୀଦାର, ମୋର ପିଲାଙ୍କର ମା; ତୁମକୁ କ’ଣ ମୁଁ ସେ ରାକ୍ଷସକୁ ଦେବି? ନା ଏଇ ଅଜ୍ଞାନ ବାଳକକୁ ଆମେ ପାଳି ପୋଷି ସ୍ନେହରେ ଏଡେଟିଏ କରିଛେ ତାକୁ ଦେବି? ନା ଏଇ ଆମର ଏକମାତ୍ର କନ୍ୟା ଯିଏ ଏବେ ବିବାହ ଯୋଗ୍ୟା, ସ୍ନେହ ଶ୍ରଦ୍ଧାରେ ପାଳି ଆଣିଛୁ, ତାକୁ ଦେବି? ଏସବୁ ତ ମୁଁ କେବେବି କଳ୍ପନା ସୁଦ୍ଧା କରି ପାରୁନାହିଁ । ଏକମାତ୍ର ମାର୍ଗ ହେଲା ମୁଁହିଁ ତମ ସମସ୍ତିଙ୍କୁ ଛାଡି ମୋର ସୁଖମୟ ସଂସାରକୁ ଦୁଃଖରେ ଭସାଇ ଦେଇ ଯିବି ।”

                ବ୍ରାହ୍ମଣର ସ୍ତ୍ରୀ କହିଲେ, “ତୁମେ ରାକ୍ଷସ ପାଖକୁ ଗଲେ, ଆମର ସମଗ୍ର ପରିବାର ଅନାଥ ହୋଇଯିବେ । ତେଣୁ ମୁଁ ରାକ୍ଷସ ପାଖକୁ ଯିବି । ହୁଏତ ଜଣେ ସ୍ତ୍ରୀ ଲୋକକୁ ନଖାଇ ସେ ଦୟାକରି ମୋତେ ଛାଡି ଦେଇପାରେ ।” ଏକଥା ଶୁଣି ସେ ବ୍ରାହ୍ମଣ ଓ ତା’ ପିଲାଦୁହେଁ ଖାଲି କାନ୍ଦିଲେ । ତା’ପରେ ବ୍ରାହ୍ମଣ ଓ ବ୍ରହ୍ମଣୀ ବହୁ ଦୁଃଖରେ କାନ୍ଦିବାକୁ ଲାଗିଲେ ।

                ଝିଅଟି ଆସି ବାପାମାଙ୍କୁ କହିଲା, “ତୁମେ ଦୁଇଜଣ କାହିଁକି ଏମିତି ତୁଚ୍ଛାରେ କାନ୍ଦୁଛ? ମୁଁ ତ ସେମିତିବି ଆଉ ଖୁବ୍ ଅଳ୍ପଦିନ ପରେ ବିବାହ କରି ତୁମମାନଙ୍କଠାରୁ ଦୂରେଇ ଯାଇଥା’ନ୍ତି, ଏବେ ଚାଲିଗଲେ କ’ଣ ହେଉଛି? ମୋତେହିଁ ସେହି ରାକ୍ଷସ ନିକଟକୁ ପଠାଇ ଦିଅ ।”

                ଏହି ସମୟରେ ତାଙ୍କର ପାଞ୍ଚବର୍ଷର ପୁଅ ତା’ ହାତରେ ବାଡିଟିଏ ବୁଲାଇ ବୁଲାଇ କହୁଥାଏ, “ମୁଁ ଏହି ବାଡିରେ ପିଟି ପିଟି ସେ ରାକ୍ଷସକୁ ମାରି ଦେବି । ତୁମେମାନେ ଆଉ କାନ୍ଦ ନାହିଁ ।” ଏତେ ଦୁଃଖରେ ଥାଇ ମଧ୍ୟ ସେମାନେ ଏକଥା ଶୁଣିବା ମାତ୍ରେ ଫଟ୍କିନା ହସି ପକାଇଲେ । ସେମାନଙ୍କ ଦୁଃଖଭରା କାହାଣୀ କୁନ୍ତୀ କାନ୍ଥ ପଛପଟରେ ଥାଇ ସବୁ ଶୁଣୁଥିଲେ । ସେ ସେମାନଙ୍କ ନିକଟକୁ ଆସି କହିଲେ, “ମହାଶୟ, କୁହନ୍ତୁ; ବର୍ତ୍ତମାନ ଆପଣଙ୍କ ଉପରେ ଏମିତି କି ଦୁଃଖ ପଡିଛି? ମୋତେ ସବୁକଥା ଖୋଲି କୁହନ୍ତୁ; ମୁଁ ହୁଏତ ତୁମର କୌଣସି ଭାବରେ ସହାୟତା କରିପାରିବି ।”

                ବ୍ରାହ୍ମଣ କହିଲେ, “ଦେବୀ, ଆପଣ ଦୟାବତୀ, ତେଣୁ ଏପରି କହୁଛନ୍ତି । କିନ୍ତୁ ଆମ ଉପରେ ଯେଉଁ ବିପଦ ପଡିଛି, ତାକୁ କୌଣସି ମନୁଷ୍ୟ ଚାହିଁଲେବି ଦୂର କରିପାରିବ ନାହିଁ । ଏହି ନଗରର ସମୀପରେ ଥିବା ଜଙ୍ଗଲରେ ବକାସୁର ନାମକ ଏକ ଅସୁର ଅଛି । ସେ ନରଭକ୍ଷକ, ପ୍ରତିଦିନ ସେ ମଣିଷ ମାଂସ ଖାଏ । ସେ ମଧ୍ୟ ଏହି ନଗରର ରକ୍ଷକ । କିନ୍ତୁ ଏହି ଗ୍ରାମକୁ ସେ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିନାହିଁ ଏହି ସର୍ତ୍ତରେ ଯେ ଗୋଟିଏ ଶଗଡ ଗାଡିରେ ଅଧଗାଡିଏ ଭାତ, ଦୁଇଟା ମଇଁଷୀ, ପିଠା ଆଦି ଅନେକ ଖାଦ୍ୟ ଓ ମନୁଷ୍ୟଟିଏ ତା’ର ଖାଦ୍ୟ ପାଇଁ ପ୍ରତିଦିନ ପଠାହେବ । ଆଜି ମୋ ଘରର ପାଳି । କେହି ଯଦି ତା’ର ଏହି ସର୍ତ୍ତ ନମାନି ଖାଦ୍ୟ ନ ପଠାଇଲା ତେବେ ସେ ଗ୍ରାମ, ନଗରରେ ପଶି ଅନେକ ଲୋକଙ୍କୁ ମାରି ଖାଇବ ଓ ନାନା ପ୍ରକାର ଅତ୍ୟାଚାର କରିବ । ଆମ ରାଜା ତାଙ୍କ ନଅରରେ ଆନନ୍ଦରେ ରହିଛନ୍ତି । ଆମକୁ ଏହି ବିପଦରୁ ବଂଚାଇବାକୁ ସେ କେବେବି ମଧ୍ୟ ଚେଷ୍ଟା କରନ୍ତି ନାହିଁ । ତେବେ କିଏ ବା ଆମକୁ ରକ୍ଷା କରିବ? ରାଜା ତ ଶକ୍ତିହୀନ, ଅସମର୍ଥ ଓ ସ୍ୱାର୍ଥପର । ଆଜି ଆମର ପାଳି । ଆମେ ଯଦି ରାଜାଙ୍କ ଆଶ୍ରୟରେ ଥାନ୍ତୁ ତେବେ ନିଶ୍ଚୟ ରକ୍ଷା ପାଇଯା’ନ୍ତୁ ଅଥବା ଯଦି ଅନେକ ଧନ ଥା’ନ୍ତା ତେବେ କୌଣସି ଦରିଦ୍ରକୁ ହୁଏତ କିଣି ତାକୁ ସେ ରାକ୍ଷସ ନିକଟକୁ ପଠାଇ ପାରନ୍ତୁ । ଆପଣ ତ ଦେଖୁଛନ୍ତି ଆମର ସ୍ଥିତି କେତେ ଦୟନୀୟ । ଏହି ଭୟାନକ ବିପଦରୁ ରକ୍ଷା ପାଇବାର ଆମେ କୌଣସି ଉପାୟ ପାଉନାହୁଁ । ଆମେ କେହି କାହାକୁ ଛାଡି ବଂଚିବା ବଡ କଷ୍ଟ । ତେଣୁ ଆମେ ଭାବୁଛୁ ଯେ ଆମେ ଏକାଠି ହୋଇ ଯାଇ ସେ ରାକ୍ଷସର ଖାଦ୍ୟ ହୋଇ ମରିବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ